ନୂଆଦିଲ୍ଲୀ: ବର୍ତ୍ତମାନ ଆପଲ ଭାରତରେ ଆଇଫୋନ୍ର ଭଲ ବ୍ୟବସାୟ କରୁଛି। ଭାରତୀୟଙ୍କ ପାଖରେ ପଇସା ଥାଉକି ନଥାଉ ସେମାନେ ଇଏମ୍ଆଇରେ ଲକ୍ଷାଧିକ ଟଙ୍କାର ଆଇଫୋନ୍ ଅର୍ଡର କରୁଛନ୍ତି। ଆପଣଙ୍କର ହାତରେ ଆଜି ଯେଉଁ ଦାମିକିଆ ଆଇଫୋନ୍ ଅଛି, ତାକୁ ତିଆରି କରିବାକୁ କେତେ ଟଙ୍କା ଖର୍ଚ୍ଚ ହୁଏ, କେବେ ଭାବିଛନ୍ତି କି ?
ଆଇଫୋନ କିଣିଲା ବେଳେ ଆପଣ ଦୋକାନକୁ ଦେଉଥିବା ଟଙ୍କା ତୁଳନାରେ ଫୋନ୍ ତିଆରି ଖର୍ଚ୍ଚ ବହୁତ କମ୍। ଏତେ କମ୍ ଯେ ହୁଏତ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ ଆମେରିକାର ପଲଟା ଶୁଳ୍କ ଲାଗିବା ପରେ ଆଇଫୋନ୍ ତିଆରି ମହଙ୍ଗା ହୋଇଯିବ।
ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟରେ iPhone 16 Pro ତିଆରି କରିବାର ଖର୍ଚ୍ଚ ସୂଚନା ଦିଆଯାଇଛି। ଏବଂ ଚୀନରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଟ୍ରମ୍ପଙ୍କ ପ୍ରସ୍ତାବିତ ୧୨୪% ଶୁଳ୍କ ଯୋଗୁ ଜିନିଷଗୁଡ଼ିକ ବହୁତ ମହଙ୍ଗା ହୋଇପାରେ।
ପୂରା ଗଣିତ ବୁଝନ୍ତୁ
ଆପଲ୍ ଏକ ୨୫୬ GB iPhone 16 Pro ତିଆରି କରିବା ପାଇଁ ପ୍ରାୟ $୫୮୦ (ପ୍ରାୟ ୫୦,୦୦୦ ଟଙ୍କା) ଖର୍ଚ୍ଚ କରେ, ଯେଉଁଥିରେ A18 Pro ଚିପ୍ ($୯୦.୮୫), ରିୟର କ୍ୟାମେରା ସିଷ୍ଟମ୍ ($୧୨୬.୯୫), ଡିସପ୍ଲେ ପାଇଁ ୩୭.୯୭ ଡଲାର ସହିତ ଅନ୍ୟାନ୍ୟ ଉପାଦାନ ଖର୍ଚ୍ଚ ବି ରହିଛି। ହେଲେ ଆପଲ୍ ଆମେରିକାରେ ସେହି ଫୋନ୍କୁ ୧,୦୯୯ ଡଲାରରେ ବିକ୍ରି କରେ। ଏଥିରେ ମାର୍କେଟିଂ, ରିସର୍ଚ୍ଚ, ପ୍ୟାକେଜିଂ ଏବଂ ପରିବହନ ଖର୍ଚ୍ଚ ଯାଇକି ବି ଏହା କମ୍ପାନୀକୁ ବହୁତ ଲାଭ ଦେଇଥାଏ।
ଯଦିଓ ଆପଲର ପାର୍ଟସ ସାରା ବିଶ୍ୱରୁ ବିଭିନ୍ନ ସ୍ଥାନରୁ ଆସେ, ହେଲେ ଫୋନ୍କୁ ଚୀନରେ ଆସେମ୍ବଲ କରାଯାଏ। ଟ୍ରମ୍ପଙ୍କ ୧୨୪% ଶୁଳ୍କ ସମ୍ପୂର୍ଣ୍ଣ ଉତ୍ପାଦନ ଖର୍ଚ୍ଚ ଉପରେ ଲାଗୁ ହେବ। ଫଳରେ ଟାରିଫ୍ ଲାଗିବା ପରେ ଫୋନ୍ ତିଆରି ଖର୍ଚ୍ଚ ଅନେକ ବଡ଼ିଯିବ। ଯଦି ଆମେରିକା ୧୨୪ ପ୍ରତିଶତ ଶୁଳ୍କ ହିସାବରେ ଦେଖାଯାଏ, ତେବେ ଚୀନରୁ ଆମଦାନୀ କରି ଆପଲ ଆମେରିକାରେ ଯେଉଁ ଆଇଫୋନ୍କୁ ୧୦୦୦ ଡଲାରରେ ବିକ୍ରି କରାଯାଉଛି, ତାହା ପ୍ରାୟ୨୨୦୦ ଡଲାର ହୋଇଯିବ।
ଅନ୍ୟପଟେ ୨୬% କମ୍ ଶୁଳ୍କ ଯୋଗୁ ଭାରତରେ ନିର୍ମିତ ସମାନ ଆଇଫୋନର ମୂଲ୍ୟ ଆମେରିକାରେ ପ୍ରାୟ ୧୨୫୦ ଡଲାରୁ ବି କମ୍ ହେବ। ତେଣୁ ଚୀନ ଅପେକ୍ଷା ଭାରତରେ ତିଆରି ଆଇଫୋନ୍ ଶସ୍ତା ହେବ।
ପଢନ୍ତୁ- ଚୀନ୍ ଉପରେ ୪୦୦% ଟାରିଫ ଲାଗୁ ପାଇଁ ସାର୍କ ଟ୍ୟାଙ୍କ ଜଜ୍ ଓ’ଲେରୀଙ୍କ ତର୍କ, ଜାଣନ୍ତୁ କହିଛନ୍ତି କ’ଣ?
