ଅକ୍ଷୟ ତୃତୀୟା ପୂର୍ବରୁ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ?

Published By : Prameya-News7 Bureau | May 05, 2024 IST

ନୂଆଦିଲ୍ଲୀ ୫।୫: ସୁନା କିଣିବା ପାଇଁ ଯୋଜନାରେ ଥିବା ଲୋକଙ୍କ ଲାଗି ଭଲ ଖବର। ସୁନା ମୂଲ୍ୟ ହ୍ରାସ ଲଗାତାର ଜାରି ରହିଛି। ସର୍ବକାଳୀନ ଉଚ୍ଚତମ ସ୍ତରରୁ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୩ହଜାର ଟଙ୍କା ହ୍ରାସ ହେଲାଣି। ଦେଶରେ ଆଗକୁ ଅକ୍ଷୟ ତୃତୀୟା ପର୍ବ ଏଥିରେ ସୁନା ଦର ଲଗାତାର ହ୍ରାସ ହେବା ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଯୋଗୁ ସୁନା ଦର ଆକାଶ ଛୁଇଁଥିଲା, ତେବେ ଯୁଦ୍ଧ ଦୀର୍ଘ ନ ହେବା ସଂକେତରେ ଦର ହ୍ରାସ ଆରମ୍ଭ ହୋଇଥିବା ବେଳେ ଏହା ଏବେ ଜାରି ଅଛି। 

ଗତ ସପ୍ତାହରେ ସୁନା ପ୍ରତି ୧୦ ଗ୍ରାମ ଦର ୮୦୦ ଟଙ୍କା ହ୍ରାସ ହୋଇଥିଲା। ଏହା ପରେ ମଲ୍ଟି କମଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ପିଛା ସୁନାଦର ୭୦,୬୭୭ ଟଙ୍କାକୁ ଚାଲିଆସିଥିଲା। ଗତ ଏପ୍ରିଲ ପ୍ରଥମ ସପ୍ତାହରେ ସୁନା ଦର ଅଚାନକ ଆକାଶ ଛୁଇଁଥିଲା। ମାସର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉ ହେଉ ୧୦ ଗ୍ରାମ ପିଛା ସୁନା ଦର ୭୩,୯୫୮ ଟଙ୍କାର ସର୍ବକାଳୀନ ଉଚ୍ଚସ୍ତରକୁ ପହଞ୍ଚିଥିଲା। ହେଲେ ସେବେଠାରୁ ଏ ପର୍ଯ୍ୟନ୍ତ ସୁନା ଦର ହ୍ରାସ ଉପରେ ନଜର ପକାଇଲେ ପାଖାପାଖି ୧୦ ଗ୍ରା ପିଛା ଦର ୩,୨୮୧ ଟଙ୍କା ଶସ୍ତା ହୋଇଛି। 

ସୁନା ଦରରେ ଏପରି ହ୍ରାସ କେବଳ ଦେଶରେ ନୁହେଁ ବୈଶ୍ୱିକ ସ୍ତରରେ ଦେଖାଯାଇଛି। ଗତ ଶୁକ୍ରବାର  ପ୍ରତି ଆଉନ୍ସ ସୁନା ଦର ୨,୩୦୧ ଡଲାରରେ କାରବାର ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ୧ ଆଉନ୍ସ ପାଖାପାଖି ୨୮ ଗ୍ରାମ ହୋଇଥାଏ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ବିଶ୍ୱରେ ସୁନା ଦର ହ୍ରାସ ଏପରି ଏକ ସମୟରେ ଦେଖା ଦେଇଛି ଯେତେବେଳେ ଆଗକୁ ଦେଶରେ ଅକ୍ଷୟ ତୃତୀୟା ପର୍ବ ପାଳିତ ହେବାକୁ ଯାଉଛି। ଅକ୍ଷୟ ତୃତୀୟା ମେ ୧୦ ତାରିଖ ଦିନ ପାଳିତ ହେବ ଓ ଏହି ଦିନ ସୁନା କିଣାର ଖାସ ଗୁରୁତ୍ୱ ଥାଏ। 

ଭାରତରେ ମାନ୍ୟତା ଅଛି ଯେ ଅକ୍ଷୟ ତୃତୀୟାରେ ସ୍ୱର୍ଣ୍ଣାଳଙ୍କାର କିଣିଲେ ଶୁଭ ହୋଇଥାଏ। ସୁନା ଦର ଏବେ ବି ଆକାଶ ଛୁଆଁ ରହିଛି। ଏହା ସତ୍ତ୍ୱେ ଅକ୍ଷୟତୃତୀୟ ଦିନ ଦେଶରେ ବେଶ୍ ସୁନା କାରବାର ହେବ। ତେବେ ସେତେବେଳକୁ ସୁନା ଦର ଆହୁରି ହ୍ରାସ ହୋଇଥିବ ବୋଲି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି। ଗତବର୍ଷ ଅକ୍ଷୟ ତୃତୀୟା ବେଳର ଦାମ ସହ ସୁନାର ଏବେକା ବଜାର ମୂଲ୍ୟ ତୁଳନା କଲେ ଏହା ଢେର ଅଧିକ ରହିଛି। ଗତବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୨୨ ତାରିଖରେ ପାଳିତ ହୋଇଥିଲା। ସେତେବେଳେ ଦେଶରେ ୨୨ କ୍ୟାରେଟ ଗୋଲ୍ଡ ୧୦ଗ୍ରାମ ପିଛା ଦର ୫୬,୦୫୦ ଟଙ୍କା ଥିଲା। ସେହିପରି ୨୪ କ୍ୟାରେଟ୍ ସୁନା ଦର ସେତେବେଳେ ପ୍ରତି ୧୦ ଗ୍ରାମ ୬୧,୧୫୦ ଟଙ୍କା ଆଖପାଖରେ କାରବାର କରୁଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.