ଦେବଗଡ଼ ୨୬।୧୧: ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରେମ କଲେ । କିନ୍ତୁ ବିବାହ ପାଇଁ ଜିଦ୍ ଧରିବାରୁ ରାସ୍ତାରୁ ହଟାଇଦେଲେ । ଫୋନ୍ କରି ଡକାଇଲେ, ଶ୍ବାସରୁଦ୍ଧ କରି ମାରିଦେଲେ । ମହିଳାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି ହୋମଗାର୍ଡ ପ୍ରେମିକ । ଦେବଗଡ ଜିଲ୍ଲା ଲଇମୁରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଲଇମୁରା ଗ୍ରାମର ଶ୍ରୀକର ସୁନାନୀ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ ଲଇମୁରା ଗ୍ରାମର ମହିଳାଙ୍କ ମୃତଦେହ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ମୃତ ମହିଳା ଓ ଶ୍ରୀକରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ସୂଚନା ମିଳିଥିଲା । ଶ୍ରୀକର ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ପୂର୍ବରୁ ମୃତ୍ୟୁ ହୋଇଥିଲା । ସେହିଭଳି ମହିଳା ସ୍ବାମୀ ପରିତ୍ୟକ୍ତା ହୋଇ ଆସି ବାପଘରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ମହିଳା ଜଣଙ୍କ ଶ୍ରୀକରଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲେ । ଫଳରେ ଶ୍ରୀକର ମହିଳାଙ୍କୁ ନିଜ ରାସ୍ତାରୁ ହଟାଇ ଦେବା ପାଇଁ ସ୍ଥିର କରିଥିଲେ ।

​​​​​​​

ଘଟଣା ଦିନ ଫୋନ୍ କରି ଘଟଣାସ୍ଥଳକୁ ଡକାଇଥିଲା । ସେଠାରେ ମହିଳାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ତାଙ୍କ ମୋବାଇଲ ଫୋନ୍ରୁ ସିମ୍ କାଢି ଫିଙ୍ଗିଦେଇ ମୋବାଇଲକୁ ନିଜ ଘରକୁ ନେଇ ଲୁଚାଇ ରଖିଥିଲା । ତଦନ୍ତ ବେଳେ ପୋଲିସ ଘଟଣା ସମ୍ପର୍କ ରେ ଜାଣିବା ପରେ ଶ୍ରୀକର ଘରୁ ମହିଳାଙ୍କ ମୋବାଇଲ ଫୋନ ଜବତ କରିବା ସହ ତାକୁ ଗିରଫ କରିଛନ୍ତି । ଦେବଗଡ ଏସପି ଏନେଇ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ।