ନୂଆଦିଲ୍ଲୀ: ଆମେରିକାର ଶତ ଧମକ ଓ ଚାପ ସତ୍ତ୍ୱେ ଋଷରୁ ତୈଳ ଆମଦାନୀ ଦିଗରେ ପଛକୁ ହଟି ନାହିଁ ଭାରତ। ଜୁନ ମାସରେ ଋଷରୁ ସର୍ବାଧିକ ତୈଳ ଆମଦାନୀ କରାଯାଇଛି। ଭାରତର ମୋଟ ଆଶୋଧିତ ତୈଳ ଆମଦାନୀରୁ କେବଳ ଋଷରୁ ଆମଦାନୀ ହୋଇଛି ୫୨%। ଯାହା ଋଷୀୟ ଆମଦାନୀ ଇତିହାସରେ ସର୍ବାଧିକ। ଜୁନ୍ ମାସରେ ଭାରତ ରୁଷିଆରୁ ଦୈନିକ ପ୍ରାୟ ୨.୬ ମିଲିୟନ ବ୍ୟାରେଲ (mbpd) ଅଶୋଧିତ ତୈଳ ଆମଦାନୀ କରିଛି। ଯାହା ଏପର୍ଯ୍ୟନ୍ତର ସର୍ବାଧିକ।

ଭାରତୀୟ ରିଫାଇନରମାନେ ରିହାତି ଦରରେ ମିଳୁଥିବା ରୁଷିଆର ୟୁରାଲ୍ସ କ୍ରୁଡ୍ କ୍ରୟ ବଢ଼ାଇଥିବାରୁ ଏହି ଆମଦାନୀ ରେକର୍ଡ ସ୍ତରକୁ ପହଞ୍ଚିଛି। ସେହିପରି ଜୁନ୍ ମାସରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନୀ ପ୍ରାୟ ଦୈନିକ ୫ ମିଲିୟନ ବ୍ୟାରେଲ ରହିଛି, ଯାହା ସେହି ମାସ ପାଇଁ ଏକ ନୂଆ ରେକର୍ଡ। ମେ ମାସରେ ରୁଷିଆରୁ ଆମଦାନୀ ପ୍ରାୟ ୨ mbpd ଥିବାବେଳେ ଜୁନରେ ଏହା ୨.୬ mbpd କୁ ବଢ଼ିଯାଇଛି। ପୂର୍ବ ରେକର୍ଡ ଜୁଲାଇ ୨୦୨୪ର ୨.୧ mbpd ଥିଲା।

ବିଶ୍ୱସ୍ତରୀୟ ଡାଟା ଆନାଲିଟିକ୍ସ ସଂସ୍ଥା କ୍ଲେପର (Kpler) ର ବରିଷ୍ଠ ବିଶ୍ଳେଷକ ନବୀନ ଦାସ କହିଛନ୍ତି ଯେ, ୟୁରାଲ୍ସ କ୍ରୁଡ୍ର ଦାମ ଦୁବାଇ ଓ ଓମାନ କ୍ରୁଡ୍ ତୁଳନାରେ କମ୍ ଥିବାରୁ ଭାରତୀୟ ରିଫାଇନରମାନେ ଏହାକୁ ପସନ୍ଦ କରୁଛନ୍ତି। ଏହାସହ ଇରାକରୁ ଆମଦାନୀ ହ୍ରାସ ପାଇଥିବାରୁ ସୃଷ୍ଟି ହୋଇଥିବା ଘାଟତିକୁ ରୁଷିଆ ପୂରଣ କରିଛି। ଆମେରିକୀୟ ପ୍ରତିବନ୍ଧକ ଯୋଗୁ ଏହିବର୍ଷ ଆରମ୍ଭରେ ସୃଷ୍ଟି ହୋଇଥିବା ବାଧା ପରେ ଭାରତୀୟ ରିଫାଇନରମାନେ ରୁଷିଆ ସହ ଯୋଗାଣ ଶୃଙ୍ଖଳକୁ ପୁନଃ ସୁଦୃଢ଼ କରିଛନ୍ତି।

