News7 Logo

ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ, ସମାପ୍ତ ହୋଇପାରେ ଜିଏସଟିର ୧୨ ଓ ୨୮ ପ୍ରତିଶତ ସ୍ଲାବ୍‌

NEWS7
gst

ନୂଆଦିଲ୍ଲୀ ୦୩/୦୯ : ଦିଲ୍ଲୀରେ ଆଜିଠାରୁ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ବସିବ ଏହି ବୈଠକ । ସାରା ଦେଶର ନଜର ଏହି ବୈଠକ ଉପରେ ରହିଛି । ସମାପ୍ତ ହୋଇପାରେ ଜିଏସଟିର ୧୨ ଓ ୨୮ ପ୍ରତିଶତ ସ୍ଲାବ୍‌ । ରହିପାରେ ୫, ୧୮ ଓ ୪୦% ସ୍ଲାବ୍‌ । ୧୨ % ସ୍ଲାବରେ ଥିବା ୯୯% ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ । ୨୮% ସ୍ଲାବରେ ଥିବା ୯୦% ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ । ସୋମବାର ଦିଲ୍ଲୀରେ ରାଜ୍ୟ ଜିଏସଟି ଅଧିକାରୀଙ୍କ ବଡ଼ ବୈଠକ ହୋଇଥିଲା ।

ଏଥିରେ ଜିଏସଟି ଦରରେ କ’ଣ ପରିବର୍ତ୍ତନ ହେବ, ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଏସଟିରେ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇଥିଲେ । ଜିଏସଟି ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ସ୍ଲାବରେ ପରିବର୍ତ୍ତନ ପାଇଁ ଜିଏସଟି ପରିଷଦ ଅନୁମୋଦନ କଲେ, ଅନେକ ସାମଗ୍ରୀ ଶସ୍ତା ହେବ ,ଅନେକ ମହଙ୍ଗା ବି ହେବ । ତେବେ କ’ଣ ହୋଇପାରେ ଶସ୍ତା ଏବଂ କ’ଣ ହୋଇପାରେ ମହଙ୍ଗା, ଆସନ୍ତୁ ନଜର ପକାଇବା । 
କଣ ବଢିବ କଣ କମିବ?
ଯାହା ଜଣାପଡୁଛି, ୧୭୫ ସାମଗ୍ରୀର ଜିଏସଟି ଦର ହ୍ରାସ ହେବା ସମ୍ଭାବନା । ସ୍ୱାସ୍ଥ୍ୟ ଓ ଜୀବନ ବୀମାର ପ୍ରିମିୟମରୁ ହଟିପାରେ ଜିଏସଟି । ଟିଭି, ଏସି, ଫ୍ରିଜ, ୱାଂଶି ମେସିନ ହୋଇପାରେ ଶସ୍ତା । ସିମେଣ୍ଟ ମଧ୍ୟ ଶସ୍ତା ହୋଇପାରେ । ହୋଟେଲ ବିଲ୍‌ ଉପରୁ ହଟିପାରେ ଜିଏସଟି । କପଡ଼ା, ପୋଷାକ, ଜୋତା, ଚପଲ ହୋଇପାରେ ଶସ୍ତା । ଷ୍ଟେସନାରି ଆଇଟମ୍, ଘରକରଣା ଜିନିଷ ଶସ୍ତା ହୋଇପାରେ । ଦୁଇ ଚକିଆ ଯାନ, କାର୍,ଘର ନିର୍ମାଣ ସାମଗ୍ରୀ ଶସ୍ତା ହୋଇପାରେ । ପ୍ରସାଧନ ସାମଗ୍ରୀ, ଗୁଟଖା ଓ ମାଦକ ଦ୍ରବ୍ୟ ମହଙ୍ଗା ହୋଇପାରେ । ଏହା ଉପରେ ଲାଗିପାରେ ୪୦ ପ୍ରତିଶତ ଜିଏସଟି ।