LIVE TV

ଭାରତର ମହଙ୍ଗା ଟ୍ରେନର ଜାଣି ରଖନ୍ତୁ ସୁବିଧା, ଏଥିରେ ବୃନ୍ଦାବନ ଯାତ୍ରା କରିଛନ୍ତି ରାଷ୍ଟ୍ରପତି

NEWS7
gfx

ନୂଆଦିଲ୍ଲୀ ୨୫।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ‘ମହାରାଜା ଏକ୍ସପ୍ରେସ୍’ରେ ବୃନ୍ଦାବନ ଯାତ୍ରା କରିଛନ୍ତି। ଭାରତୀୟ ରେଳଙ୍କ ଏହି ଟ୍ରେନ ବିଶ୍ୱର ସବୁଠୁ ମହଙ୍ଗା ଟ୍ରେନ ମଧ୍ୟରେ ଏକ, ତଥା ଏଥିରେ ଥିବା ସୁବିଧା ସୁଯୋଗ କୌଣସି ବିଳାଶମୟ ପଞ୍ଚତାରକା ହୋଟେଲ ଠାରୁ କମ୍ ନୁହେଁ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଏହି ଟ୍ରେନର ରୁଟ ଓ ଏହାର ଭଡ଼ା ତେବେ ଏଠାରେ ଜାଣି ନିଅନ୍ତୁ।

ମହାରାଜା ଏକ୍ସପ୍ରେସକୁ ଭାରତର ସବୁଠୁ ବିଳାଶମୟ ଟ୍ରେନ କୁହାଯାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୃନ୍ଦାବନ ଗସ୍ତ ଲାଗି ଭାରତୀୟ ରେଳ ଗୁରୁବାର ଏହି ଟ୍ରେନକୁ ଉପଯୋଗ କରିଥିଲେ। ଏହା ପରେ ଦେଶରେ ଟ୍ରେନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହି ଟ୍ରେନରେ ଯାତ୍ରା ଏକ ରାଜକୀୟ ଅନୁଭବ ପ୍ରଦାନ କରିଥାଏ। ଏହାର କୋଚ୍ ଗୁଡିକ କୌଣସି ରାଜମହଲର କକ୍ଷଠାରୁ କମ୍ ନୁହେଁ। ଏହି ଟ୍ରେନର ପ୍ରତ୍ୟେକ ବଗିରେ ଆଧୁନିକ ସୁବିଧା, ଉନ୍ନତ ଇଣ୍ଟେରିୟର ଓ ଆରମପ୍ରଦ ଯାତ୍ରାର ଆନନ୍ଦ ଦେଇଥାଏ। ଏଥିରେ ଡିଲକ୍ସ ରୁମ, ଜୁନିୟର ସୁଇଟ୍ ଓ ପ୍ରେସିଡେନ୍ସିଆଲ ସୁଇଟ୍ ଭଳି ସୁବିଧା ରହିଛି।

ଏହି ଟ୍ରେନରେ ଭାରତୀୟ ଓ ଅନ୍ତର୍ଜାତୀୟ ବ୍ୟଞ୍ଚନ ପରସା ଯାଏ। ଏହା ଛଡା ଏଥିରେ ବାର, ଲାଉଞ୍ଜ ଓ ପାନାରୋମିକ ଭ୍ୟୁ ନିମନ୍ତେ ଝରକାରେ ବଡ଼ ବଡ଼ କାଚ ଲଗାଯାଇଛି। ମହାରାଜା ଏକ୍ସପ୍ରେସ୍ ରେ ଯାତ୍ରା ପର୍ଯ୍ୟଟକଙ୍କୁ ଭାରତୀୟ ସଂସ୍କୃତି ଓ ରାଜକୀୟ ଥାଟ ବାଟର ଅଭିଜ୍ଞତା ପ୍ରଦାନ କରେ। ଏହି ଟ୍ରେନର ବଗି ଗୁଡିକ କୌଣସି ମହଙ୍ଗା ହୋଟେଲର କକ୍ଷ ଠାରୁ କମ୍ ନୁହେଁ ତଳେ କାର୍ପେଟ ବିଛା ଯାଇଥିବା ବେଳେ ପ୍ରତ୍ୟେକ କୋଚ୍ ରେ ଆରାମପ୍ରଦ ଫର୍ଣ୍ଣିଚର, ପ୍ରାଇଭେଟ ବାଥରୁମ ଓ ଲାଉଞ୍ଜ ସୁବିଧା ମିଳିଥାଏ।