ଭାରତୀୟ ରିଫାଇନରମାନେ ଗତ କିଛି ମାସରେ ନିଜ ତୈଳ କ୍ରୟ ରଣନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷର ପ୍ରଭାବରେ ଥିବା ଗଲ୍ଫ ଦେଶଗୁଡ଼ିକ ଉପରେ ନିର୍ଭରତା କମାଇ ରୁଷିଆ ତୈଳକୁ ପ୍ରାଥମିକତା ଦେଇଛନ୍ତି। କ୍ଲେପରର ପ୍ରବନ୍ଧକ ସୁମିତ ରିତୋଲିଆ କହିଛନ୍ତି ଯେ, ଗତ ୧୦୦ ଦିନରେ ଭାରତର ଅଶୋଧିତୈଳ ଆମଦାନୀ ଚମତ୍କାର ସ୍ଥିରତା ଦେଖାଇଛି ଏବଂ ରେକର୍ଡ ଆମଦାନୀ ରିଫାଇନରମାନଙ୍କ ସଫଳ କ୍ରୟ ରଣନୀତିକୁ ପ୍ରତିଫଳିତ କରୁଛି।

ଆମେରିକା ରୁଷିଆ ଉପରେ ଲାଗୁଥିବା ପ୍ରତିବନ୍ଧକରେ ଦିଆଯାଇଥିବା ଛାଡ଼ ୧୭ ଜୁନରେ ସମାପ୍ତ ହୋଇଥିଲେ ମଧ୍ୟ ଭାରତୀୟ ରିଫାଇନରମାନେ ଋଷିଆ ତୈଳ କ୍ରୟ ଜାରି ରଖିଛନ୍ତି। ଆବୁଧାବି ଭିତ୍ତିକ କମୋଡିଟି ବିଶ୍ଳେଷକ ନାଟାଲିଆ କାଟୋନାଙ୍କ ଅନୁଯାୟୀ, ଜୁନ୍ରେ ଇଣ୍ଡିଆନ୍ ଏଏଲ କର୍ପୋରେସନ୍ (IOC) ସବୁଠାରୁ ବଡ଼ କ୍ରେତା ଥିଲା ଏବଂ ପ୍ରତିଦିନ ୯ ଲକ୍ଷ ବ୍ୟାରେଲରୁ ଅଧିକ ରୁଷିଆ ତୈଳ ଆମଦାନୀ କରିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଜାମନଗର ରିଫାଇନେରୀ ପ୍ରତିଦିନ ୫ ଲକ୍ଷ ବ୍ୟାରେଲରୁ ଅଧିକ ଆମଦାନୀ କରିଥିବାବେଳେ, ରୋଜନେଫ୍ଟ ସମର୍ଥିତ ନୟାରା ଏନର୍ଜିର ଭାଦିନାର ରିଫାଇନେରୀ ରକ୍ଷଣାବେକ୍ଷଣ ପରେ କେବଳ ରୁଷିଆ ତୈଳ ଆମଦାନୀ କରିଥିଲା ଏବଂ ଏହାର ପରିମାଣ ୩.୪୫ ଲକ୍ଷ ବ୍ୟାରେଲ ପ୍ରତିଦିନ ଥିଲା।

ଋଷ ପରେ ୟୁଏଇଠୁ ଅଧିକ ତେଲ କିଣୁଛି ଭାରତ

ଜୁନ୍ ମାସରେ ଭାରତ ଇରାକ ଠାରୁ ତୈଳ ଆମଦାନୀ କମାଇ ଦେଇଛି। ଜାନୁଆରୀରେ ଇରାକରୁ ଆମଦାନୀ ପ୍ରାୟ ୧ mbpd ଥିବାବେଳେ ଜୁନ୍ରେ ଏହା ମାତ୍ର ୬୭,୦୦୦ bpd କୁ ଖସି ଆସିଛି। ନବୀନ ଦାସଙ୍କ ମତରେ, ଭାରତୀୟ ରିଫାଇନରମାନେ ଓ ଇରାକର ରାଷ୍ଟ୍ରୀୟ ବିପଣନ ସଂସ୍ଥା SOMO ମଧ୍ୟରେ ମୂଲ୍ୟ ନେଇ ବ୍ୟାପାରିକ ମତଭେଦ ଥିବା କାରଣରୁ ତୈଳ ଆମଦାନୀ କମିଥାଇପାରେ। ତେବେ ଭାରତ ପାଇଁ ଋଷ ଓ ଭେନେଜୁଏଲାର ଶସ୍ତା ତୈଳ ଅଧିକ ଆକର୍ଷଣୀୟ ବିକଳ୍ପ ହୋଇଛି।

