ଭାରତ ଆଗରେ ଆଦୌ ତିଷ୍ଠି ପାରିବନି ପାକିସ୍ତାନ; ଜାଣନ୍ତୁ ଦୁଇ ଦେଶର ମିଲିଟାରୀ କ୍ଷମତା

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ୨୦୧୯ ପୁଲୱାମା ଆକ୍ରମଣ ପରେ ଉପତ୍ୟକାରେ ଏହା ସବୁଠୁ ବଡ଼ ଆତଙ୍କୀ ହମଲା । ପାକିସ୍ତାନ ସ୍ଥିତ ଲସ୍କର-ଏ-ତୋଏବାର ଦ୍ୱାରା ପାଳିତ ଟିଆରଏଫ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ X ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24ର ସ୍କ୍ରିନସଟରେ ଭର୍ତ୍ତି ହୋଇଛି । ଏଥିରେ ପାକିସ୍ତାନ ବାୟୁସେନାର ବିମାନ କରାଚୀର ଦକ୍ଷିଣ ବାୟୁସେନା କମାଣ୍ଡରୁ ଲାହୋର ଏବଂ ରାୱଲପିଣ୍ଡି ନିକଟସ୍ଥ ଉତ୍ତରରେ ଥିବା ଘାଟି ପାଇଁ ଉଡାଣ ଭରୁଥିବା ଦେଖାଯାଉଛି । ଏଗୁଡ଼ିକ ଭାରତ ସୀମା ନିକଟବର୍ତ୍ତୀ ପାକିସ୍ତାନ ବାୟୁସେନାର ନିକଟତମ ବାୟୁସେନା ଘାଟି । ତେବେ ପାକିସ୍ତାନ ଦାବି କରିଛି ଯେ ପହଲଗାମ ଘଟଣା ସହିତ ଏହାର "କୌଣସି ସମ୍ପର୍କ ନାହିଁ"। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଥିଲେ, "ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ପାକିସ୍ତାନର କୌଣସି ସମ୍ପର୍କ ନାହିଁ।"

ତେବେ ଆସନ୍ତୁ ନଜର ପକାଇବା ଦୁଇ ଦେଶ ମିଲିଟାରୀ ଶକ୍ତି ବାବଦରେ

ଶକ୍ତିଶାଳୀ ସେନାର ରାଙ୍କିଂ ଜାରି କରୁଥିବା ଗ୍ଲୋବାଲ୍ ଫାୟାରପାୱର ଇଣ୍ଡେକ୍ସ ୨୦୨୫ ଅନୁସାରେ ଭାରତର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ସେନା ନବମ ସ୍ଥାନରୁ ଖସି ୧୨ତମ ସ୍ଥାନରେ ରହିଛି । ଗ୍ଲୋବାଲ୍ ଫାୟାରପାୱର ଇଣ୍ଡେକ୍ସ ୬୦ରୁ ଅଧିକ କାରକକୁ ନେଇ ନିଜ ରିପୋର୍ଟ ପ୍ରସ୍ତୁତ କରିଥାଏ । ଏଥିରେ ଦେଶର ଜିଡିପି, ଜନସଂଖ୍ୟା, ସୈନ୍ୟ ବଳ ଓ ଦେଶର କ୍ରୟ ଶକ୍ତିକୁ ସାମିଲ କରାଯାଇଥାଏ ।   

ଦୁଇ ଦେଶର ମିଲିଟାରୀ ବଜେଟ୍

ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବା ବେଳେ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ପ୍ରତିରକ୍ଷା ବଜେଟ ୬.୮ ଲକ୍ଷ କୋଟି ଟଙ୍କା (୭୯ ବିଲିୟନ ଡଲାର) ରଖାଯାଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ବଜେଟ ଆକଳନ ଠାରୁ ୯.୫% ଅଧିକ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହାର ପ୍ରତିରକ୍ଷା ବଜେଟ୍ ୧୫୯ ବିଲିୟନ ଟଙ୍କା ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି, ଯାହା ପରେ ଏହାର ଡିଫେନ୍ସ ବଜେଟ୍ ୨,୨୮୧ ବିଲିୟନ ଟଙ୍କା ହେବ ।

