ନୂଆଦିଲ୍ଲୀ ୨୭।୯: ଚୀନ୍ ଓ ପାକିସ୍ତାନ ସୀମାରେ ଆକାଶୀୟ ସୁରକ୍ଷାକୁ ଦୃଢ କରିବା ପାଇଁ ଭାରତୀୟ ସେନା ‘ଅନନ୍ତ ଅସ୍ତ୍ର’ ମୁତୟନ କରିବ। ଏଥି ପାଇଁ ସରକାର ସ୍ୱଦେଶୀ ରୂପେ ବିକଶିତ ସରଫେସ୍ ଟୁ ଏୟାର ମିଜାଇଲ ପ୍ରଣାଳୀର ୫ରୁ ୬ଟି ରେଜିମେଣ୍ଟ କିଣିବା ପାଇଁ ସରକାରୀ କମ୍ପାନୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ)କୁ ଟେଣ୍ଡର ଜାରି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅନନ୍ତ ଅସ୍ତ୍ର କ’ଣ ଓ କାହିଁକି ଏହା ଖାସ?    

ଭାରତୀୟ ସେନା ସ୍ୱଦେଶୀ ରୂପେ ବିକଶିତ ସରଫେସ୍ ଟୁ ଏୟାର ମିଜାଇଲ ପ୍ରଣାଳୀ କ୍ରୟ ନିମନ୍ତେ ବିଇଏଲକୁ ଟେଣ୍ଡର ଜାରି କରିଛି। ଏହି ପ୍ରକଳ୍ପ ଉପରେ ପାଖାପାଖି ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ‘ଅପରେସନ ସିନ୍ଦୂର’ ପରେ ପରେ ରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଏହି କ୍ରୟ ପ୍ରସ୍ତାବକୁ ମଞ୍ଜୁର କରିଥିଲେ।

ଅନନ୍ତ ଶସ୍ତ୍ର ପ୍ରଣାଳୀ କ’ଣ?
ଅନନ୍ତ ଶସ୍ତ୍ର ସ୍ୱଦେଶୀ ତୁରନ୍ତ ପ୍ରତିକ୍ରିୟା ସର୍ଫେସ ଟୁ ଏୟାର ମିଜାଇଲ (କ୍ୟୁଆରଏସଏଏମ) ସିଷ୍ଟମ। ଏହାକୁ ଡିଆରଡିଓ ଡିଜାଇନ ଓ ବିକଶିତ କରିଛି। ଏହା ଭାରତର ନୂଆ ସରଫେସ ଟୁ ଏୟାର ଡିଫେନ୍ସ ସିଷ୍ଟମ। ଏହା ଭାରତର ସୀମା କ୍ଷେତ୍ର ବିଶେଷ କରି ଚୀନ୍ ଓ ପାକିସ୍ତାନ ସୀମା ନିକଟବର୍ତ୍ତି ଆକାଶୀୟ ଆକ୍ରମଣ ଓ ଡ୍ରୋନ, ସ୍ୱାର୍ମ ଆକ୍ରମଣରୁ ରକ୍ଷା କୁ ଧ୍ୟାନରେ ରଖି ବିକଶିତ କରାଯାଇଛି। 

ଅନନ୍ତ ଶସ୍ତ୍ର ପ୍ରଣାଳୀ କାହିଁକି ଖାସ?
ଅନନ୍ତ ଶସ୍ତ୍ର ଏକ ଅତ୍ୟାଧୁନିକ ମୋବାଇଲ ପ୍ରଣାଳୀ। ଯାହା ୮x୮ ହାଇମୋବିଲିଟି ବାହନରେ ଫିଟ ରହିଛି। ଏହା ଟ୍ୟାଙ୍କ, ବିଏମପିଏସ ଓ ତୋପ ସହିତ ମରୁଭୂମି, ସମତଳ ଅଞ୍ଚଳ ଓ ପାହାଡରେ ବି ମୁତୟନ ହୋଇ ପାରିବ। ଏହା ଚାଲୁଥିବା ବେଳେ ମଧ୍ୟ ଲକ୍ଷ ସନ୍ଧାନ କରିବା ସହ ଟ୍ରାକ କରି ଆକ୍ରମଣ କରିପାରିବ।  ଏହା ସ୍ୱଳ୍ପରୁ ମଧ୍ୟମ ଦୂରରେ ଶତ୍ରୁର ଆକ୍ରମଣକୁ ପଣ୍ଡ କରିପାରିବ। ସ୍ୱଦେଶୀ ଅନନ୍ତ ଶସ୍ତ୍ର ପ୍ରଣାଳୀ ୩୦ କିଲୋମିଟର ରେଞ୍ଜ ମଧ୍ୟରେ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏହା ସେନାର ଏବେକା ଏମଆରଏସଏଏମ ଆକାଶ ପ୍ରଣାଳୀର କ୍ଷମତା ବୃଦ୍ଧି କରିବ। ଏହା ସ୍ୱଳ୍ପରୁ ମଧ୍ୟମ ଦୂରତାରେ ଆକାଶୀୟ ସୁରକ୍ଷା ପ୍ରଦାନ କରିପାରିବ। ଅଧିକାରୀଙ୍କ ଅନୁସାରେ ଏହି ମିଜାଇଲ ପ୍ରଣାଳୀକୁ ଦିନ ଓ ରାତିରେ ଅନେକବାର ପରୀକ୍ଷଣ କରାଯାଇଛି।

