ୱିପ୍ରୋ ରୁ ଆଉ ଏକ ବଡ଼ ଇସ୍ତଫା, COO ଅମିତ ଚୌଧୁରୀ ଛାଡିଲେ ସଂସ୍ଥା

Published By : Prameya-News7 Bureau | May 17, 2024 IST

ମୁମ୍ବାଇ ୧୭।୫: ଆଇଟି କମ୍ପାନୀ ୱିପ୍ରୋର ବଡ଼ ପଦପଦବୀରେ ଇସ୍ତଫା ଜାରି ରହିଛି। ଏହି କ୍ରମରେ କମ୍ପାନୀର ସିଓଓ ଅମିତ ଚୌଧୁରୀ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ନିକଟ ଅତୀତରେ ଭାରତୀୟ ଦିଗ୍ଗଜ ଆଇଟି କମ୍ପାନୀରେ ଏହା ତୃତୀୟ ବଡ଼ ଇସ୍ତଫା। ଏହା ପୂର୍ବରୁ ଏପ୍ରିଲ ମାସରେ କମ୍ପାନୀର ସିଇଓ ଥିଏରୀ ଡେଲାପୋର୍ଟ ତାଙ୍କ ପଦ ଛାଡିବାର ଘୋଷଣା କରିଥିଲେ। ଏହା ପରେ ୱିପ୍ରୋର ଏସିୟା ପେସିଫିକ୍, ଇଣ୍ଡିଆ ଓ ମିଡିଲଇଷ୍ଟ ଏବଂ ଆଫ୍ରିକାର ପ୍ରେସିଡେଣ୍ଟ ଅନିଶ ଚେଞ୍ଚାହ ମଧ୍ୟ ଇସ୍ତଫା ଦେଇଥିଲେ। 

ୱିପ୍ରୋ ଶୁକ୍ରବାର ଏକ୍ସଚେଞ୍ଜ ଫାଇଲିଂରେ ଅମିତ ଚୌଧୁରୀଙ୍କ ଇସ୍ତଫା ସୂଚନା ଦେଇଛି। ତାଙ୍କ ଇସ୍ତଫା ତତ୍କାଳ ପ୍ରଭାବ ଲାଗୁ ହୋଇଯାଇଛି। ୱିପ୍ରୋ ସୂଚିତ କରିଛନ୍ତି ଯେ ଅମିତ ଚୌଧୁରୀ ଅନ୍ୟସ୍ଥାନରେ ସମ୍ଭାବନା ସନ୍ଧାନରେ ତାଙ୍କ ପଦ ଛାଡିଛନ୍ତି। ୩୧ ମେ ୱିପ୍ରୋରେ ତାଙ୍କର ଶେଷ ଦିନ ହେବ। କମ୍ପାନୀ ତାଙ୍କ ସ୍ଥାନରେ ସଞ୍ଜୀବ ଜୈନଙ୍କୁ ନିଯୁକ୍ତ କରିଛି। ତେବେ ଏହି ଇସ୍ତଫାଗୁଡିକରେ ସବୁଠୁ ରୋଚକ କଥା ହେଉଛି ଡେଲାପୋର୍ଟ, ଚେଞ୍ଚହା ଓ ଚୌଧୁରୀ ଫ୍ରାନ୍ସ ମୁଖ୍ୟାଳୟ କମ୍ପାନୀ କ୍ୟାପଜେମିନୀରେ କାମ କରୁଥିଲେ। ଡେଲାପୋର୍ଟ ୱିପ୍ରୋରେ ସିଇଓ ନିଯୁକ୍ତି ପାଇବା ପରେ ଚେଞ୍ଚହା ଓ ଚୌଧୁରୀଙ୍କୁ ସଂସ୍ଥାରେ ନିଯୁକ୍ତ କରିଥିଲେ। ଏଣୁ ଏହା ମନେ କରାଯାଉଛି ଡେଲାପୋର୍ଟଙ୍କ ଯିବା ପରେ ତାଙ୍କ ଟିମ୍‌ କମ୍ପାନୀ ଛାଡିଛି।   

ୱିପ୍ରୋର ନୂଆ ସିଓଓ ସଞ୍ଜୀବ ଜୈନ କମ୍ପାନୀର ସିଇଓ ତଥା ଏମଡି ଶ୍ରୀନିବାସ ପଲିୟାଙ୍କୁ ରିପୋର୍ଟ କରିବେ। ସଞ୍ଜୀବ ଜୈନ ୨୦୨୩ରେ ଗ୍ଲୋବାଲ ବିଜନେସ୍ ଅପରେସନ ହେଡ ଭାବେ କମ୍ପାନୀରେ ଯୋଗଦାନ କରିଥିଲେ। ସେ ୱିପ୍ରୋରେ ଏଆଇ ଟ୍ରେନିଂ ନେଇ ଅନେକ କାମ କରିଛନ୍ତି। ଆଇଟି ସେକ୍ଟରରେ ତାଙ୍କର ପାଖାପାଖି ୩୦ ବର୍ଷର ଅଭିଜ୍ଞତା ରହିଛି। ସେ ଆଇଆଇଏମ ମୁମ୍ବାଇରୁ ଉତୀର୍ଣ୍ଣ ହୋଇଥିଲେ। ସେ ଆଇବିଏମ, କଗ୍ନିଜେଣ୍ଟ ଓ ଜିଇ ଭଳି ଦିଗ୍ଗଜ କମ୍ପାନୀମାନଙ୍କରେ କାମ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.