ନୂଆଦିଲ୍ଲୀ: ଆମେରିକାର ଟାରିଫ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନଙ୍କ କଥାବର୍ତ୍ତାକୁ ନେଇ ନାଟୋ ମୁଖ୍ୟଙ୍କ ଦାବିକୁ ଭାରତ ଖଣ୍ଡନ କରିଛି । ଭାରତ ସ୍ପଷ୍ଟ କରିଛି ଯେ ଏହି ପ୍ରସଙ୍ଗରେ ପିଏମ୍ ମୋଦୀ ଓ ପୁଟିନଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ । ଶୁକ୍ରବାର ନିୟମିତ ସାମ୍ୱାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନାଟୋ ମହାସଚିବଙ୍କ ଟିପ୍ପଣୀ ତଥ୍ୟାତ୍ମକ ଭାବେ ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ । ଏହାସହ ଭବିଷ୍ୟତରେ ଏପରି ବୟାନବାଜି ଠାରୁ ଦୂରେଇ ରହିବା ରୁଟେଙ୍କୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ନାଟୋ ମହାସଚିବ ମାର୍କ ରୁଟେ ଦାବି କରିଥିଲେ ଯେ ଆମେରିକାର ଟାରିଫକୁ ନେଇ ପିଏମ୍ ମୋଦୀ ଲଗାତାର ପୁଟିନଙ୍କ ସହ ଆଲୋଚନା କରୁଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, 'ନାଟୋ ମହାସଚିବ ରୁଟେଙ୍କ ବୟାନ ଆମ ନଜରକୁ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ କଥାବର୍ତ୍ତା କଥା ସେ ଉଲ୍ଲେଖ କରିଛନ୍ତି । ତାଙ୍କ ବୟାନ ତଥ୍ୟ ଠାରୁ ଦୂରରେ ଓ ସମ୍ପୂର୍ଣ୍ଣ ମିଛ ଅଟେ । ପ୍ରଧାନମନ୍ତ୍ରୀ କେବେ ମଧ୍ୟ ପୁଟିନଙ୍କ ସହ ଏହା ଉପରେ କଥା ହୋଇ ନାହାନ୍ତି । ନାଟୋ ପରି ଗୁରୁତ୍ୱପୂର୍ଣ୍ଣ ସଂଗଠନର ମୁଖ୍ୟଙ୍କୁ ସାର୍ବଜନୀନ ବୟାନରେ ଅଧିକ ଦାୟିତ୍ୱବାନ ହେବାର ଦରକାର ।'

ଜୟସୱାଲ ପୁଣି ଥରେ ସ୍ପଷ୍ଟ କରିଥିଲେ, ଭାରତ ନିଜର ଆର୍ଥିକ ହିତକୁ ସୁରକ୍ଷିତ ରଖିବା ପାଇଁ ସବୁ ସମ୍ଭବ ପଦକ୍ଷେପ ନେବ । ସେ କହିଛନ୍ତି, 'ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ଯେ ଭାରତର ଉର୍ଜା ଆମଦାନୀର ଉଦ୍ଦେଶ୍ୟ ଭାରତୀୟ ଉପଭୋକ୍ତାଙ୍କ ପାଇଁ ସ୍ଥିର ଓ କମ ମୂଲ୍ୟ ସୁନିଶ୍ଚିତ କରିବା । ଭାରତର ନିଜର ରାଷ୍ଟ୍ରୀୟ ହିତ ଓ ଆର୍ଥିକ ସୁରକ୍ଷାର ରକ୍ଷା ପାଇଁ ସବୁ ଜରୁରି ପଦକ୍ଷେପ ଗ୍ରହଣ କରିବ ।'

ନାଟୋ ମାହସଚିବ ମାର୍କ ଟୁରେ ଜାତିସଂଘ ମହାସଭା ବେଳେ ସିଏନଏନକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନକୁ ନେଇ ତାଙ୍କ ରଣନୀତି ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି । ସେ କହିଥିଲେ, ଭାରତ ଉପରେ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫର ସିଧା ପ୍ରଭାବ ରୁଷ ଉପରେ ପଡ଼ୁଛି । ଏହାର ଅର୍ଥ ହେଉଛି ଭାରତ ଏବେ ପୁଟିନଙ୍କ ସହ ଆଲୋଚନା କରୁଛି । ରୁଟେ କହିଥିଲେ, 'ପୁଟିନଙ୍କୁ ମୋଦୀ କହିଛନ୍ତି ଯେ ମୁଁ ଆପଣଙ୍କୁ ସହଯୋଗ କରିଛି, ତେଣୁ ମୋତେ ଆଣପଙ୍କ ରଣନୀତି ସ୍ପଷ୍ଟ କରନ୍ତୁ, କାରଣ ଆମେରିକା ମୋତେ ୫୦ ପ୍ରତିଶତ ଟାରିଫ୍ ଲଗାଇ ଟାର୍ଗେଟ୍ କରିଛି।'