ନୂଆଦିଲ୍ଲୀ ୧୯।୧୦: ମାଓବାଦୀଙ୍କ ଶୀର୍ଷ ନେତାଙ୍କ ସମେତ ବହୁ ସଂଖ୍ୟାରେ କ୍ୟାଡରଙ୍କ ଆତ୍ମସମର୍ପଣ ପରେ କେନ୍ଦ୍ର ସରକାର ୨୬ ଜାନୁୟାରୀ ୨୦୨୬ରେ ଭାରତକୁ ‘ନକ୍ସଲ ମୁକ୍ତ’ ଘୋଷଣା କରିପାରନ୍ତି। ନକ୍ସଲଙ୍କ ବିରୋଧରେ ଅପରେସନ ଚଳାଇଥିବା ସୁରକ୍ଷା ଏଜେନ୍ସୀ ଏହାକୁ ସମ୍ଭବ କରିବା ପାଇଁ ଉଦ୍ୟମରେ ଲାଗିପଡିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନକ୍ସଲ ମୁକ୍ତ ଭାରତ ନିମନ୍ତେ ୩୧ ମାର୍ଚ୍ଚ ୨୦୨୬ ତାରିଖ ନିର୍ଦ୍ଧାରିତ କରିଛନ୍ତି।

ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେକା ପରିସ୍ଥିତିରୁ ଯାହା ଜଣାପଡୁଛି ଆଗାମୀ ମାସେ ଅଥବା ଦୁଇ ମାସରେ ବାକି ନକ୍ସଲ ହୁଏତ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ପ୍ରାଣ ହରାଇ ପାରନ୍ତି ନଚେତ ଆତ୍ମସମର୍ପଣ କରିପାରନ୍ତି। ଏଣୁ ନକ୍ସଲ ମୁକ୍ତ ଭାରତ ଘୋଷଣା କରିବାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି ନ ପାରେ। ଉତ୍ତର ବସ୍ତର ଓ ଅବୁଝମାଡ  ନାକ୍ସଲ ମୁକ୍ତ ଘୋଷଣା ହେବା ପରେ ଏବେ କେବଳ ଆଉ ୩ଟି ଜିଲ୍ଲା ନକ୍ସଲ ଅଧ୍ୟୁଷିତ । ଏହି ଜିଲ୍ଲା ୩ଟି ହେଉଛି ଛତିଶଗଡ଼ର ବିଜାପୁର, ନାରାୟଣପୁର ଓ ସୁକମା।

ଏହା ଛଡା ଅନ୍ୟ ୪ ଜିଲ୍ଲା ଦାନ୍ତେୱାଡା, ଗରିୟାବନ୍ଦ, କାଙ୍କେର, ମହଲ୍ଲା-ମାନପୁର-ଅମ୍ବାଗଡ଼ ଚୌକି କମ ନକ୍ସଲ ଅଧ୍ୟୁଷିତ ଜିଲ୍ଲାରେ ଅଛି। ଛତିଶଗଡ଼ ବାହାରେ ମାତ୍ର ୪ଟି ଜିଲ୍ଲା ମାଓବାଦୀ ହିଂସା ପ୍ରଭାବିତ ରହିଛି।  ଏଥିରେ ଝାଡ଼ଖଣ୍ଡର ଏକ ଜିଲ୍ଲା ପଶ୍ଚିମ ସିଂହଭୂମ, ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲା ବାଲାଘାଟ , ମହାରାଷ୍ଟ୍ରର ଗୋଟିଏ ଜିଲ୍ଲା ଗଡ଼ଚିରୌଲୀ ଏବଂ ଓଡି଼ଶାର ଗୋଟିଏ ଜିଲ୍ଲା କନ୍ଧମାଳ ରହିଛି। ଏଣୁ ଆଗାମୀ ସମୟରେ ସୁରକ୍ଷା ବଳ ଏହି ଜିଲ୍ଲାଗୁଡିକ ଉପରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ କରିବେ। ଏଥି ପାଇଁ ଏହି ସବୁ ଜିଲ୍ଲାରେ ନକ୍ସଲ ଗତିବିଦ୍ଧିର ଗୁଇନ୍ଦା ସୂଚନା ସଂଗ୍ରହ ଆରମ୍ଭ ହୋଇଛି।

