LIVE TV

ୟୁ୍କ୍ରେନ ସେନା ହାତରେ ଭାରତୀୟ ଯୁବକ, ଋଷିଆ ପକ୍ଷରୁ ଲଢୁଥିଲା ଯୁଦ୍ଧ, Watch Video

NEWS7
gfx

କିଭ୍ ୮।୧୦: ୟୁକ୍ରେନ ସେନା ଏକ ବୟାନରେ ୨୨ ବର୍ଷ ବୟଷ୍କ ଜଣେ ଭାରତୀୟ ନାଗରିକକୁ ଗିରଫ କରିଥିବା ଦାବି କରିଛି। ଏହି ଯୁବକ ଜଣକ ଋଷିଆ ସେନା ପକ୍ଷରୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ଗିରଫ ହୋଇଛି। ୟୁକ୍ରେନ ସେନାର ୬୩ତମ ମେକାନାଇଜଡ୍ ବ୍ରିଗେଡ ପକ୍ଷରୁ ଜାରି ବୟାନରେ ଯୁବକ ଜଣକ ଗୁଜରାଟ ମୋରବୀର ଓ ତା ନାମ ମଜୋତି ସାହିଲ ମହମ୍ମଦ ହୁସେନ ବୋଲି କୁହାଯାଇଛି। ସେ ଜଣେ ଛାତ୍ର ଓ ଋଷିଆର ଏକ ବିଶ୍ୱବିଦ୍ୟାଳୟକୁ ପଢିବାକୁ ଆସିଥିବା ବେଳେ ସେ ସେନାରେ ଯୋଗ ଦେଇଛି।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ କିଭ ସ୍ଥିତ ଭାରତୀୟ ଦୂତାବାସ ଏବେ ଏହି ରିପୋର୍ଟର ସତ୍ୟତା ଯାଞ୍ଚ କରୁଛନ୍ତି। ଖବର ଅନୁସାରେ ଏ ପର୍ଯ୍ୟନ୍ତ ଭାରତକୁ ୟୁକ୍ରେନ କୌଣସି ଔପଚାରିକ ସୂଚନା ଦେଇ ନାହିଁ। ୟୁକ୍ରେନୀୟ ସେନା ହୁସେନର ଏକ କଥିତ ଭିଡିଓ କ୍ଲିପ୍ ଜାରି କରିଛି। ଏଥିରେ ତାକୁ ଡ୍ରଗସ୍ ସମ୍ପର୍କିତ ମାମଲାରେ ଋଷିଆ ଜେଲରେ ୭ ବର୍ଷ ଜେଲ ଦଣ୍ଡ ମିଳିଥିବା ଯୁବକ ଋଷୀୟ ଭାଷାରେ କହୁଛି। ତାକୁ ପରବର୍ତ୍ତି ଦଣ୍ଡରୁ ବର୍ତ୍ତିବା ଲାଗି ଋଷିଆ ସେନା ସହିତ କଣ୍ଟ୍ରାକ୍ଟ କରିବାକୁ ଏକ ସୁଯୋଗ ଦିଆଯାଇଥିଲା।

ହୁସେନ କହିଛି ଯେ ସେ ଜେଲରେ ରହିବାକୁ ଚାହୁଁ ନଥିଲା ଏଣୁ ସ୍ୱତନ୍ତ୍ର ସୈନ୍ୟ ଅଭିଯାନ ଲାଗି ଏକ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଛି, କାରଣ ମୁଁ କେବଳ ସେଠାରୁ ବାହାରକୁ ବାହାରିବାକୁ ଚାହୁଁଥିଲି। ୟୁକ୍ରେନ ପକ୍ଷରୁ ଜାରି ଭିଡିଓରେ ହୁସେନ କହିଛି ଯେ ୧୬ ଦିନର ଟ୍ରେନିଂ ପରେ ତାକୁ ୧ ଅକ୍ଟୋବରରେ ପ୍ରଥମ ଯୁଦ୍ଧ ମିସନରେ ପଠାଯାଇଥିଲା। ଏଥିରେ ସେ ୩ ଦିନ ପର୍ଯ୍ୟନ୍ତ କାମ କରିଛି। କମାଣ୍ଡର ସହିତ ତାର ଝଗଡା ହେବାରୁ ସେ ୟୁକ୍ରେନର ମେକାନାଇଜଡ ବ୍ରିଗେଡ ନିକଟରେ ଆତ୍ମସମର୍ପଣ କରିଦେଇଛି।

ତେବେ ଋଷିଆ ସେନାରେ ଭାରତୀୟ ଯୁବକ କାମ କରିବା ନୂଆ କଥା ନୁହେଁ। ଭାରତ ସମେତ କେତେକ ଦେଶର ନାଗରିକଙ୍କୁ ନିଯୁକ୍ତି ଓ ଅନ୍ୟ ଅବସର ପ୍ରତିଶ୍ରୁତି ଦେଇ ଋଷିଆ ନେଇଯିବା ଓ ସେଠାରେ ଋଷୀୟ ସେନାରେ ନିଯୁକ୍ତି କରାଯିବା ଖବର ପ୍ରାୟତଃ ଆସୁଛି। ଋଷୀୟ ସେନାରେ କାମ କରୁଥିବା ଏପରି ଭାରତୀୟଙ୍କ ସଂଖ୍ୟା ୧୨୬ ବୋଲି ଭାରତ ସରକାର ଗତ ଜାନୁୟାରୀରେ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରୁ ୯୬ ଜଣଙ୍କୁ ଫେରାଇ ଅଣାଯାଇଥିବା ବେଳେ ୧୨ ଜଣ ପ୍ରାଣ ହରାଇଛନ୍ତି ଓ ୧୬ ଜଣ ନିଖୋଜ ଅଛନ୍ତି।

ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଆଉ କିଛି ଭାରତୀୟଙ୍କୁ ଋଷୀୟ ସେନାରେ ଭର୍ତ୍ତି କରାଯାଇଥିବା ଖବର ଆସିଛି। ଏହି ସୂଚନା ଆମକୁ ସେମାନଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ମିଳିଛି। ତେବେ ଆମେ ଋଷିଆରେ ଥିବା ଆମ ମିସନ ଓ ମସ୍କୋ ଅଧିକାରୀଙ୍କ ଆଗରେ ଏହି ପ୍ରସଙ୍ଗକୁ ଗୁରୁତର ସହ ରଖିଛୁ ଏବଂ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ । ଏଥିରେ ପାଖାପାଖି ୨୭ ଭାରତୀୟ ଅଛନ୍ତି  ଓ ଋଷୀୟ ସେନାରୁ ସେମାନଙ୍କୁ ବାହାର କରିବାକୁ ଉଦ୍ୟମ କରୁଛୁ।