ନୂଆଦିଲ୍ଲୀ ୧।୨: ଦେଶର ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଉପସ୍ଥାପିତ ବଜେଟରେ ସରକାର ଆର୍ଥିକ ନିଅଣ୍ଟ (ଫିସ୍କାଲ ଡେଫିସିଟ)ପରିମାଣ ୪.୪ ପ୍ରତିଶତକୁ ହ୍ରାସ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛନ୍ତି। ଯାହା ଚଳିତବର୍ଷ ୪.୮ (ସଂଶୋଧିତ) ପ୍ରତିଶତରୁ ବି କମ ରହିଛି। ବଜେଟରେ ପର୍ସନାଲ ଟ୍ୟାକ୍ସେସରେ ବଡ଼ ପରିବର୍ତ୍ତନ କରାଯାଇଛି। ଟ୍ୟାକ୍ସରେ ପରିବର୍ତ୍ତନ ଯୋଗୁ ପାଖାପାଖି ୧ ଟ୍ରିଲିୟନ ଘାଟା ହେବ ବୋଲି ଆକଳନ କରାଯାଇଛି।
ଏହି କ୍ଷତି ଭରଣା ପାଇଁ ସରକାର ବଜାରରୁ ଗ୍ରସ ବରୋଇଂକୁ ବଢେଇ ୧୪.୮୨ଲକ୍ଷ କୋଟି ଅର୍ଥାତ ୧୭୧.୨୬ ବିଲିୟନ ଡଲାର କରିବାକୁ ଯୋଜନା କରିଛନ୍ତି, ଯାହା ଚଳିତବର୍ଷ ୧୪.୦୧ଲକ୍ଷ କୋଟି ଟଙ୍କା ଅଛି। ଏଥିରୁ ନେଟ ମାର୍କେଟ ବରୋଇଂ ୧୧.୫୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି, ଯାହା ଗତବର୍ଷର ୧୧.୬୩ କୋଟି ଟଙ୍କାରୁ ସାମାନ୍ୟ କମ୍।
ସରକାରଙ୍କ ଯୋଜନା ୨୦୨୬-୨୭ଆର୍ଥିକ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ବେଞ୍ଚମାର୍କ ଭାବେ ‘ଡେଟ୍ ଟୁ ଜିଡିପି’କୁ ସିଫ୍ଟ କରିବେ, ଯାହା ଋଣ ସ୍ତରକୁ ହ୍ରାସ କରି ୩୧ ମାର୍ଚ୍ଚ ୨୦୨୩୧ ସୁଦ୍ଧା ୫୦ ପ୍ରତିଶତକୁ ହ୍ରାସ କରିବ। ଏହା ବର୍ତ୍ତମାନ ସମୟରେ ୫୭.୧ ପ୍ରତିଶତ ସ୍ତରରେ ରହିଛି। ବଜେଟ୍ ନିଅଣ୍ଟ କମ ହେବା ଯୋଗୁ ସରକାର ଏବେ ଋଣ ଭାର ହ୍ରାସ ଉପରେ ଗୁରୁତ୍ୱ ଦେଇଛନ୍ତି।
ସରକାର ଆଗାମୀ ୫ ବର୍ଷରେ ହେଲଥ୍ ସର୍ଭିସ ସେକ୍ଟରରେ ୭୫,୦୦୦ ମେଡିକାଲ ସିଟ୍ ବଢେଇବାକୁ ଘୋଷଣା କରିଛନ୍ତି। ସେହିପରି ୨୦୨୬ ସୁଦ୍ଧା ସରକାରୀ ହସ୍ପିଟାଲମାନଙ୍କରେ ୨୦୦ ଡେ କେୟାର କ୍ୟାନସର ସେଣ୍ଟର ତିଆରି କରିବାକୁ ମଧ୍ୟ ଘୋଷଣା ହୋଇଛି। ଏହା ଛଡା ଡେଲିଭରୀ କର୍ମଚାରୀଙ୍କ ପାଇଁ ଏକ ବୀମା ଯୋଜନା ଉପରେ ମଧ୍ୟ କାମ ଚାଲିଛି। ଶ୍ରମିକଙ୍କ ନିମନ୍ତେ ଇ-ଶ୍ରମ ପୋର୍ଟାଲ ଡେଭଲପ କରାଯିବ। ଏହା ଛଡା ଜଳ-ଜୀବନ ମିସନ ପ୍ରକଳ୍ପ ନିମନ୍ତେ ରାଜ୍ୟମାନଙ୍କୁ ୫୦ ବର୍ଷ ନିମନ୍ତେ ୧.୫ କୋଟି ଟଙ୍କାର ମାଗଣ ଋଣ ମିଳିବ।