LIVE TV

କଫ ସିରପ ଉପରେ ଆସିଲା ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

NEWS7
Cough syrup

ନୂଆଦିଲ୍ଲୀ ୩।୧୦: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପିଲାଙ୍କ ମୃତ୍ୟୁକୁ ନେଇ କଫ ସିରପ ଉପରେ ଉଠିଥିବା ପ୍ରଶ୍ନବାଚୀ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଶୁକ୍ରବାର ବୟାନ ଜାରି କରିଛନ୍ତି। ମନ୍ତ୍ରାଳୟ କହିଛନ୍ତି ଯାଞ୍ଚରେ କୌଣସି ସାମ୍ପଲରେ ଡାୟଥିଲିନ ଗ୍ଲାୟକଲ (ଡିଇଜି) ଅଥବା ଏଥିଲିନ ଗ୍ଲାଇକଲ (ଇଜି) ଭଳି ବିପଦଜନକ ରୟାସନର ଉପସ୍ଥିତି ମିଳି ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହି କଫ ସିରପ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୧୧ ଶିଶୁଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛନ୍ତି ଯେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି (ଏନଆଇଭି), କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ) ଓ ରାଜ୍ୟ ଅଧିକାରୀଙ୍କ ମିଳିତ ଟିମ୍ ଘଟଣାସ୍ଥଳକୁ ଯାଇ ସାମ୍ପଲ ସଂଗ୍ରହ କରିଥିଲେ। ଏହି ନମୁନା ଯାଞ୍ଚରୁ ଏଥିରେ କୌଣସି କ୍ଷତିକାରକ ରସାୟନର ଉପସ୍ଥିତି ନଥିବା ଜଣାପଡିଛି। ଏଥିରେ ଡାୟଥିଲିନ ଗ୍ଲାଇକଲ ଓ ଏଥିଲିନ ଗ୍ଲାଇକଲ ଥିଲେ ପିଲାଙ୍କ କିଡନୀ ପ୍ରଭାବିତ ହୋଇଥିବାର ଆଶଙ୍କା କରାଯାଇଥାନ୍ତା।

ମଧ୍ୟପ୍ରଦେଶ ରାଜ୍ୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏସଏଫଡିଏ) ମଧ୍ୟ ୩ଟି ନମୁନା ପରୀକ୍ଷଣ କରିଥିଲେ। ଏଥିରେ ମଧ୍ୟ ଡାୟଥିଲିନ ଗ୍ଲାଇକଲ ଅଥବା ଏଥିଲିନ ଗ୍ଲାଇକଲ ନଥିବା ପୁଷ୍ଟି କରିଥିଲେ। ତେବେ ଏନଆଇଭି ପୁଣେ ଦ୍ୱାରା ଯାଞ୍ଚର ଏକ ମାମଲାରେ  ଲପ୍ଟୋସ୍ପୟୋରସିସ୍ ପଜେଟିଭ ମିଳିଥିବା କଥା କୁହାଯାଉଛି। ଏହା ସହ ପାଣି, ମଶା ବାହକ ଓ ଶ୍ୱାସନଳି ସମ୍ପର୍କିତ ନମୁନାର ଯାଞ୍ଚ ଏବେ ହେଉଛି।

ତେବେ ଏନସିଡିସି, ଏନଆଇଭି, ଆଇସିଏମଆର ଓ ଏମସ୍ ନାଗପୁର ସମେତ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ୍ ରିପୋର୍ଟ କରାଯାଇଥିବା ମାମଲାଗୁଡିକର ସବୁ ସମ୍ଭାବିତ କାରଣ ଯାଞ୍ଚ କରୁଛନ୍ତି। କଫ ସିରପ ଯୋଗୁ ମଧ୍ୟପ୍ରଦେଶ ଛିନ୍ଦୱାଡାରେ ୯ଟି ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ମଧ୍ୟ ୨ଟି ଶିଶୁ ପ୍ରାଣ ହରାଇଛନ୍ତି। କୁହାଯାଇଛି ଯେ କଫ ସିରପ ଡେକ୍ସଟ୍ରୋମେଥଫର୍ଣ୍ଣ ଆଧାରିତ ଫର୍ମୂଲେସନ ଅଟେ। ତେବେ ଏହା ଶିଶୁଙ୍କ ଚିକିତ୍ସା ପାଇଁ ପାଇଁ ନୁହେଁ।