India–New Zealand FTA: ଦୀର୍ଘ ୧୬ ବର୍ଷ ପରେ ଶେଷରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଛି ମୁକ୍ତ ବାଣିଜ୍ୟ ଚୁକ୍ତି, ବା ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟ। ସୋମବାର (୨୭ ଏପ୍ରିଲ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ ମନ୍ତ୍ରୀ ଟଡ୍ ମ୍ୟାକକ୍ଲେ ଉଭୟ ଏଫ୍‌ଟିଏ ସର୍ତ୍ତରେ ସ୍ୱାକ୍ଷର କରି ସହମତି ପ୍ରକାଶ କରିଛନ୍ତି।

ଏବେ, ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ପଠାଯାଉଥିବା ଚମଡ଼ା ଉତ୍ପାଦ, କପଡ଼ା, ପ୍ଲାଷ୍ଟିକ୍ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଉପରେ କୌଣସି ରପ୍ତାନି ଶୁଳ୍କ ଲାଗିବ ନାହିଁ। ଫଳରେ ଭାରତରେ ଏହି ଶ୍ରମ-କେନ୍ଦ୍ରିକ କ୍ଷେତ୍ରଗୁଡ଼ିକ ସିଧାସଳଖ ଲାଭବାନ ହେବେ।

ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଏହାକୁ ପିଢ଼ିରେ ଥରେ ହେଉଥିବା ଚୁକ୍ତି ବୋଲି କହିଥିବା ବେଳେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ଭାରତ-ନ୍ୟୁଜିଲ୍ୟାଣ୍ଡ ଆର୍ଥିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି କହିଛନ୍ତି। ପୀୟୁଷ ଗୋୟଲ କହିଛନ୍ତି ଯେ ଏହି ଏଫ୍‌ଟିଏ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ସମାନ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହି ଚୁକ୍ତିନାମା ଭାରତ ପାଇଁ ଓସେନିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ବଜାରରେ ପ୍ରବେଶ ପାଇଁ ଏକ ପ୍ରବେଶପଥ ଭାବରେ ମଧ୍ୟ କାର୍ଯ୍ୟ କରିବ।

Alos Read- India’s Swadeshi Bullet Train: ଖୁବ୍‌ଶୀଘ୍ର ଆସୁଛି ଭାରତର ପ୍ରଥମ ସ୍ୱଦେଶୀ ବୁଲେଟ ଟ୍ରେନ୍: ବଦଳିଯିବ ରେଳବାଇର ପରିଚୟ

ନ୍ୟୁଜିଲ୍ୟାଣ୍ଡ ୧୫ ବର୍ଷ ମଧ୍ୟରେ ଭାରତରେ ୧.୮ ଲକ୍ଷ କୋଟି ଟଙ୍କା ନିବେଶ କରିବ
• ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଏବଂ ଭାରତରେ ବିପୁଳ ପରିମାଣର ବିଦେଶୀ ନିବେଶକୁ ଆକର୍ଷିତ କରିବା।
• ଏହି ଚୁକ୍ତିନାମା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାର (ପ୍ରାୟ ₹୧.୮ ଲକ୍ଷ କୋଟି) ନିବେଶ କରିବ ବୋଲି ଆଶା କରାଯାଉଛି।
• ପୀୟୁଷ ଗୋୟଲ କହିଛନ୍ତି ଯେ ଏହି ଚୁକ୍ତିନାମା ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ, ବିଶେଷକରି ଆଗ୍ରାର ଚମଡା ରପ୍ତାନିକାରୀଙ୍କ ପାଇଁ ବିପୁଳ ସୁଯୋଗ ଖୋଲିବ।

୫,୦୦୦ ଭାରତୀୟ ପ୍ରଫେସନାଲଙ୍କୁ ୱାର୍କିଂ ଭିସା ମିଳିବ
ଭାରତ ସେବା କ୍ଷେତ୍ରରେ, ଆଇଟି, ଶିକ୍ଷା, ଆର୍ଥିକ ସେବା, ନିର୍ମାଣ ଏବଂ ପର୍ଯ୍ୟଟନ ଭଳି ଉଚ୍ଚ-ମୂଲ୍ୟ କ୍ଷେତ୍ରଗୁଡ଼ିକରେ ବଜାର ପ୍ରବେଶର ଦକ୍ଷତା ହାସଲ କରିଛି। ଏହି ଚୁକ୍ତିନାମା ଆୟୁଷ(AYUSH), ଯୋଗ ପ୍ରଶିକ୍ଷକ, ଭାରତୀୟ ରୋଷେୟା ଏବଂ ସଙ୍ଗୀତ ଶିକ୍ଷକଙ୍କ ପାଇଁ ମଧ୍ୟ ସୁଯୋଗ ଖୋଲିବ।