ଆମେରିକା ଓ ଚୀନ ମଧ୍ୟରେ ଟାରିଫ ଯୁଦ୍ଧ ଜାରି ରହିଛି। ପରସ୍ପର ପରସ୍ପର ଉପରେ ଶୁଳ୍କ ବୃଦ୍ଧି କରୁଛନ୍ତି। ତେଣୁ ଯୁଦ୍ଧର ତାତି ଭାରତ ବି ଅନୁଭବ କରୁଛି। ଦୁଇ ଜଣଙ୍କର ଝଗଡ଼ା ହେଲେ ୩ ଜଣଙ୍କର ଲାଭ ଭଳି ଚୀନ ପ୍ରତି ଆମେରିକାରେ ବିମୁଖତା ଭାରତକୁ ବ୍ୟବସାୟ ବଢାଇବା ଦିଗରେ ସହାୟ ହୋଇପାରେ। ଡାଟା ଅନୁସାରେ ଭାରତ ଏବେ ଆପଲର ବିଶ୍ୱବ୍ୟାପୀ ଆଇଫୋନର ୧୪% ତିଆରି କରୁଛି, ହେଲେ ଏବେ ବି ପ୍ରାୟ ୮୦% ଚୀନରେ ତିଆରି ହେଉଛି। ଭାରତ ଉପରେ ଆମେରିକା ଶୁଳ୍କ କମ୍ ଥିବାରୁ ଆପଲ ଭାରତରେ ଏହାର ଉତ୍ପାଦନ ବଢ଼ାଇପାରେ ବୋଲି କୁହାଯାଉଛି।
ଆପଣ ଭାବୁଥିବେ ଆପଲ ଭାରତ ବଦଳରେ ନିଜ ଦେଶ ଆମେରିକାରେ କାହିଁକି ଉତ୍ପାଦନ କରିବ ନାହିଁ। ଏହାର କାରଣ ହେଲା ଆମେରିକାର ଲେବର କଷ୍ଟ ଅଧିକ। ଚୀନରେ ପ୍ରତି ଫୋନ୍ରେ ଲେବର କଷ୍ଟ ମାତ୍ର ୩୦ ଡଲାର ରହିଥିବା ବେଳେ ଆମେରିକାରେ ଏହା ୩୦୦ ଡଲାର ରହିଛି। ତେଣୁ ନିଜ ଦେଶରେ ଆଇଫୋନ ତିଆରି କରିବା ଆପଲ ପାଇଁ ଖୁବ୍ ମହଙ୍ଗା ହୋଇପାରେ। ଏପଟେ ଚୀନ ଠାରୁ ଭାରତରେ ଲେବର କଷ୍ଟ କମ୍ ରହିଛି। ଏହା ବାଦ ବଡ଼ ଶ୍ରମ ବଳ ବି ରହିଛି। ତେଣୁ ଆଇଫୋନ୍ ଭାରତରେ ଏହାର ଅଧିକାଂଶ ଉତ୍ପାଦନ କରିପାରେ ବୋଲି କୁହାଯାଉଛି।
ପଢନ୍ତୁ- ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ: ଅଶ୍ୱିନୀ ବୈଷ୍ଣବ
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ନିଜ ଦେଶର କମ୍ପାନୀଗୁଡ଼ିକୁ ସ୍ୱଦେଶକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ଘରୋଇ କମ୍ପାନୀକୁ ଶୂନ୍ୟ ଶୁଳ୍କ, ତୁରନ୍ତ ଇଲେକ୍ଟ୍ରିକ ଏବଂ ଏନର୍ଜୀ ଯୋଗାଣ ସହ ପରିବେଶ ମଞ୍ଜୁରି ଦେବାକୁ ଟ୍ରମ୍ପ ଲୋଭ ଦେଖାଉଛନ୍ତି। ଯାହା ଭାରତରେ ଅନୁମତି ଦେଲେ ମାସାଧିକ କାଳ ସମୟ ଲାଗିଯାଏ। ତଥାପି ଆପଲ ଆମେରିକାରେ ଆଇଫୋନ ତିଆରି ପାଇଁ ନିବେଶ କରିବାକୁ ପଛଘୁଞ୍ଚା ଦେଉଛି। ଆପଲ ସିଇଓ ଟିମ୍ କୁକ୍ କହିଛନ୍ତି ଏତେ ପରିମାଣର ଆଇଫୋନ ଉତ୍ପାଦନ ପାଇଁ ଆମେରିକାରେ ଦକ୍ଷ ମାନବସମ୍ବଳର ଅଭାବ ରହିଛି। ଯାହା ଚୀନ ପାଖରେ ରହିଛି। ତେବେ ଏହି ଟଣା ଓଟରା ଭିତରେ ଆପଲ ଭାରତ ଆଡ଼କୁ ମୁହାଇଁ ପାରେ ବୋଲି କୁହାଯାଉଛି।