ସମ୍ବଲପୁର ୨୪।୧୧: ପକ୍କା ଘରକୁ ନେଇ ଆସିଲା ବଡ଼ ଖବର । ଅଧିକାରୀଙ୍କୁ ଟାର୍ଗେଟ୍ ଦେଲେ ରାଜ୍ୟ ସରକାର । ଡିସେମ୍ବର ଶେଷ ସୁଦ୍ଧା ପକ୍କା ଘର ଟାର୍ଗେଟ୍ ଶେଷ କର । କଡ଼ା ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । ୧ ଲକ୍ଷ ୮୮ ହଜାର ୨୬୩ ପକ୍କା ଘର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକରେ ୧୬ ହଜାର ୭୪୨ ପକ୍କା ଘର, ନୂଆପଡାରେ ୧୧ ହଜାର ୧୩୧, ନବରଙ୍ଗପୁରରେ ୧୦ ହଜାର ୯୪୯, କୋରାପୁଟରେ ୧୪ ହଜାର ୧୯୩, ବଲାଙ୍ଗିରରେ ୭ ହଜାର ୭୫୭, ବାଲେଶ୍ଵରରେ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୧୪ ହଜାର ୩୫୭ ଘର ନିର୍ମାଣ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୬ ହଜାର ୫୮୨ ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଗୁରୁତର ସହ ନେଇ କାର୍ଯ୍ୟ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ଏହି ଯୋଜନା ପାଇଁ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦ ହେବା ସହିତ ତିନି ବର୍ଷ ଭିତରେ ୨ ଲକ୍ଷ ୨୫ ହଜାର ପକ୍କା ଘର ପ୍ରଦାକ ଲକ୍ଷ୍ୟ ରଖାଯାଇଛି ।​​​​​​​