ଚଳିତ ଆର୍ଥିକ ବର୍ଷର ୧୧ ମାସ ମଧ୍ୟରେ ଫିସ୍‌କାଲ ଡେଫିସିଟ୍ ୧୫.୦୧ ଲକ୍ଷ କୋଟି: ସିଜିଏ ରିପୋର୍ଟ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୧୧ ମାସରେ, ଏପ୍ରିଲରୁ ଫେବୃଆରୀ ମଧ୍ୟରେ ଆର୍ଥିକ ନିଅଣ୍ଟ(ଫିସ୍‌କାଲ୍ ଡେଫିସିଟ୍) ୧୫.୦୧ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା ପୂରା ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ୮୬.୫ ପ୍ରତିଶତ ବୋଲି କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟ(ସିଜିଏ) ଜାରି କରିଥିବା ସୂଚନାରୁ ଜଣାପଡ଼ିଛି। ଗତ ଆର୍ଥିକ ବର୍ଷରେ ୨୦୨୨-୨୩ ର ସମାନ ଅବଧିରେ ଆର୍ଥିକ ନିଅଣ୍ଟ ୧୪.୫୩ ଲକ୍ଷ କୋଟି ଥିଲା।


 ସିଜିଏ ଜାରି କରିଥିବା ସୂଚନା ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଭାରତ ସରକାରଙ୍କ ମୋଟ ଖର୍ଚ୍ଚ ୩୭.୪୭ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଗତ ବର୍ଷ ସମାନ ଅବଧିରେ ୩୪.୯୪ ଲକ୍ଷ କୋଟି ଟଙ୍କା ଥିଲା।

ସେହିପରି ପୁଞ୍ଜି ବ୍ୟୟ କ୍ଷେତ୍ରରେ ସରକାର ଏପ୍ରିଲରୁ ଫେବୃଆରୀ ମଧ୍ୟରେ ୮.୦୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ୨୦୨୩-୨୪ ମସିହାରେ ମୋଟ ୧୦ ଲକ୍ଷ କୋଟି ଟାର୍ଗେଟ୍‌ର ୮୪.୮ ପ୍ରତିଶତ। ପୂର୍ବ ଆର୍ଥିକ ବର୍ଷରେ ସରକାରଙ୍କର ପୁଞ୍ଜିଗତ ବ୍ୟୟ ୫.୯୦ ଲକ୍ଷ କୋଟି ହୋଇଥିଲା। 

ସିଜିଏ ତଥ୍ୟ ଅନୁଯାୟୀ, ଏପ୍ରିଲରୁ ଫେବୃଆରୀ ମଧ୍ୟରେ ସରକାର ଟ୍ୟାକ୍ସ ମାଧ୍ୟମରେ ଗ୍ରହଣ କରିଥିବା ରାଜସ୍ୱ ୧୮.୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ମୋଟ ଲକ୍ଷ୍ୟର ୭୯.୬ ପ୍ରତିଶତ। ଏହାପୂର୍ବ ଆର୍ଥିକ ବର୍ଷରେ, ଏପ୍ରିଲରୁ ଫେବୃଆରୀ ମଧ୍ୟରେ ଆର୍ଥିକ ବର୍ଷରେ ମୋଟ ୧୭.୩୨ ଲକ୍ଷ କୋଟି ଟଙ୍କା ଟ୍ୟାକ୍ସ ସଂଗ୍ରହ ହୋଇଥିଲା। 

ଏପ୍ରିଲରୁ ଫେବୃଆରୀ ମଧ୍ୟରେ ସରକାରଙ୍କ ମୋଟ ରିସିପ୍ଟ ୨୨.୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ମୋଟ ଲକ୍ଷ୍ୟର ୮୧.୫ ପ୍ରତିଶତ। ଏହି ସମୟ ମଧ୍ୟରେ ସରକାରଙ୍କ ଅଣ-ଟିକସ ରାଜସ୍ୱ ୩.୬ ଲକ୍ଷ କୋଟି ଟଙ୍କା ହୋଇଛି, ଏହା ମୋଟ ଲକ୍ଷ୍ୟର ୯୫.୯ ପ୍ରତିଶତ। ସରକାରଙ୍କର ରିସିପ୍ଟ ଏବଂ ମୋଟ ଖର୍ଚ୍ଚରେ ୭.୩୨ ଲକ୍ଷ କୋଟି ଟଙ୍କା ପାର୍ଥକ୍ୟ ରହିଛି, ଯାହା ସମଗ୍ର ବର୍ଷ ପାଇଁ ଲକ୍ଷ୍ୟର ୮୭ ପ୍ରତିଶତ ବୋଲି ସିଜିଏ ରିପୋର୍ଟରେ ଦର୍ଶାଯାଇଛି। 

୧ ଫେବୃଆରୀ  ୨୦୨୪ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ୨୦୨୩-୨୪ ସରକାର ଫିସକାଲ ଡେଫିସିଟ୍‌କୁ ଜିଡିପିର ୫.୮ ପ୍ରତିଶତରେ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଏବଂ ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ୫.୧ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.