ତେବେ ଜୁନ୍ ମାସରେ ଋଷିଆ ପରେ ୟୁଏଇ ଭାରତକୁ ଅଧିକ ତେଲ ରପ୍ତାନୀ କରିଛି। ୟୁଏଇରୁ ପ୍ରାୟ ୫ ଲକ୍ଷ bpd ତୈଳ ଆମଦାନୀ କରିଛି ଭାରତ। ଅନ୍ୟପଟେ ସାଉଦି ଆରବର ରପ୍ତାନୀ ଫେବୃଆରୀର ୧ mbpd ରୁ ଖସି ଜୁନରେ ୩.୩୦ ଲକ୍ଷ bpd ରେ ପହଞ୍ଚିଛି। ଏହାର କାରଣ ଲଜିଷ୍ଟିକ୍ସ ନୁହେଁ, ବରଂ ସାଉଦି ଆରବର ଉଚ୍ଚ ଆଧିକାରିକ ବିକ୍ରୟ ମୂଲ୍ୟ ବୋଲି ବିଶେଷଜ୍ଞ କହିଛନ୍ତି।

ସେପଟେ ଭେନେଜୁଏଲା ମଧ୍ୟ ପୁନଃ ଭାରତର ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ହୋଇଛି। ଏପ୍ରିଲ୍ଠାରୁ ପ୍ରତିମାସ ୨.୬୦ ରୁ ୨.୯୦ ଲକ୍ଷ bpd ମଧ୍ୟରେ ଆମଦାନୀ ହେଉଛି। ଏହା ପୂର୍ବର ଭେନେଜୁଏଲାରୁ ରପ୍ତାନୀ ପ୍ରାୟ ୧୦ ମାସ ବନ୍ଦ ଥିଲା।

ତେବେ ଆମେରିକା ସହ ଚୁକ୍ତି ହେବା ପରେ ଇରାନ ତେଲ କିଣିବାକୁ ଯଦିଓ ଭାରତ ପାଇଁ ଏକ ନୂଆ ବିକଳ୍ପ ଖୋଲି ଯାଇଛି, ତଥାପି ଇରାନୀ ତେଲ ସପ୍ଲାଏକୁ ଷ୍ଟାଣ୍ଡାର୍ଡକୁ ଆଣିବାକୁ ହେଲେ ଅଧିକ ସମୟ ଲାଗିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ନବୀନ ଦାସଙ୍କ ମତରେ, କୌଣସି ଔପଚାରିକ ଚୁକ୍ତି ହେଲେ ମଧ୍ୟ ଭାରତୀୟ ରିଫାଇନରମାନେ ୩ ରୁ ୪ ସପ୍ତାହ ପରେ ଇରାନୀ ତୈଳ ପାଇପାରିବେ, କାରଣ ବର୍ତ୍ତମାନ କୌଣସି ଇରାନୀ କାର୍ଗୋ ଭାରତ ପାଇଁ ଲୋଡ୍ ହେଉନାହିଁ। କ୍ଲେପର ତଥ୍ୟ ଅନୁଯାୟୀ, ଏପ୍ରିଲ୍ରେ ଭାରତ ୧.୩୩ ଲକ୍ଷ bpd ଇରାନୀ ତୈଳ ଆମଦାନୀ କରିଥିଲା। ତେବେ ଅଶୋଧିତ ତୈଳ ନ ଆସୁଥିଲେ ମଧ୍ୟ ଇରାନୀ LPG ଭାରତକୁ ଆସୁଛି। ଜୁନରେ ଭାରତର ୧.୪୪ ମିଲିୟନ ଟନ୍ LPG ଆମଦାନୀର ୬୨ ପ୍ରତିଶତ ଆମେରିକାରୁ ଆସିଥିଲା, ଯେଉଁଠାରେ ଇରାନରୁ ୧.୧୬ ଲକ୍ଷ ଟନ୍ LPG ଆମଦାନୀ ହୋଇଛି। ସେପଟେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିବା ବେଳେ ହର୍ମୁଜ ଚୁକ୍ତି ଆଶିଂକ ଭାବେ ଖୋଲିଛି। ଏବଂ ସେହି ରାସ୍ତା ଦେଇ ଜାହାଜ ଚଳାଚଳ କରିବା ଆମ୍ଭ କଲେଣି। ତେଣୁ ଆଗକୁ ଦର କମିପାରେ।