ଟ୍ରେଭିସ୍ ହେଡ୍‌ଙ୍କ ପରେ ନଟରାଜନଙ୍କ ଘାତକ ବୋଲିଂ, ଦିଲ୍ଲୀକୁ ତାରି ଘରେ ମାତ୍ ଦେଲା ହାଇଦ୍ରାବାଦ

Published By : Prameya-News7 Bureau | April 20, 2024 IST

aajtak

ଦିଲ୍ଲୀ: ଟ୍ରେଭିସ୍ ହେଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଟି ନଟରାଜନଙ୍କ ଘାତକ ବୋଲିଂ ବଳରେ ଏଠାରେ ଖେଳା ଯାଇଥିବା ଆଇପିଏଲ୍‌ର ୩୫ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ତାରି ମାଟିରେ ୬୭ ରନରେ ହରାଇଛି ହାଇଦ୍ରାବାଦ। ଏହା ସହିତ ଦଳର ବିଜୟ ରଥ ଅବ୍ୟାହତ ରହିଛି। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୬୭ ରନର ବିଜୟ ଲକ୍ଷ୍ୟ ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୧୯୯ ରନରେ ଅଲଆଉଟ୍ ହୋଇଛି। ଜ୍ୟାକ ଫ୍ରଜେର ମ୍ୟାକଗର୍କ ୧୮ ବଲରୁ ୬୫ ରନର ଇନିଂସ ଖେଳିଥିବା ବେଳେ ଅଭିଷେକ ପୋରେଲ ୪୨ ରନ ଓ ଅଧିନାୟକ ଋଷଭ ପନ୍ତ ୪୪ ରନ କରିଛନ୍ତି। ଟି ନଟରାଜନ କେବଳ ୧୯ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଭିସ୍ ହେଡ୍‌ଙ୍କ ବିସ୍ଫୋରକ ୮୯ ରନ, ଶାହବାଜ ଅହମ୍ମଦଙ୍କ ୫୯ ରନ ଓ ଅଭିଷେକ ଶର୍ମାଙ୍କ ୪୬ ରନର ଧୂଆଁଧାର ଇନିଂସ ବଳରେ ହାଇଦ୍ରାବାଦ ଆଇପିଏଲ୍‌ ଇତିହାସରେ  ତୃତୀୟ ସର୍ବୋଚ୍ଚ ସ୍କୋର କରିଥିଲା। ଆଜିର ମ୍ୟାଚ୍ ପରେ ହାଇଦ୍ରାବାଦ ୫ ବିଜୟ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ  ଉଠିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ପରାଜୟ ସହ ସପ୍ତମ ସ୍ଥାନକୁ ଖସି ଆସିଛି। 

Also read: ଟି-୨୦ ବିଶ୍ଵକପ୍ ପାଇଁ ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଏମିତି ରହିପାରେ ୧୫ ଜଣିଆ ଟିମ୍

ପ୍ରଥମେ ବ୍ୟାଟିଂ କରିଥିବା ବେଳେ ହାଇଦ୍ରାବାଦ ଆରମ୍ଭରୁ ବିସ୍ପୋରକ ବ୍ୟାଟିଂ କରିଥିଲା। ଦୁଇ ଓପନର ଟ୍ରେଭିସ୍ ହେଡ୍ ଓ ଅଭିଷେକ ଧୂଆଁଧାର ବ୍ୟାଟିଂ କରି ଦିଲ୍ଲୀ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ଉଭୟ ମାତ୍ର ୬.୨ ଓଭରରେ ୧୩୧ ରନ ଯୋଡ଼ିଥିଲେ। ଏହା ସହିତ ଆଇପିଏଲ୍ ଇତିହାସରେ ପାଓ୍ଵାର ପ୍ଲେରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି। ତେବେ ୨ ରନ ଭିତରେ ଉଭୟ ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା ୧୨ ବଲରୁ ୨ ଚୌକା ଓ ୬ ଛକା ସହ ୪୬ ରନ କରିଥିଲେ। ହେଡ୍ ୩୨ ବଲରୁ ୧୧ ଚୌକା ଓ ୬ ଛକା ସହ ୮୯ ରନ କରିଥିଲେ। ଏହା ପରେ ହାଇଦ୍ରାବାଦର ରନ ଗତି ଧିମେଇ ଯାଇଥିଲା। ନୀତିଶ ରେଡ୍ଡୀ ୩୭ ରନ କରିଥିଲେ। ଶାହବାଜ ଅହମ୍ମଦ ୨୯ ବଲ୍‌ରୁ ୨ ଚୌକା ଓ ୫ ଛକା ସହ ୫୯ ରନର ବିସ୍ଫୋରକ ଇନିଂସ ଖେଳିବାରୁ ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୨୬୬ ରନ କରିଥିଲା।

ଜବାବରେ ଦିଲ୍ଲୀର ଆରମ୍ଭ ନିରାଶ ଜନକ ଥିଲା। ପୃଥ୍ଵୀ ଶୋ(୧୬) ଓ ଡେଭିଡ୍ ଓ୍ଵାର୍ଣ୍ଣର(୧) ନିରାଶ କରିଥିଲେ। ଏହା ପରେ ଜ୍ୟାକ ଫ୍ରଜେର ଓ ଅଭିଷେକ ପୋରେଲ ବିସ୍ଫୋରକ ବ୍ୟାଟିଂ କରି ୮୪ ରନ ଯୋଡ଼ିଥିଲେ। ଉଭୟ କ୍ରିଜରେ ଥିବା ପର୍ଯ୍ୟନ୍ତ ଦିଲ୍ଲୀର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ଫ୍ରଜେର ମାତ୍ର ୧୮ ବଲ୍‌ରୁ ୫ ଚୌକା ଓ ୭ ଛକା ସହ ୬୫ ରନର ଧୂଆଁଧାର ଇନିଂସ ଖେଳିଥିଲେ। ପୋରେଲ ୨୨ ବଲରୁ ୪୨ ରନ କରି ଆଉଟ୍ ହେବା ପରେ ଦିଲ୍ଲୀରର ରନ ଗତି ଧିମେଇବା ସହ ବିଜୟ ଆଶା ମଉଳିଥିଲା। ଅଧିନାୟକ ଋଷଭ ପନ୍ତ ୪୪ ରନ କରିବାରୁ ଦିଲ୍ଲୀ ୧୯୯ ରନ କରି ପାରିଥିଲା। ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଶାଣିତ ବୋଲିଂ କରି ୪ ଓଭରରେ ମାତ୍ର ୧୯ ରନ ଦେଇ ୪ଟି ସଫଳତା ହାସଲ କରିଥିଲେ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.