News7 Logo

ୟୁଏଇରେ ଭାରତୀୟ ଯୁବକଙ୍କ ଫିଟିଲା ଭାଗ୍ୟ, ଜିତିଲେ ୩୫ କୋଟି ଟଙ୍କାର ଲଟେରୀ

NEWS7

ନୂଆଦିଲ୍ଲୀ: ୟୁଏଇର ଆବୁଧାବିରେ ରହୁଥିବା ଜଣେ ପ୍ରବାସୀ ଭାରତୀୟଙ୍କ ଜୀବନ ରାତାରାତି ବଦଳି ଯାଇଛି । ୩୦ ବର୍ଷୀୟ ସନ୍ଦୀପ କୁମାର ପ୍ରାୟ ୩୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି । ଲଟେରୀରେ ଏତେ ଟଙ୍କା ଜିତିବା ପରେ ସନ୍ଦୀପ ଏବେ ଭାରତ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମିଡିଆକୁ ପ୍ରତିକ୍ରିୟା ବେଳେ ସନ୍ଦୀପଙ୍କ ଖୁସି ବେଶ ବାରି ହେଉଥିଲା ।

ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ସନ୍ଦୀପ କୁମାର ଗତ ତିନି ବର୍ଷ ଧରି ୟୁଏଇରେ ରହିଆସୁଛନ୍ତି । ସେ ଦୁବାଇ ଡ୍ରାଇଡକ୍ସରେ ଟେକ୍ନିସିଆନ ରୂପେ କାମ କରନ୍ତି । ତାଙ୍କ ପତ୍ନୀ, ଦୁଇ ଭାଇ, ଭଉଣୀ ଓ ବାପା ଗାଁରେ ବାସ କରନ୍ତି । ବାପାଙ୍କ ଦେହ ଖରାପ ରହୁଥିବାରୁ ସିନ୍ଦୀପ ଚିନ୍ତିତ ରହୁଥିଲେ, କିନ୍ତୁ ଲଟେରୀ ଜିତିବା ପରେ ତାଙ୍କୁ ବଳ ମିଳିଛି । ଏବେ ଭାରତ ଫେରି ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରୁଛନ୍ତି ।

ସନ୍ଦୀପ କହିଛନ୍ତି, ଜଣେ ବନ୍ଧୁଙ୍କ ଜରିଆରେ ଆବୁ ଧାବି ବିଗ୍ ଟିକଟ ଜ୍ୟାକପଟ୍ କଥା ଜାଣିଥିଲେ । ଗତ ତିନି ମାସ ଧରି ଲଗାତାର ଲଟେରୀ ଟିକଟ କିଣୁଥିଲେ । ଅଗଷ୍ଟ ୧୯ରେ ସନ୍ଦୀପ ଓ ତାଙ୍କ ୧୯ ଜଣ ସାଙ୍ଗ ଲକି ଟିକଟ ନମ୍ୱର ୨୦୦୬୬୯ କିଣିଥିଲେ । ସେପ୍ଟେମ୍ୱର ୩ରେ ଡ୍ର’ ଖୋଲିଥିଲା ଓ ତାଙ୍କ ନମ୍ୱର ବାହାରିଥିଲା । ଲାଇଭ୍ ଶୋ’ ବେଳେ ଫୋନ କରି ତାଙ୍କୁ ଏହି ସୂଚନା ଦିଆଯାଇଥିଲା, କିନ୍ତୁ ସେ ବିଶ୍ୱାସ କରିନଥିଲେ । କିନ୍ତୁ ହୋଷ୍ଟ ବିଶ୍ୱାସ ଦେଇ ୧୫ ମିଲିୟନ ଦିହରମର ଲକି ଡ୍ର’ ଜିତିଥିବା କହିଥିଲେ । ସନ୍ଦୀପଙ୍କ ବ୍ୟତୀତ ଅନ୍ୟ ଛଅ ଜଣ ୧୦୦,୦୦୦ ଦିହରନ ଜିତିଥିଲେ ।