ଏଫ୍ଟିଏରେ ଏକ ନୂଆ ଅସ୍ଥାୟୀ ନିଯୁକ୍ତି ପ୍ରବେଶ ଭିସା ମାର୍ଗ ସୃଷ୍ଟି କରାଯାଇଛି, ଯାହା ପ୍ରତିବର୍ଷ ୫,୦୦୦ ଭାରତୀୟ ଦକ୍ଷ ବୃତ୍ତିଗତଙ୍କୁ ନ୍ୟୁଜିଲ୍ୟାଣ୍ଡରେ ତିନି ବର୍ଷ ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ମିଳିବ।

ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ ବିଶେଷ ସୁଯୋଗ ରହିବ। ଏହା ବ୍ୟତୀତ, ଭାରତୀୟ ମଦ ଏବଂ ସ୍ପିରିଟ୍ ନ୍ୟୁଜିଲ୍ୟାଣ୍ଡ ବଜାରରେ ଶୁଳ୍କମୁକ୍ତ ପ୍ରବେଶ ପାଇବ।

Also Read- US Anti-Dumping Duty on Indian Solar: ଭାରତୀୟ ସୋଲାର ପ୍ୟାନେଲ୍ ରପ୍ତାନିକାରୀଙ୍କୁ ବଡ଼ ଧକ୍କା, ଆମେରିକା ଲାଗୁ କଲା ୧୨୩% ଆଣ୍ଟି-ଡମ୍ପିଂ ଡ୍ୟୁଟି

ନ୍ୟୁଜିଲାଣ୍ଡକୁ କୃଷି ଉତ୍ପାଦ ଉପରେ ରିହାତି ମିଳିଛି, କିନ୍ତୁ ଦୁଗ୍ଧ ଉପରେ କୌଣସି ଛାଡ଼ ନାହିଁ

ଭାରତ ନ୍ୟୁଜିଲାଣ୍ଡକୁ ଭାରତୀୟ ବଜାରରେ ପ୍ରବେଶ ଦେବା ପାଇଁ ଏହାର ୭୦% ଟାରିଫ୍ ଲାଇନ ଖୋଲି ଦେଇଛି। ଏଥିରେ ସେଓ, କିୱିଫୁଟ୍ ଏବଂ ମାନୁକା ମହୁ ଭଳି କୃଷି ଉତ୍ପାଦ ଉପରେ ଟାରିଫ୍ ରିହାତି ରଖାଯାଇଛି। କିନ୍ତୁ ଏଗୁଡ଼ିକ କୋଟା ସୀମା ଏବଂ ସର୍ବନିମ୍ନ ଆମଦାନୀ ମୂଲ୍ୟ ଉପରେ ନିର୍ଭର କରିବ।

ଏହାସହିତ, ନ୍ୟୁଜିଲାଣ୍ଡ ୫୪%ରୁ ଅଧିକ ସାମଗ୍ରୀ ଭାରତକୁ ବିନା ଶୁଳ୍କରେ ରପ୍ତାନୀ କରିପାରିବ। ଏଥିରେ ମେଣ୍ଢା ମାଂସ, ପଶମ, କୋଇଲା ଏବଂ ଜଙ୍ଗଲଜାତ ଉତ୍ପାଦ ସମେତ ଆଦି ସାମଗ୍ରୀ ରହିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ସାମୁଦ୍ରିକ ଖାଦ୍ୟ, ଲୁହା, ଇସ୍ପାତ ଏବଂ ଆଲୁମିନିୟମ୍ ସ୍କ୍ରାପ୍ ଉପରେ ଟାରିଫ୍ ଧୀରେ ଧୀରେ ଉଚ୍ଛେଦ କରାଯିବ। ତେବେ ଭାରତ ନିଜର ଘରୋଇ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ, ଦୁଗ୍ଧଜାତ ଦ୍ରବ୍ୟ (ଦୁଗ୍ଧ, କ୍ରିମ୍, ପନିର ଇତ୍ୟାଦି), ପିଆଜ, ଡାଲି, ଚିନି, ଅସ୍ତ୍ରଶସ୍ତ୍ର-ଗୋଳାବାରୁଦ ଏବଂ କିଛି ଧାତୁ ଭଳି ସମ୍ବେଦନଶୀଳ କ୍ଷେତ୍ରକୁ ରିହାତି ତାଲିକାରୁ ବାଦ ଦେଇଛି।

ଏହି ଚୁକ୍ତିରେ ଭାରତ କଣ ପାଇଲା?

