ନୂଆଦିଲ୍ଲୀ ୪।୬: ଭାରତ ଅପରେସନ ‘ସିନ୍ଦୂର’ ଆରମ୍ଭ କରିବା ମାତ୍ରେ ଅଚାନକ ଦେଶରେ ଜଣକ ପରେ ଜଣେ ୧୪ ଜଣ ପାକ୍ ଗୁପ୍ତଚର ଧରା ପଡିଯାଇଛନ୍ତି। ଏଥିରୁ ମନରେ ସନ୍ଦେହ ଉପୁଜିବା ସ୍ୱଭାବିକ ଏମାନଙ୍କ ପର୍ଯ୍ୟନ୍ତ ଗୁଇନ୍ଦା ବିଭାଗ ପହଞ୍ଚିଲା କେମିତି? ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ବି ଚମତ୍କୃତ କରିବ। ତେବେ ପ୍ରଥମେ ଏତିକି ଜାଣନ୍ତୁ ପାକିସ୍ତାନର ଗୋଟିଏ ଭୁଲ ଭାରତରେ ତା ପାଇଁ କାମ କରୁଥିବା ସବୁ ଗୁପ୍ତଚରଙ୍କୁ ଧରା ପକାଇ ଦେଇଛି।
ଏଜେନ୍ସୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ଯେତେବେଳେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ୍ତ କରିଦେଲା ପାକିସ୍ତାନ ଅଚାନକ ବିବ୍ରତ ହୋଇ ପଡିଥିଲା। ଆକ୍ରମଣର ଜବାବ ଦେବାକୁ ଭାରତସ୍ଥିତ ପାକିସ୍ତାନ ହାଇକମିଶନର ଭିସା ଡେସ୍କରେ ମୁତୟନ ଥିବା ଦାନିସକୁ ତାର ସବୁ ଭାରତୀୟ ଗୁପ୍ତଚରଙ୍କୁ ତୁରନ୍ତ ଆକ୍ଟିଭ କରିବା ପାଇଁ ଆଦେଶ ଦେଇଥିଲା। ସୂତ୍ର ଅନୁସାରେ ପାକ୍ ଗୁଇନ୍ଦା ଅପରେଟିଭ (ପିଆଇଓ) ତାଙ୍କ ଗୁଇନ୍ଦାଙ୍କଠାରୁ ସୋସିଆଲ ମିଡିଆ ଓ ଅନ୍ୟ ମାଧ୍ୟମରେ ଭାରତର ଗୋପନୀୟ ସୂଚନା ଏକତ୍ର କରିବା ଆରମ୍ଭ କରିଦେଇଥିଲା।
ଏଥିରେ ଭାରତର ସାମରିକ ପ୍ରତିଷ୍ଠାନ, ସେନା ଗତିବିଦ୍ଧି, ସାମରିକ ଘାଟି ଓ ବାୟୁସେନା ଘାଟି ଆଦି ସମ୍ବେଦନଶୀଳ ସୂଚନା ମାଗିବା ଆରମ୍ଭ କରିଦେଇଥିଲା। ଏଥିରେ ସ୍ପାଏମାନଙ୍କ ସହ ଯୋଗାଯୋଗ କରିବା ପାଇଁ ପିଆଇଓ ଅଲଗା ଅଲଗା ସୋସିଆଲ ମିଡିଆ ଆପର ଆଶ୍ରୟ ନେଇଥିଲା। ଏପଟେ ଭାରତୀୟ ଗୁଇନ୍ଦା ଏଜେନ୍ସୀମାନେ ପୂର୍ବରୁ ସନ୍ଦିଗ୍ଧ ଗୁପ୍ତଚରଙ୍କ ସନ୍ଧାନ ନେବାକୁ ଜାଲ ବିଛାଇ ସାରିଥିଲେ। ଯେତେବେଳେ ସୂଚନା ପାଇବା ପରେ ଗୁପ୍ତଚାରଙ୍କୁ ପେମେଣ୍ଟ ଦେବାର ସମୟ ଆସିଲା ସେତେବେଳେ ଜଣ ଜଣ କରି ଗୁଇନ୍ଦା ଭାରତୀୟ ଏଜେନ୍ସୀ ହାତରେ ଧରା ପଡିଯାଇଥିଲେ।
ପାକିସ୍ତାନ ସୂଚନା ବାବଦ ଦେୟ ପୈଠ ପାଇଁ ପେ-ପାଲ ପେମେଣ୍ଟ ଆପ, ଅନଲାଇନ ଗ୍ୟାମ୍ବ୍ଲିଙ୍ଗ ଆପ, ବ୍ଲକ ଚେନ ଟେକ୍ନୋଲଜି, ହବାଲା, ୟୁପିଆଇ ଓ କ୍ରେପ୍ଟୋ କରେନ୍ସୀ ଆଦି ମାଧ୍ୟମର ଉପଯୋଗ କରିଥିଲା। ଏହି ସବୁ ମାଧ୍ୟମରେ ୨୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୈଠ କରିଥିଲା। ତେବେ ପୈଠ କରିବା ବେଳେ ଭାରତୀୟ ଏଜେନ୍ସୀ ଇଣ୍ଟରସେପ୍ଟ କରିଥିଲେ। ସିଜଫାୟାର ପରେ ଭାରତୀୟ ଗୁଇନ୍ଦା ଏଜେନ୍ସୀଙ୍କ ରାଡାରରେ ସେହି ସବୁ ସୋସିଆଲ ମିଡିଆ ଆକାଉଣ୍ଟ ଓ ଫୋନ ନମ୍ବର ସବୁ ଆସିଥିଲା ଯେଉଁଗୁଡିକ ଯୁଦ୍ଧ କାଳରେ ଆକ୍ଟିଭ ଥିଲେ ଓ ଆଇଏସଆଇ ସମ୍ପର୍କରେ ଥିଲେ।