ମିଲିଟାରୀ ଶକ୍ତି

ସୈନିକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ୱରେ ଦ୍ୱିତୀୟ । ଏହାର ମୋଟ ସୈନିକ ସଂଖ୍ୟା ୧୪,୫୫,୫୫୦ । ଏହା ସହିତ ଭାରତର ୧୧,୫୫,୦୦୦ ରିଜର୍ଭ ସୈନିକ ଅଛନ୍ତି । ଫାୟାରପାୱାର ଇଣ୍ଡେକ୍ସ ଅନୁସାରେ ପାକିସ୍ତାନୀ ସେନାରେ ସୈନିକ ସଂଖ୍ୟା ୬,୫୪,୦୦୦ । ଭାରତରେ ୨୫,୨୭,୦୦୦ ଅର୍ଦ୍ଧସାମରିକ ବାହିନୀ ଥିବା ବେଳେ ପାକିସ୍ତାନରେ ୫,୦୦,୦୦୦ ଅର୍ଦ୍ଧସାମରିକ ବାହିନୀ ଅଛି । ଭାରତ ପାଖରେ ୪,୨୦୧ ଟ୍ୟାଙ୍କ ଥିବା ବେଳେ ପାକିସ୍ତାନ ପାଖରେ ୨,୬୨୭ ଟ୍ୟାଙ୍କ ଅଛି । ଭାରତ ପାଖରେ ଟି-୯୦ ଭୀଷ୍ମ ଏବଂ ଅର୍ଜୁନ ଟ୍ୟାଙ୍କ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ପିନାକ ରକେଟ୍ ସିଷ୍ଟମ ଭଳି ଉନ୍ନତ ପ୍ରଣାଳୀ ମଧ୍ୟ ଅଛି । ସେହିପରି ଭାରତ ପାଖରେ ୧,୪୮,୫୯୪ଟି ସଶସ୍ତ୍ର ଯାନ ଅଛି, ଯାହା ପାକିସ୍ତାନଠାରୁ ତିନି ଗୁଣ ଅଧିକ । 

ବାୟୁସେନା

ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ମୋଟ ୧,୩୯୯ ଏୟାରକ୍ରାଫ୍ଟ ଅଛି, ଏଥିରୁ ୩୨୮ଟି ଲଢ଼ୁଆ ବିମାନ ରହିଛି । ଅନ୍ୟପଟେ ଭାରତ ପାଖରେ ୫୧୩ଟି ଯୁଦ୍ଧ ବିମାନ ସହିତ ୨,୨୨୯ ଏୟାରକ୍ରାଫ୍ଟ ଅଛି । ଭାରତ ପାଖରେ ୬ଟି ଏରିୟଲ୍ ଟ୍ୟାଙ୍କର୍ ଥିବା ବେଳେ ପାକିସ୍ତାନ ପାଖରେ ୪ଟି ଅଛି । ଭାରତ ପାଖରେ ୮୯୯ଟି ହେଲିକପ୍ଟର ଥିବା ବେଳେ ପାକିସ୍ତାନ ପାଖରେ ୩୭୩ଟି ଅଛି ।

ନୌସେନା

ଭାରତ ପାଖରେ ଏକ ସୁଦୀର୍ଘ ସାମୁଦ୍ରିକ ସୀମା ଅଛି । ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗର ଉଭୟ ଆର୍ଥିକ ଏବଂ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ସେପଟେ ପାକିସ୍ତାନର କେବଳ ଆରବ ସାଗର ସହିତ ସାମୁଦ୍ରିକ ସୀମା ଅଛି । ଭାରତର ନୌସେନା ପାକିସ୍ତାନ ତୁଳନାରେ ବହୁ ଶକ୍ତିଶାଳୀ । ପାକିସ୍ତାନ ନୌସେନା ପାଖରେ ୧୨୧ ଜାହାଜ ଥିବାବେଳେ ଭାରତ ପାଖରେ ୨୯୩ ଜାହାଜ ଅଛି । ଭାରତ ପାଖରେ ୧୮ଟି ବୁଡ଼ାଜାହାଜ ଥିବା ବେଳେ ପଡ଼ୋଶୀ ଦେଶ ପାଖରେ ୮ଟି ରହିଛି । 

ଦୁଇଟି ବିମାନ ବାହକ - ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ ଏବଂ ବିଧ୍ୱଂସୀ, କର୍ଭେଟ୍, ଫ୍ରିଗେଟ୍ ଏବଂ ବୁଡ଼ାଜାହାଜ ଭାରତକୁ ଏକ ବ୍ଲୁ-ୱାଟର ନୌସେନା କରେ । ଏହାର ଅର୍ଥ ହେଉଛି ଏକ ସାମୁଦ୍ରିକ ବାହିନୀ ଭାବରେ ଭାରତ ବିଶ୍ୱ ସ୍ତରରେ କାର୍ଯ୍ୟ କରିପାରିବ ଏବଂ ଏହାର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ର ପ୍ରଣାଳୀକୁ ଏହାର ବାହକ ସହିତ ବିଶ୍ୱର ଯେକୌଣସି ସ୍ଥାନକୁ ଆଣିପାରିବ । ଅନ୍ୟପଟେ ପାକିସ୍ତାନ ପାଖରେ କୌଣସି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ସୀମିତ ସାଧାନ ଯୋଗୁଁ ପାକିସ୍ତାନ ନୌସେନା ଗ୍ରିନ-ୱାଟର ନେଭି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.