ମିଳିବାକୁ ଥିବା ସୂଚନା ଅନୁସାରେ ଅପରେସନ ଲଞ୍ଚକରି ନକ୍ସଲ ସଫେଇ ଅଭିଯାନ ଆଗକୁ ବଢାଯିବ। ଏଥିରେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ଆଇନ ତଥା ସମ୍ବିଧାନିକ ବ୍ୟବସ୍ଥାର ମୁଖ୍ୟଧାରାରେ ସାମିଲ କରିବା ପାଇଁ ସେମାନଙ୍କ ହାତରେ ଏବେ ସମ୍ବିଧାନର ପୁସ୍ତକ ଦିଆଯାଉଛି। ନକ୍ସଲଙ୍କ କ୍ଷେତ୍ର ଯେପରି ସୀମିତ ହେବାରେ ଲାଗିଛି ସେମାନଙ୍କ ପାଇଁ ନେତୃତ୍ୱ ସଂକଟ ମଧ୍ୟ ଗୁରୁତର ହେବାରେ ଲାଗିଛି। ବେଣୁ ଗୋପାଲ ଓରଫ ଭୂପତି ଗଡ଼ଚିରୌଲୀରେ ଆତ୍ମ ସମର୍ପଣ କରିଦେବା ପରେ ମାଓବାଦୀଙ୍କ ଶୀର୍ଷ ସଙ୍ଗଠନ ପଲିଟି ବ୍ୟୁରୋରେ ଏବେ କେବଳ ୩ ଜଣ ସଦସ୍ୟ ଥିପ୍ପିରୀ ତିରୁପତି ଓରଫ ଦେବଜୀ, ଏମ.ଲକ୍ଷ୍ମଣ ରାଓ ଓରଫ ଗଣପତି ଓ ମିସିର ବେସରା ହିଁ ଅଛନ୍ତି।

ଏମାନଙ୍କ ମଧ୍ୟରୁ ଦେବଜୀ ସେଣ୍ଟ୍ରାଲ ମିଲେଟ୍ରି କମିଶନର ସଚିବ ଥିବା ବେଳେ ମିସରୀ ବେସରା ଝାଡ଼ଖଣ୍ଡରେ ଓ ଗଣପତି ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧାରଣ ସମ୍ପାଦକ ଥିଲା। ତେବେ ସେ ଅସୁସ୍ଥ ରହିବାରୁ ବସବ ରାଜୁଙ୍କୁ ସାଧାରଣ ସମ୍ପାଦକ କରାଯାଇଥିଲା। କୁହାଯାଉଛି ଗଣପତି ଏବେ ଜୀବିତ ଅଛି ଓ ବସବ ରାଜୁ ଏନକାଉଣ୍ଟର ସ୍ଥଳରେ ଥିଲା। ହେଲେ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏହା ଛଡା ସେଣ୍ଟ୍ରାଲ କମିଟିକୁ ପଦୋନ୍ନତୀ ପାଇଥିବା ହିଡମା ଓ ସବୁଠୁ ବଡ଼ ସୈନ୍ୟ ୟୁନିଟର ମୁଖ୍ୟ କୁଲରୀ ପ୍ରସାଦ ରାଓ ଓରଫ ଚନ୍ଦ୍ରାନ୍ନା ଅଛନ୍ତି। ଏହା ଛଡା ଓଡିଶା ଏବଂ ଝାଡ଼ଖଣ୍ଡରେ କିଛି ବରିଷ୍ଠ ମାଓବାଦୀ ନେତା ସକ୍ରିୟ ଅଛନ୍ତି। ତେବେ ସେମାନଙ୍କ ପ୍ରଭାବ ଓ କ୍ଷମତା ସୀମିତ।

ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ମିଳୁଥିବା ଗୁଇନ୍ଦା ସୂଚନା ଅନୁସାରେ ବଳକା ଶୀର୍ଷ ନେତାମାନେ ବାଟାଲିୟନ ସଂରକ୍ଷଣରେ ଅଛନ୍ତି। ବାଟାଲିୟନରେ ଅଟୋମେଟିକ୍ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୩୦୦ ମାଓବାଦୀ କ୍ୟାଡର ଅଛନ୍ତି। ହେଲେ ଏବେ ବଟାଲିୟନ ଓ ଏଥିରେ ରହୁଥିବା ଶୀର୍ଷ ନେତାଙ୍କ ଗତିବିଦ୍ଧି ଉପରେ ନଜର ରଖାଯାଉନି। ସେମାନେ ହୁଏତ ଛତିଶଗଡ଼ ଓ ତେଲେଙ୍ଗାନା ସୀମାବର୍ତ୍ତି କୌଣସି ଅଞ୍ଚଳରେ ଲୁଚିଥାଇ ପାରନ୍ତି। ସେମାନଙ୍କୁ ଖୋଜି ଖୋଜି ସମାପ୍ତ କରିବା ସୁରକ୍ଷା ବଳଙ୍କ ପ୍ରାଥମିକତା ହେବ। ଏଥିରେ ସଫଳତା ମିଳିଲେ ବଳକା କ୍ୟାଡର ଆତ୍ମସମର୍ପଣ କରିଦେବେ।