ସୂତ୍ର ଅନୁସାରେ ଅପରେସନ ସିନ୍ଦୂର କାଳରେ ପାକିସ୍ତାନରୁ ଭାରତକୁ ହୋଇଥିବା ହାୱାଲା, ୟୁପିଆଇ ଓ ବିଟକଏନ ଟ୍ରାଞ୍ଜାକ୍ସନର ସୂଚନା ଡାର୍କ ୱେବରୁ ମିଳିଯାଇଥିଲା। ଏହି ସବୁ ଟ୍ରାଞ୍ଜାକ୍ସନର ଯାଞ୍ଚ କାଳରେ ପାକିସ୍ତାନୀ ଗୁପ୍ତଚର ଜ୍ୟାତି ମାଲହୋତ୍ରା, ଅରମାନ, ଦେବେନ୍ଦ୍ର ସିଂହ ଢିଲ୍ଲୋ,ମହମ୍ମଦ ମୁର୍ତ୍ତାଜା ଅଲ୍ଲୀ, ସୁଖପ୍ରିତ ସିଂହ, କରନବୀର ସିଂହ, ନୋମାନ ଇଲାହୀ, ହାରୁନ, ତୁଫୈଲ, ସୁଖଦେବ ସିଂହ ଗୋହିଲ, ଶହଜାଦ, ମୋତିରାମ ଜାଟ, କାସୀମ ଓ ତା ଭାଇ ହସିନ ଏବଂ ୟୁଟ୍ୟୁବର ଜସବୀର ସିଂହ ଧରାପଡିଥିଲେ।
ସାରା ଦେଶରେ ବିଛେଇ ହୋଇ ରହିଥିବା ଏହି ପାକ୍ ଗୁପ୍ତଚରଙ୍କ ସମ୍ପର୍କରେ ତୁରନ୍ତ ଗୃହମନ୍ତ୍ରାଳୟଙ୍କୁ ସୂଚନା ଦିଆଯାଇଥିଲା। ଯେପରି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗୁପ୍ତଚରମାନେ ଅଣ୍ଡରଗ୍ରାଉଣ୍ଡ ନ ହୁଅନ୍ତି ସେଥି ପାଇଁ ରାଜ୍ୟ ପୋଲିସକୁ ସେମାନଙ୍କ ସମ୍ପର୍କରେ ଜଣାଇ ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ଆଦେଶ ଦିଆଯାଇଥିଲା। ରାଜ୍ୟ ପୋଲିସ ସେମାନଙ୍କ ଗିରଫ ପାଇଁ ପ୍ରମାଣ ସଂଗ୍ରହ ଆରମ୍ଭ କରିବା ପୂର୍ବରୁ ସୁରକ୍ଷା ଏଜେନ୍ସୀମାନେ ଗୁପ୍ତଚରମାନଙ୍କର ଲୋକେସନ ଓ ପାକିସ୍ତାନ ସହ ହୋଇଥିବା ସେମାନଙ୍କ ବାର୍ତ୍ତାଳାପର ଆଇପି ଆଡ୍ରେସ୍ ଯୋଗାଇ ଦିଆଯାଇଥିଲା।
ଗିରଫ ଗୁପ୍ତଚରମାନଙ୍କୁ ପ୍ରଥମେ ଆଇବି ପଚରା ଉଚରା କରିବା ସହ ସେମାନଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସୂଚନା ସଂଗ୍ରହ କରିଥିଲା। ତଦନ୍ତ କାଳରେ ଜଣାପଡିଲା ଯେ ସୁରକ୍ଷା ଏଜେନ୍ସୀଙ୍କ ଠାରୁ ବର୍ତ୍ତିବା ପାଇଁ ପାକିସ୍ତାନ ହାଇକମିସନରେ ମୁତୟନ ପିଆଇଓ ଭାରତୀୟ ସିମ କାର୍ଡ ବ୍ୟବହାର କରୁଥିଲେ ଯାହାର ଆଇପିଓ ଆଡ୍ରେସ୍ ଚାଣକ୍ୟପୁରୀ ଆସୁଥିଲା। ତେବେ ଭାରତର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଗୋଇନ୍ଦା ଏଜେନ୍ସୀର ଲୋକେ ପାକିସ୍ତାନରୁ ନିଜ ଗୁପ୍ତଚରଙ୍କୁ ଫୋନ କରିବା ଆରମ୍ଭ କରିଦେଇଥିଲେ।
ଯାହା ପରେ ପାକିସ୍ତାନ ଗୋଇନ୍ଦା ଏଜେନ୍ସୀର ସବୁଠୁ ବଡ଼ ଭୁଲ ବୋଲି ପ୍ରମାଣିତ ହୋଇଥିଲା ଓ ଏହା ଦ୍ୱାରା ପାକିସ୍ତାନର ପୂରା ଗୋଇନ୍ଦା ନେଟୱାର୍କ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ରାଡାରରେ ଆସି ଯାଇଥିଲା। ସୂତ୍ର ଅନୁସାରେ ଦେଶର ଅଲଗା ଅଲଗା ରାଜ୍ୟରେ ଏବେବି ପାକିସ୍ତାନର ଅନେକ ସନ୍ଦିଗ୍ଧ ଗୁପ୍ତଚର ଅଛନ୍ତି ଯେଉଁମାନଙ୍କ ସୂଚନା ସୂରକ୍ଷା ଏଜେନ୍ସୀଙ୍କ ନିକଟରେ ରହିଛି ଓ ଠିକ ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।