କେଉଁଠି ହେବ ମୁତୟନ?
ସେନା ପ୍ରାରମ୍ଭିକ ପର୍ଯ୍ୟାୟରେ ଅନନ୍ତ ଶସ୍ତ୍ରର ୩ଟି ରେଜିମେଣ୍ଟର ପ୍ଲାନ କରିଛି। ପ୍ରତ୍ୟେକ ରେଜିମେଣ୍ଟକୁ ପାକିସ୍ତାନ ଓ ଚୀନ୍ ସହିତ ପଶ୍ଚିମ ଓ ଉତ୍ତର ସୀମାର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ମୁତୟନ କରାଯିବ। ଏହି ୟୁନିଟ୍ ୧୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟମ ଉଚ୍ଚତାରେ ଆକାଶୀୟ ବିପଦରୁ ସୁରକ୍ଷା ଦେବ। ଏପରି କ୍ଷେତ୍ରକୁ ‘ଏୟାର ଲିଟୋରଲ’ କୁହାଯାଏ। ସାଧାରଣତଃ ଏହି ଉଚ୍ଚତାରେ ଶତ୍ରୁର ବିମାନ, ହେଲିକପ୍ଟର ଓ ଡ୍ରୋନ କାମ କରିଥାଏ।

ଭାରତୀୟ ସେନାକୁ କିପରି ମିଳିବ ଲାଭ?
ଦୀର୍ଘ ଦଶନ୍ଧୀରୁ ଭାରତୀୟ ସେନା ଯୁଦ୍ଧ କ୍ଷେତ୍ରରେ ଆକାଶୀୟ ସୁରକ୍ଷା ପାଇଁ ସୋଭିଏତ ନିର୍ମିତ ଓଏଏ-ଏକେ ଓ ସ୍ୱଦେଶୀ ଆକାଶ ଏସଏଏମ ଭଳି ପ୍ରତିରକ୍ଷା ପ୍ରଣାଳୀ ଉପରେ ନିର୍ଭରଶୀଳ। ଏହା ଏବେବି ପ୍ରଭାବୀ, ତେବେ ସଠିକ ନିର୍ଦ୍ଦେଶିତ ଗୋଳା ବାରୁଦ ଓ ଘୁରିବୁଲୁଥିବା ଅସ୍ତ୍ରଭଳି ନୂଆକରି ଦେଖା ଯାଉଥିବା ବିପଦ ଲାଗି ଏକ ପ୍ରତିକ୍ରିୟାଶୀଳ ପ୍ରଣାଳୀର ଆବଶ୍ୟକତା ରହିଛି। ଅନନ୍ତ ଶସ୍ତ୍ରକୁ ବିଶେଷ କରି ଏହି ଉଦ୍ଦେଶ୍ୟରେ ବିକଶିତ କରାଯାଇଛି। ସେନାର ଆକାଶତୀର କମାଣ୍ଡ ଓ କଣ୍ଟ୍ରୋଲ ନେଟୱାର୍କରେ ଇଣ୍ଟିଗ୍ରେଟ୍ ଏହା ନା କେବଳ ସୈନିକ ଓ ଉପକରଣର ସୁରକ୍ଷା କରିବ ବରଂ ମେକାନାଇଜଡ ପ୍ଲାଟୁନ ଆକାଶୀୟ ଆକ୍ରମଣ ଭୟ ବିନା ଆଗକୁ ବଢି ପାରିବେ।