ଜୋହାନ୍ସବର୍ଗ, ୧୯/୦୮ : ସୁନା ଖଣିରେ ଅଘଟଣ । ଧସିଗଲା ଖଣି । ଚାପି ହୋଇ ରହିଗଲେ ଶ୍ରମିକ । ଏବେସୁଦ୍ଧା ୩୦ ଶ୍ରମିକ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ଆଫ୍ରିକାର ପଶ୍ଚିମ ପ୍ରାନ୍ତରେ । ଏଠାରେ ଏକ ସୁନା ଖଣିରେ ଶ୍ରମିକମାନେ ଖନନ କରୁଥିବା ବେଳେ ଅଘଟଣ ଘଟିଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ ଆଫ୍ରିକାର ଆବା ପ୍ରାନ୍ତରେ ଏକ ବିରାଟ ସୁନା ଖଣି ରହିଛି । ଏଠାରୁ ସବୁଦିନ ସୁନା ଖନନ କରାଯାଏ । ତେବେ ମଙ୍ଗଳବାର ସକାଳେ ଏଠାରେ ଶ୍ରମିକମାନେ କାମ କରୁଥିବା ବେଳେ ଏହା ଧସି ଯାଇଥିଲା । ଫଳରେ ୫୦ରୁ ଅଧିକ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ କହିଛି । ଅନ୍ୟ ଦିଗରେ ଏବେବି ଆହୁରି ଶ୍ରମିକ ଚାପି ହୋଇ ରହିଛନ୍ତି ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Also Read :- ବ୍ରିଟେନ୍ ସହ ଯୁଦ୍ଧ କରିବ ଋଷ : ରାଗିଗଲେ ପୁଟିନ, ମାଡ଼ କରିବେ ଭୟଙ୍କର ଅସ୍ତ୍ର !

ସ୍ଥାନୀୟ ଡେପୁଟୀ ମେୟର ସୋଲେମାନେ ବାଇ କହିଛନ୍ତି ଯେ, ଖଣିରୁ ୩୦ଟି ମୃତଦେହ ଉଦ୍ଧାର କରାଯାଇଛି । ଆହୁରି ଅନେକ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ପ୍ରଦାନ କରାଯାଉଛି ।

ସେ ଆହୁରି କହିଛନ୍ତି ଯେ, ଅଘଟଣ ପରେ ସ୍ଥାନୀୟ ଲୋକେ ସାହାଯ୍ୟର ହାତ ବଢାଇଥିଲେ । ସେମାନେ ତୁରନ୍ତ ଉଦ୍ଧାରକାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଅଞ୍ଚଳରେ ଅଧିକାଂଶ ସମୟରେ ଏପରି ଅଘଟଣ ଘଟିଥାଏ । ଶ୍ରମିକମାନେ ବିପଦସଙ୍କୁଳ ଅବସ୍ଥାରେ କାମ କରିଥାନ୍ତି । ବିନା କୌଣସି ସୁରକ୍ଷା ଉପକରଣରେ ସେମାନେ ଖନନ କାର୍ଯ୍ୟରେ ନିୟୋଜିତ ହେଉଥିବା ଡେପୁଟୀ ମେୟର ପ୍ରକାଶ କରିଛନ୍ତି ।