ନୂଆଦିଲ୍ଲୀ, ୨୪/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେ ଆହତ ହୋଇ ବାଦ ପଡିଥିବା ଶୁଭମନ ଗିଲ୍ ଏବଂ ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ଜାଗାରେ ଦଳର ନେତୃତ୍ୱ ନେବେ । କିନ୍ତୁ ଦଳରେ ଋଷଭ ପନ୍ତଙ୍କ ଥିଲେ ମଧ୍ୟ ରାହୁଲଙ୍କ ଉପରେ ଭରସା କରିଛି ବୋର୍ଡ । ଟେଷ୍ଟ ଦଳର ନେତୃତ୍ୱ ନେଉଥିବା ପନ୍ତଙ୍କୁ ପଛ କରି ରାହୁଲଙ୍କୁ ନେତୃତ୍ୱ ଭାର ମିଳିଛି । ଏପରି ନିଷ୍ପତିର ଖୁଲାସା କରିଛନ୍ତି ବିସିସିଆଇର ଜଣେ ଅଧିକାରୀ ।

ବୋର୍ଡର ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ନଜରରେ ଆସିନଥିଲେ । ପନ୍ତଙ୍କ ଉପରେ ବିଚାର ବିମର୍ଶ ହୋଇଥିଲା । କିନ୍ତୁ ସେ ବହୁତ ଦିନ ହେଲା ଦିନିକିଆ ଖେଳି ନାହାଁନ୍ତି । ବର୍ଷେ ମଧ୍ୟରେ ସେ କେବଳ ଗୋଟିଏ ମୁକାବିଲା ଖେଳିଛନ୍ତି । ଗିଲ ଏବେ ବେକରେ ଆଘାତ ଜନିତ କାରଣରୁ ବିଶ୍ରାମ ନେଉଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଆଗରୁ ଫିଟ୍ ହୋଇଯିବେ । ଯାହା ଜାନୁଆରୀ ମାସରେ ଖେଳାଯିବ । ରାହୁଲଙ୍କ ପାଖରେ ଅଭିଜ୍ଞତା ରହିଛି । ଦିନିକିଆରେ ତାଙ୍କର ରେକର୍ଡ ଭଲ ରହିଛି ।

ସୂଚନାଯୋଗ୍ୟ. ଆଗାମୀ ଟି-୨୦ ସିରିଜକୁ ଦୃଷ୍ଟିରେ ରଖି ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଋଷଭ ପନ୍ତ ମଧ୍ୟ ଦିନିକିଆ ଦଳକୁ ଫେରିଛନ୍ତି। ଦୁଇ ତାରକା ଖେଳାଳି ବର୍ତ୍ତମାନ ଟେଷ୍ଟ ସିରିଜ୍ ଖେଳୁଛନ୍ତି। ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳରେ ନ ଥିଲେ। ଆହତ କାରଣରୁ ଶ୍ରେୟସ ଆୟରଙ୍କୁ ଦଳରୁ ବାହାରେ ରଖାଯାଇଛି। ଟି-୨୦ରେ ଭଲ ପ୍ରଦର୍ଶନ କାରଣରୁ ତିଳକ ବର୍ମାଙ୍କୁ ଦିନିକିଆରେ ସୁଯୋଗ ମିଳିଛି। ତିଳକ ଭାରତ ପାଇଁ ୪ଟି ଦିନିକିଆ ଖେଳିଛନ୍ତି। ସବୁଠୁ ବଡ଼ ଚକିତ କରିଛି ଋତୁରାଜ ଗାଏକ୍ଵାଡ଼ଙ୍କ ଚୟନ। ତାଙ୍କ ଉପରେ ଚୟନକର୍ତ୍ତା ଭରସା ପ୍ରକଟ କରିଛନ୍ତି। ଋତୁରାଜ ଭାରତ ପାଇଁ ୬ଟି ଦିନିକିଆ ଖେଳି ସାରିଛନ୍ତି।୧୫ ଜଣିଆ ଦଳରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ବରିଷ୍ଠ କ୍ରିକେଟର ଅଛନ୍ତି। ଆହତ ଜନିତ ସମସ୍ୟା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୟନ କରାଯାଇ ନାହିଁ। ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡୀଙ୍କୁ ଦଳରେ ଚୟନ କରାଯାଇଛି।

ଉଲ୍ଲେଖନୀୟ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩୦ରେ ରାଞ୍ଚିରେ ଖେଳାଯିବ। ଦ୍ଵିତୀୟ ମୁକାବିଲା ଡିସେମ୍ବର ୩ରେ ରାୟପୁର ଏବଂ ଡିସେମ୍ବର ୬ରେ ବିଶାଖାପଟନମରେ ତୃତୀୟ ତଥା ଅନ୍ତିମ ଦିନିକିଆଖେଳାଯିବ। ପୁଣି ଦୁଇ ଦେଶ ମଧ୍ୟରେ ଡିସେମ୍ବର ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସେପଟେ କିନ୍ତୁ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ବାକି ରହିଛି।