ଆଇପିଏଲ୍ ମହାସମର, ସଂଧ୍ୟାରେ ହାଇଭୋଲଟେଜ୍ ଗେମ୍, ଆରସିବି-କେକେଆର୍ ଟକ୍କର

Published By : Prameya-News7 Bureau | March 29, 2024 IST

ବେଙ୍ଗାଲୁରୁ, ୨୯/୦୩: ଆଇପିଏଲ୍‌ ୧୭ତମ ସଂସ୍କରଣରେ ଶୁକ୍ରବାର ଖେଳାଯିବ ଦଶମ ଲିଗ୍‌ ମୁକାବିଲା । ସଂଧ୍ୟାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍‌ ରାଇଡର୍ସ ଟକ୍କର । ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିବା ନାଇଟ୍‌ ରାଇଡର୍ସ ବିଜୟଧାରା  ଜାରି ରଖିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟ ଘରୋଇ ସମର୍ଥକଙ୍କ ମନ ଜିଣିବାକୁ ପ୍ରସ୍ତୁତ । ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି । ବିଶେଷ କରି ବିରାଟ କୋହଲି ଓ ଗୌତମ ଗମ୍ଭୀର ଏହି  ମ୍ୟାଚ୍‌ ଜରିଆରେ ପୁଣି ଥରେ ସାମ୍ନା ସାମ୍ନି ହେଉଥିବାରୁ   ଦର୍ଶକ ଉଭୟଙ୍କ ଟକ୍କର ଦେଖିବାକୁ ଅପେକ୍ଷା କରିଛନ୍ତି ।  ଗମ୍ଭୀର ଅବସର ନେଇ ସାରିଥିଲେ ହେଁ ବର୍ତ୍ତମାନ  ନାଇଟ୍‌ ରାଇଡର୍ସ ଦଳର ମେଣ୍ଟର ନିଯୁକ୍ତ ଅଛନ୍ତି । 

ଏହି ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।  ଉଭୟ ଦଳ ସମ୍ପ୍ରତି ଚମତ୍କାର ପ୍ରଦର୍ଶନ କରୁଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ନାଇଟ୍‌ ରାଇଡର୍ସର ପଲା ଭାରି  ରହିବ । ଗତ ବର୍ଷ ନାଇଟ୍‌ ରାଇଡର୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ଗତ ୧୬ଟି ସଂସ୍କରଣ ମଧ୍ୟରେ ଉଭୟ ଦଳ  ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ନାଇଟ୍‌ ରାଇଡର୍ସ   ୧୮ଟି ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍‌ ଜିତିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଶ୍‌ ସନ୍ତୁଳିତ ମନେ ହେଉଛି । ଫାଫ ଡୁ ପ୍ଲେସି ଓ  ବିରାଟ କୋହଲିଙ୍କ ଉପରେ ଦଳ ନିର୍ଭର କରୁନାହିଁ ।  କାରଣ ମଧ୍ୟ କ୍ରମରେ କାମେରନ ଗ୍ରୀନ୍‌ ଓ ଦିନେଶ   କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି । ଏମାନେ ଏକୁଟିଆ  ମ୍ୟାଚ୍‌ ଜିତାଇବାର କ୍ଷମତା ରଖିଛନ୍ତି ।

ପ୍ରଥମ ୨ଟି  ଯାକ ମ୍ୟାଚ୍‌ରେ ଅନୁଜ ରାୱତ ଓ ମହିପାଲ୍‌ ଲୋମରର ଚମତ୍କାର ପ୍ରଦର୍ଶନ କରିଛନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଲୋମରରଙ୍କ ଦ୍ରୁତ ଇନିଂସ  ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବିଜୟ ହାସଲ କରିଥିଲା ।  ବୋଲିଂ ବିଭାଗ ମଧ୍ୟ ସୁଦୃଢ଼ । ମହମ୍ମଦ ସିରାଜ  ଓ ଅଲ୍‌ଜାରୀ ଜୋଶେଫ ପେସ୍‌ ବୋଲିଂ ବିଭାଗ  ସମ୍ଭାଳୁଛନ୍ତି । ସ୍ପିନ ବିଭାଗ ସାମାନ୍ୟ ଦୁର୍ବଳ ମନେ ହେଉଥିଲେ ହେଁ ଦଳ ନିକଟରେ ଯଥେଷ୍ଟ ବିକଳ୍ପ ରହିଛି । ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସକୁ  ହରାଇଥିଲା । ଏହି ମ୍ୟାଚ୍‌ରେ ଆନ୍ଦ୍ରେ ରସେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପ୍ରମୁଖ ଭୂମିକା ଗ୍ରହଣ  କରିଥିଲା । ମାତ୍ର ଶ୍ରେୟାସ ଆୟର ଫିଟ୍‌ ହୋଇ ଫେରିବା ଦଳ ପାଇଁ ବେଶ୍‌ ଶୁଭଙ୍କର ସାବ୍ୟସ୍ତ ହେବ ।   ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ । ଛୋଟ ବାଉଣ୍ଡାରୀ ସାଙ୍ଗକୁ ଦ୍ରୁତ ଆଉଟ୍‌ ଫିଲ୍ଡରେ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.