ଏହି ଟ୍ରେନରେ ଯାତ୍ରା କାଳରେ ଖାଇବାର କୌଣସି ଚିନ୍ତା ନଥାଏ। କାରଣ ଏହି ଟ୍ରେନରେ ଫାଇଭଷ୍ଟାର ରେଷ୍ଟୁରାଣ୍ଟ ଭଳି ଡାଇନିଂ ସୁବିଧା ରହିଛି। ଟ୍ରେନ ଭିତରେ ରେଷ୍ଟୁରାଣ୍ଟ ଭଳି ପରିବେଶ ମିଳିଥାଏ। ଯାତ୍ରୀ ଭାରତୀୟ ଓ ଅନ୍ତର୍ଜାତୀୟ ବ୍ୟଞ୍ଜନର ସ୍ୱାଦ ନେଇ ପାରନ୍ତି। ଏହା ସହିତ ଏଥିରେ ଥିମ ଡିନର ଓ ରାଜକୀୟ ଖାଦ୍ୟର ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ। ଏଣୁ ଏହି ଟ୍ରେନରେ ଭ୍ରମଣ ଅଧିକ ସ୍ମରଣୀୟ ହୋଇଥାଏ।

ଏହି ଟ୍ରେନରେ ଯାତ୍ରା ପାଇଁ ଅଲଗା ଅଲଗା ପ୍ୟାକେଜ ସୁବିଧା ରହିଛି।ଏଥିରେ ବୈଭବ ପ୍ୟାକେଜରେ ଯାତ୍ରୀଙ୍କୁ ୬ ରାତ୍ରି, ୭ ଦିନ ଯାତ୍ରାରେ ୨୭୨୪ କିଲୋମିଟର ଭ୍ରମଣର ସୁବିଧା ମିଳିଥାଏ।  ଏଥି ପାଇଁ ଡିଲକ୍ସ କ୍ୟାବିନ ପ୍ୟାକେଜ୍ ୬,୯୨,୨୫୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଏଥିରେ ଜୁନିୟର ସୁଇଟ ପାଇଁ ୮,୮୭,୫୦୦ ଟଙ୍କା ଭଡ଼ ପଡୁଥିବା ବେଳେ ପ୍ରେସିଡେନ୍ସିଆଲ ସୁଇଟ୍ ପାଇଁ ୨୨,୧୮,୭୫୦ ଟଙ୍କା ଭଡ଼ା ପଡିଥାଏ। ସେହିପରି ଭାରତୀୟ ଐତିହ୍ୟ ପ୍ୟାକେଜରେ ଡିଲକ୍ସ କ୍ୟାବିନ ଭଡ଼ା ୫,୨୩,୬୩୦ ଟଙ୍କା ହୋଇଥିବା ବେଳେ ଜୁନିୟର ସୁଇଟ୍ ୭,୯୮, ୭୫୦ ଟଙ୍କା ଓ  ପ୍ରେସିଡେନ୍ସିଆଲ ସୁଇଟ୍ ୨୨,୧୮,୭୫୦ ଟଙ୍କା ରହିଛି।

ମହାରାଜା ଏକ୍ସପ୍ରେସ ରାଜକୀୟ ଅନୁଭବ ଦେଇଥାଏ। ଏହି ଟ୍ରେନ ର ଗୋଟିଏ ରୁଟ ଦିଲ୍ଲୀରୁ ବାହାରି ,ଆଗ୍ରା, ରଣଥମ୍ବୋର, ଜୟପୁର, ବିକାନେର, ଯୋଧପୁର, ଉଦୟପୁର ଦେଇ ମୁମ୍ବାଇ ପହଞ୍ଚିଥାଏ। ସେହିପରି ଭାରତୀୟ ପାନାରୋମା ରୁଟ ଦିଲ୍ଲୀରୁ ବାହାରି ଜୟପୁର, ରଣଥମ୍ବୋର, ଫତେହପୁର ସିକ୍ରି, ଆଗ୍ରା, ଓରଛା, ଖଜୁରାହୋ, ବାରଣାସୀ ଦେଇ ଦିଲ୍ଲୀ ଫେରିଥାଏ। ଇଣ୍ଡିଆନ ହେରିଟେଜ ରୁଟରେ ଟ୍ରେନ ମୁମ୍ବାଇରୁ ବାହାରି ଉଦୟପୁର, ଯୋଧପୁର, ବିକାନେର, ଜୟପୁର, ରଣଥମ୍ବୋର, ଆଗ୍ରା ଦେଇ ଦିଲ୍ଲୀ ପହଞ୍ଚି ଥାଏ। ସେହିପରି ଇଣ୍ଡିଆନ ଟ୍ରେଜର ରୁଟ ଦିଲ୍ଲୀରୁ ବାହାରି ଆଗ୍ରା, ରଣଥମ୍ବୋର, ଆଗ୍ରାରୁ ପୁଣି ଦିଲ୍ଲୀ ପହଞ୍ଚି ଥାଏ।