LIVE TV

ଅବପାତର ରୂପ ନେଲା ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

NEWS7
weather

ଭୁବନେଶ୍ୱର ୨୭।୦୯ : ଶନିବାର ଦକ୍ଷିଣ ଓଡ଼ିଶାରେ ନିର୍ଧୁମ ବର୍ଷା ହୋଇପାରେ । ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାରେ  ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ  ବହିପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଉତ୍ତର ପ​​​​​​​ଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଅପରାହ୍ନରେ ଅବପାତରେ ପରିଣତ ହୋଇଛି ।

୨୭  ତାରିଖ ସକାଳ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର  ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ପୁରୀରୁ ୬୦କିମି, ଗୋପାଳପୁରରୁ  ୧୩୦ ଓ ପାରାଦୀପରୁ ୨୩୦ କିମି ଦୂରରେ ଅଛି । ୨୭ରେ  ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ   ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର  ଅଳ୍ପ କିଛି ସ୍ଥାନରେ ମଧ୍ୟ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ  ଆକଳନ କରିଛି । ୨୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର(ସିଇସି)ର ପୂର୍ବାନୁମାନ କହୁଛି, ଆସନ୍ତା ୨୭ ତାରିଖ ଅପରାହ୍ନରୁ  ୩୦ ତାରିଖ ଯାଏ ରାଜ୍ୟରେ ଭଲ ପାଗ ହେବ । ବର୍ଷା କମିବା ସହ ପାଗ ଭଲ  ରହିବ । ସିଇସି ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରି କହିଛନ୍ତି, ୩୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗରେ  ମୁହାଁଇପାରେ । ପାଣିପାଗ ସ୍ଥିତି ଅନୁକୂଳ ରହିଲେ ୨ ତାରିଖ ବେଳକୁ ଏହା  ଅବପାତ ରୂପ ନେଇ ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ  ଓ ନୂଆପଡ଼ାରେ ବର୍ଷା ସମ୍ଭାବନା ଅଛି । 

ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ  ପ୍ରବଳ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ୪୯ମିମି, ଭଦ୍ରକରେ ୩୪, ହୀରାକୁଦରେ ୨୫.୬, ଭବାନୀପାଟଣାରେ ୨୪.୪ ଓ ବାରିପଦାରେ ୧୮ମିମି ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ରାଜ୍ୟର କିଛି ନଦୀର ଜଳସ୍ତର ବଢ଼ିଛି । ମହାନଦୀର  ନରାଜରେ ଜଳସ୍ତର ୨୫.୭୧ ମିଟର ରହିଛି । ଏଠାରେ ଜଳସ୍ତର ସତର୍କ ସଙ୍କେତ  ଟପିଛି । ଦେବୀ ନଦୀର ଜଳସ୍ତର ବି ବଢୁଛି । ଅଳ୍ପ କିଛି ସ୍ଥାନରେ ବ୍ରାହ୍ମଣୀ ଓ  ବୈତରଣୀର ଜଳସ୍ତର ବଢ଼ିଛି ।