ଭାରତ ପାଇଁ ସବୁଠାରୁ ବଡ଼ ଲାଭ ହେଲା ଏହାର ସମସ୍ତ ୮,୨୮୪ ରପ୍ତାନି ଉତ୍ପାଦ ପ୍ରଥମ ଦିନରୁ ହିଁ ନ୍ୟୁଜିଲାଣ୍ଡ ବଜାରରେ ସମ୍ପୂର୍ଣ୍ଣ ଶୁଳ୍କମୁକ୍ତ ହେବ। ତେବେ ଚୁକ୍ତି ପୂର୍ବରୁ, ଭାରତୀୟ ରପ୍ତାନିରେ ହାରାହାରି ୨.୨% ଶୁଳ୍କ ଲାଗୁ ହେଉଥିଲା, କିଛି ଶ୍ରମ-ଭାରୀ କ୍ଷେତ୍ର ଯେପରିକି ବୟନ ଏବଂ ଚମଡା ଉପରେ ୧୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରୁଥିଲା ନ୍ୟୁଜିଲାଣ୍ଡ। ହେଲେ ଏବେ ଏହା ଶୂନ୍ୟ ଶୁଳ୍କ ହୋଇଯିବ। ଫଳରେ ଭାରତର ପୋଷାକ, ଚମଡା, ଇଞ୍ଜିନିୟରିଂ ସାମଗ୍ରୀ, ରାସାୟନିକ ପଦାର୍ଥ, ଇଲେକ୍ଟ୍ରୋନିକ୍ସ ଏବଂ ଖାଦ୍ୟ ଉତ୍ପାଦ ଭଳି କ୍ଷେତ୍ରକୁ ଲାଭବାନ ହେବେ। ଭାରତୀୟ ଔଷଧୀୟ ଉତ୍ପାଦକୁ ମଧ୍ୟ ସହଜରେ ପ୍ରବେଶ ମିଳିବ। ଏଥିରେ ଦୁଗ୍ଧଜାତ ଦ୍ରବ୍ୟ, ଖାଦ୍ୟ ତେଲ, ଚିନି, ପିଆଜ ଏବଂ ଡାଲି ପରି ପନିପରିବା ଏବଂ ମଣି ଏବଂ ଅଳଙ୍କାର ଏବଂ ଧାତୁ ଭଳି କ୍ଷେତ୍ର ସାମିଲ ରହିଛି।

ଦୁଇ ଦେଶ ମଧ୍ୟରେ ଏଫ୍‌ଟିଏ ପାଇଁ ଆଲୋଚନା ୨୦୧୦ରେ ଆରମ୍ଭ ହୋଇଥିଲା। ଏବଂ ୨୦୨୫ ମସିହାରେ ଏହା ଚୂଡ଼ାନ୍ତ ହୋଇଥିଲା। ଆଉ ୨୦୨୬ ଏପ୍ରିଲ ୨୭ ତାରିଖ ସୋମବାର ଏହି ଚୁକ୍ତି ଉପରେ ହସ୍ତାକ୍ଷର ହୋଇଛି।

• ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ୨୦୧୦ ମସିହାରେ ଆରମ୍ଭ ହୋଇଥିଲା। ୯ ପର୍ଯ୍ୟାୟ ଆଲୋଚନା ପରେ ୨୦୧୫ ମସିହାରେ ଏହାକୁ ବନ୍ଦ କରାଯାଇଥିଲା।
• ଏହା ପରେ ପୁଣି ମାର୍ଚ୍ଚ ୨୦୨୫ରେ ଏହି ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଥିଲା, ଏବଂ ଦୁଇ ଦେଶର ପ୍ରତିନିଧିତଙ୍କ ଦ୍ୱାରା ଏକାଧିକ ଥର ଆଲୋଚନା ହେବା ପରେ ୨୨ ଡିସେମ୍ବର ୨୦୨୫ରେ ଆଲୋଚନା ସଫଳ ହୋଇଥିଲା।
• ଏହି ଚୁକ୍ତିରେ ମୋଟ ୨୦ ଟି ଚ୍ୟାପ୍ଟେର ରହିଛି, ଯେଉଁଥିରେ ସାମଗ୍ରୀ, ସେବା, ଉତ୍ପତ୍ତି ନିୟମ, ବୈଷୟିକ ପ୍ରତିବନ୍ଧକ ଏବଂ କଷ୍ଟମ୍ ପ୍ରୋସେସ୍ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ସାମିଲ କରାଯାଇଛି।