ପୁରୀ ୧୮।୩: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଓବିସିସି ଅଧିକାରୀ, ଜଗନ୍ନାଥ ସଂସ୍କୃତି ଗବେଷକ ମାନେ ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଶ୍ରୀମନ୍ଦିର ଏମାର ମଠ ନିକଟରେ ଏକ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବ । ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ତତ୍ତ୍ଵ ଏବଂ ଐତିହାସିକ ତଥ୍ୟାବଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯିବ ।

ସେହିପରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ପାଇଁ ଶ୍ରୀମନ୍ଦିର ଏମାର ମଠ ନିକଟରେ ବିଶ୍ବସ୍ତରୀୟ ରଘୁନନ୍ଦନ ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତି, ପରମ୍ପରା ସମ୍ପର୍କିତ ସମସ୍ତ ତଥ୍ୟ, ପୁସ୍ତକ ରଖାଯିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଗବେଷଣା କରିବାକୁ ଚାହୁଁଥିବା ଗବେଷକଙ୍କୁ ସମସ୍ତ ତଥ୍ୟ, ପାଣ୍ଡୁଲିପି ଯୋଗାଇ ଦିଆଯିବ । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ଅତ୍ୟାଧୁନିକ ଡିଜିଟାଲ ଲାଇବ୍ରେରୀରେ ପରିଣତ କରାଯିବ । ସେଠାରେ ଶ୍ରଦ୍ଧାଳୁଙ୍କ ପାଇଁ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ମଧ୍ୟ ବିକ୍ରି କରାଯିବ । ଏହି ଦୁଇ ପ୍ରକଳ୍ପର ନକ୍ସା ଓ ଡିଜାଇନ୍ ଓବିସିସି ପକ୍ଷରୁ ଏହି ବୈଠକରେ ଉପସ୍ଥାପନା କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି ।

Also Read:- ଖୁସି ଖବର : ବଢ଼ିଲା ଶାଗୁଣା ବଂଶ, ପରିବେଶ ସନ୍ତୁଳନରେ ହେବ ସହାୟକ

ସେବାୟତ ଘରର ପିଲାମାନଙ୍କୁ ଏକ ଆଦର୍ଶ ସେବକ ଭାବେ ପରିଣତ କରିବା ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କରାଯାଇ ସିବିଏସଇ ଢାଞ୍ଚାରେ ସେବାୟତ ଘରର ପିଲାମାନଙ୍କୁ ଶିକ୍ଷାଦାନ କରାଯିବ । ଏହି ପ୍ରକଳ୍ପର ଜମିଜମା ସମସ୍ୟାର ଶିଘ୍ର ସମାଧାନ ପାଇଁ ଗଜପତି ମହାରାଜା ଜିଲ୍ଲାପାଳଙ୍କୁ କହିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତିକରଣ ମଧ୍ୟ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୁଣ୍ଡିଚା ମନ୍ଦିର, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହ ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଆସନ୍ତା ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

​​​​​​​

ପୁରୀକୁ ଆସୁଥିବା ଯାତ୍ରୀଙ୍କୁ କମ୍ ମୂଲ୍ୟରେ ରହଣୀ ପାଇଁ ରାଜ୍ୟ ସରକାର ବାସେଳୀ ସାହି ଥାନା ନିକଟରେ ଏକ ଯାତ୍ରୀ ନିବାସ ନିର୍ମାଣ କରୁଛନ୍ତି । ଏହି ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଗାମୀ ରଥଯାତ୍ରା ପୂର୍ବରୁ ଏହା ଯାତ୍ରୀଙ୍କ ସେବା ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବାର ଲକ୍ଷ୍ୟ ରଖାଯାଇଛି ।