ନୂଆଦିଲ୍ଲୀ: ବିଶ୍ୱ ଟେକ୍ନୋଲୋଜି ଶିଳ୍ପରେ ଚାଲିଥିବା ଛଟେଇ ଓ କମ୍ପାନୀ ପୁନର୍ଗଠନର ପ୍ରଭାବ ଭାରତୀୟ ଆଇଟି କ୍ଷେତ୍ରରେ ମଧ୍ୟ ଦେଖାଯାଉଛି। କମ୍ପାନୀଗୁଡ଼ିକ ମାନବ ସମ୍ବଳ ହ୍ରାସ କରି ନୂଆ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI)ରେ ପ୍ରବଳ ନିବେଶ କରୁଛନ୍ତି। ଏଥିପାଇଁ ଛଟେଇ ଜାରି ରହିଛି।

ଭାରତରେ ମାଇକ୍ରୋସଫ୍ଟ ପ୍ରାୟ ୫୦୦ କର୍ମଚାରୀଙ୍କୁ ପରଫର୍ମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ଲାନ୍‌ (PIP)ରେ ରଖିଥିବା ରିପୋର୍ଟ ସାମ୍ନାକୁ ଆସିଛି। ଅନ୍ୟପଟେ ଓରାକଲ୍‌ ଭାରତରେ ପ୍ରାୟ ୩,୦୦୦ ଚାକିରି କାଟିବା ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ତେବେ ପିଇପିରେ ରଖାଯିବା ଅର୍ଥ ସିଧାସଳଖ ଛଟେଇ ନୁହେଁ ବୋଲି ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି। କର୍ମଚାରୀଙ୍କ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ଅନେକ କମ୍ପାନୀ ନିୟମିତ ପରଫର୍ମାନ୍ସ ମ୍ୟାନେଜମେଣ୍ଟ ପ୍ରକ୍ରିୟାର ଅଂଶ ଭାବେ ପିଆଇପି ବ୍ୟବହାର କରିଥାନ୍ତି। ତଥାପି ନିଯୁକ୍ତି ଯିବାର ଭୟ ବି ରହିଥାଏ।


ମାଇକ୍ରୋସଫ୍ଟରେ ୪୦୦-୫୦୦ କର୍ମଚାରୀ PIPରେ

ମାର୍କେଟ୍‌ ରିସର୍ଚ୍ଚ ଫାର୍ମ EIIRTrendର ସିଇଓ ପାରୀକ ଜୈନଙ୍କ ଅନୁମାନ ଅନୁସାରେ, ମାଇକ୍ରୋସଫ୍ଟ ଇଣ୍ଡିଆର ପ୍ରାୟ ୨% କର୍ମଚାରୀ, ଅର୍ଥାତ୍‌ ପ୍ରାୟ ୪୦୦ରୁ ୫୦୦ ଜଣ, କମ୍ପାନୀର ଗ୍ଲୋବାଲ୍‌ ପିଆଇପି ପ୍ରକ୍ରିୟାର ପ୍ରଭାବରେ ଆସିପାରନ୍ତି। ମାଇକ୍ରୋସଫ୍ଟ କହିଛି ଯେ କର୍ମଚାରୀଙ୍କ ପ୍ରଦର୍ଶନ ଆଶାନୁରୂପ ନ ହେଲେ କୋଚିଂ, ପିଆଇପି, ସ୍ୱେଚ୍ଛାକୃତ ଚାକିରି ଛାଡ଼ିବାର ବିକଳ୍ପ କିମ୍ବା ଚାକିରି ସମାପ୍ତ କରିବା ଭଳି ପଦକ୍ଷେପ ନିଆଯାଇପାରେ। ତେବେ ବିଶ୍ୱସ୍ତରରେ ପିଆଇପିରେ ଥିବା କର୍ମଚାରୀଙ୍କ ଅନୁପାତ ଖୁବ୍‌ କମ୍‌ ବୋଲି କମ୍ପାନୀ କହିଛି।

ଓରାକଲ୍‌ରେ ୩,୦୦୦ ଚାକିରି ଯିବ?
​​​​​​​
ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଓରାକଲ୍‌ର ନୂଆ ଛଟେଇରେ ଭାରତରେ ପ୍ରାୟ ୨,୦୦୦ରୁ ୩,୦୦୦ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏହି ଛଟେଇ ସେପ୍ଟେମ୍ବର ୧ରୁ ଲାଗୁ ହେବାର ଆଶଙ୍କା ରହିଛି। ଓରାକଲ୍‌ର ଭାରତରେ ପ୍ରାୟ ୩୦,୦୦୦ କର୍ମଚାରୀ ରହିଛନ୍ତି।

