ଗୌହାଟୀ: ଯାହା ଆଶଙ୍କା କରାଯାଉଥିଲା ଗୌହାଟୀ ଟେଷ୍ଟରେ ତାହା ହିଁ ଦେଖିବାକୁ ମିଳୁଛି। ଘରୋଇ ମାଟିରେ ଆଉ ଏକ ଲଜ୍ଜାଜନକ ସିରିଜ ପରାଜୟ ଅଭିମୁଖେ ଟିମ୍ ଇଣ୍ଡିଆ। ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନ ସୁଇପର ଶିକାର ହୋଇଥିବା ଭାରତୀୟ ଦଳ ଏବେ ପୁଣି ଥରେ ସେହି ଅପକିର୍ତ୍ତୀ ନିଜ ନାଁରେ ଲେଖିବାକୁ ଯାଉଛି। ଦ୍ଵିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ୨୬୦ ରନରେ ପାଳି ସମାପ୍ତି ଘୋଷଣା କରିଛି। ଫଳରେ ଭାରତ ସମ୍ମୁଖରେ ରହିଛି ୫୪୯ ରନର ବିଜୟ ଲକ୍ଷ୍ୟ। ଜବାବରେ ଭାରତ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୨୭ ରନ କରିଛି। କ୍ରିଜରେ ସାଇ ସୁଦର୍ଶନ ୨ ରନ ଓ କୁଲଦୀପ ଯାଦବ ୪ ରନ କରି ଅପରାଜିତ ଅଛନ୍ତି। ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ଅସମ୍ଭବ ୫୨୨ ରନ ଦରକାର ଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ଦରକାର ୮ ଓ୍ଵିକେଟ୍।

ଦକ୍ଷିଣ ଆଫ୍ରିକା ତୃତୀୟ ଦିନର ଅସମାପ୍ତ ଖେଳ ୨୬/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା। ରିୟାନ ରିକଲଟନ  ଓ ଆଡନ ମାରକ୍ରମ କ୍ରିଜରେ ଥିଲେ। ଦୁଇ ଓପନର ପ୍ରଥମ ଓ୍ଵିକେଟରେ ୫୯ ରନ ଯୋଡ଼ିଥିଲେ। ରିକଲଟନ ୩୫ ରନ ଓ ମାରକ୍ରମ ୨୯ ରନ କରି ଆଉଟ୍ ହୋଇଥିଲେ। ଉଭୟଙ୍କୁ ଜାଡ଼େଡା ପାଭିଲିୟନ ପଠାଇଥିଲେ। ଅଧିନାୟକ ତେମ୍ବା ବାଭୁମା(୩ ରନ)ଙ୍କୁ ଆଉଟ୍ କରିଥିଲେ ଓ୍ଵାଶିଂଟନ ସୁନ୍ଦର। ଲାଗିଲା ଦକ୍ଷିଣ ଆଫ୍ରିକା ଇନିଂସର ଶୀଘ୍ର ସମାପ୍ତି ଘଟିବ। କିନ୍ତୁ ଟ୍ରିଷ୍ଟନ ଷ୍ଟବ୍ସ ଓ ଟୋନି ଡି ଜୋର୍ଜି ଦମଦାର ବ୍ୟାଟିଂ କରି ଭାରତୀୟ ଶିବିରକୁ ନିରାଶ କରିଥିଲେ।

ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୧ ରନର ଭାଗିଦାରୀ ଯୋଡ଼ିଥିଲେ। ଟୋନି ଡି ଜୋର୍ଜି ୪୯ ରନ କରି ଆଉଟ୍ ହୋଇଥିଲେ। ଷ୍ଟବ୍ସ ଦମଦାର ବ୍ୟାଟିଂ କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ଷ୍ଟବ୍ସ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ୨୬୦ ରନରେ ପାଳି ସମାପ୍ତି ଘୋଷଣା କରିଛି। ଷ୍ଟବ୍ସ ୯ ଚୌକା ଓ ୧ ଛକା ସହ ୯୪ ରନ କରି ପାଭିଲିୟନ ଫେରିଥିଲେ। ଭାରତ ସମ୍ମୁଖରେ ରହିଛି ୫୪୯ ରନର ବିଜୟ ଲକ୍ଷ୍ୟ।

ଭାରତ ଦ୍ଵିତୀୟ ଇନିଂସରେ ମଧ୍ୟ ନିରାଶଜନକ ଆରମ୍ଭ କରିଛି। ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ(୧୩) ଓ କେଏଲ ରାହୁଲ(୬) ପାଭିଲିୟନ ଫେରିଛନ୍ତି। ଶେଷ ଦିନରେ ଭାରତକୁ କୌଣସି ଚମତ୍କାର ଇନିଂସ ହିଁ ପରାଜୟରୁ ବଞ୍ଚାଇ ପାରିବ। ଆଉ ବିଜୟଠୁ ୮ ଓ୍ଵିକେଟ୍ ଦୂରରେ ଭ୍ରମଣକାରୀ ଦଳ। ଉଲ୍ଲେଖନୀୟ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନ କରିଥିଲା। ଜବାବରେ ଭାରତ ୨୦୧ ରନରେ ଅଲଆଉଟ୍ ହେବାରୁ ଭ୍ରମଣକାରୀ ଦଳ ୨୮୮ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା। ​​​​​​​