ପୂର୍ବରୁ ମଧ୍ୟ କମ୍ପାନୀ ଭାରତରେ ପ୍ରାୟ ୧୨,୦୦୦ ଚାକିରି କାଟିଥିବା ରିପୋର୍ଟ ଆସିଥିଲା। ବିଶେଷଜ୍ଞଙ୍କ ମତରେ ଓରାକଲ୍‌ର ପୁନର୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଣା ଦକ୍ଷତା ଓ କାର୍ଯ୍ୟକ୍ଷେତ୍ରରୁ ବଜେଟ୍‌ କମାଇ ଏଆଇ ଭଳି ନୂଆ କ୍ଷେତ୍ରକୁ ଅଧିକ ନିବେଶ କରିବା।

AI ଯୋଗୁ ବଢ଼ିବ ଚାକିରି ଚ୍ୟାଲେଞ୍ଜ


ଷ୍ଟାଫିଂ ଫାର୍ମ Xphenoର ସହ-ପ୍ରତିଷ୍ଠାତା କମଲ କରନ୍ଥଙ୍କ ଅନୁସାରେ AIର ବଢ଼ୁଥିବା ବ୍ୟବହାରର ପ୍ରଭାବ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଚାକିରିରେ ଅଧିକ ସ୍ପଷ୍ଟ ହୋଇପାରେ। ବିଶେଷକରି କମ୍‌ ଜଟିଳ କାମ କରୁଥିବା ଜୁନିୟର ଓ ମିଡ୍‌-ଲେଭଲ୍‌ ଇଞ୍ଜିନିୟରମାନେ ଅଧିକ ପ୍ରଭାବିତ ହୋଇପାରନ୍ତି।


ଫ୍ରେସରଙ୍କ ପାଇଁ ମଧ୍ୟ ବଦଳୁଛି IT ବଜାର


ଭାରତରେ ଫ୍ରେସରଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବଦଳୁଛି। ବଡ଼ ଆଇଟି କମ୍ପାନୀଗୁଡ଼ିକ କ୍ୟାମ୍ପସ୍‌ ନିଯୁକ୍ତିରେ ଅଧିକ ସତର୍କ ହେଉଛନ୍ତି। କେତେକ କମ୍ପାନୀ ଚୟନ କରିଥିବା ଫ୍ରେସରଙ୍କୁ ବିଭିନ୍ନ ଆଳ ଦେଖାଇ ଜଏନିଂ ବିଳମ୍ବ କରାଉଛନ୍ତି। ଫଳରେ ଅନେକ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ଙ୍କୁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଛି।

ଏହି ପରିବର୍ତ୍ତନ ମଧ୍ୟରେ ଗ୍ଲୋବାଲ କାପାବିଲିଟି ସେଣ୍ଟର (GCCs) ଟେକ୍‌ ପ୍ରତିଭା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କ୍ଷେତ୍ର ଭାବେ ଉଭା ହେଉଛି। କିନ୍ତୁ ଜିସିସିଗୁଡ଼ିକର ନିଯୁକ୍ତି ବହୁ ସଂଖ୍ୟାରେ ଫ୍ରେସର ନିଯୁକ୍ତି ଉପରେ ନୁହେଁ; ବରଂ ଏଆଇ, ଡାଟା ଆନାଲିଟିକ୍ସ, ସାଇବର ସିକ୍ୟୁରିଟି, ପ୍ରଡକ୍ଟ ଡେଭଲପମେଣ୍ଟ ଓ ଡିଜିଟାଲ୍‌ ଇଞ୍ଜିନିୟରିଂ ଭଳି ବିଶେଷ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଅର୍ଥାତ୍‌, ଭାରତୀୟ ଆଇଟି ଶିଳ୍ପରେ ଚାକିରି ସଂଖ୍ୟା ଅପେକ୍ଷା କେଉଁ ଦକ୍ଷତାର ଚାହିଦା ରହିଛି, ଏହା ଏବେ ନିଯୁକ୍ତି ବଜାରର ସବୁଠୁ ବଡ଼ ପ୍ରଶ୍ନ ହୋଇଛି।