News7 Logo

ଉତ୍ତରାଧିକାରୀ ନାହାନ୍ତି, ଜିୟୋର୍ଜିୟୋ ଅରମାନୀ ପଛରେ ଛାଡି ଯାଇଛନ୍ତି ଫ୍ୟାସନ ସାମ୍ରାଜ୍ୟ, ଜାଣନ୍ତୁ ସମ୍ଭାଳିବ କିଏ?

NEWS7
Gerogio Armani

ମିଲାନ ୫।୯: ଫ୍ୟାସନ ଜଗତର ଜଣାଶୁଣା ନାମ ଜିୟୋର୍ଜିୟୋ ଅରମାନୀଙ୍କ ୪ ସେପ୍ଟେମ୍ବର ୨୦୨୫ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଇଟାଲିୟନ ଫ୍ୟାସନ ଡିଜାଇନର ଓ ବିଲେନିୟର ଭାବେ ଜଣାଶୁଣା ଅରମାନୀଙ୍କୁ ‘ରି ଜିୟୋର୍ଜିୟୋ’ (କିଙ୍ଗ ଜିୟୋର୍ଜିୟୋ)କୁହାଯାଉଥିଲା। ଅରମାନୀ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ କାମ କରୁଥିଲେ। ହେଲେ ତାଙ୍କର କେହି ସନ୍ତାନ୍ତ ସନ୍ତତି ନାହାନ୍ତି, ତାଙ୍କ ବ୍ୟବସାୟୀକ ସାମ୍ରାଜ୍ୟକୁ କିଏ ସମ୍ଭାଳିବ ତାହା ଏବେ ଲକ୍ଷେ ଟଙ୍କାର ପ୍ରଶ୍ନ ପାଲଟିଛି।

ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଲାନ ଫ୍ୟାନସ ୱିକ୍ ରେ  ଅରମାନୀଙ୍କ କମ୍ପାନୀର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଥାନ୍ତା। ତେବେ ବୟସ ସମ୍ପର୍କିତ ବେମାରୀରେ ତାଙ୍କର ପରଲୋକ ହୋଇଛି। ଏଥି ଯୋଗୁ ଜୁନ ୨୦୨୫ରେ ମିଲାନରେ ଅନୁଷ୍ଠିତ ହୋଇଥିବା ମିଲାନ ମେନ୍ସ ଫ୍ୟାସନ ୱିକ୍ ରେ ସେ ଯୋଗ ଦେଇ ପାରିନଥିଲେ। ୧୯୮୦ ଦଶକରେ ରିଲିଜ ହୋଇଥିବା ଫିଲ୍ମ ‘ଆମେରିକାନ ଗିଗଲୋ’ ରେ ରିଚାର୍ଡ ଗିୟରଙ୍କ ଲାଗି ଡିଜାଇନ କରାଯାଇଥିବା ଅନଷ୍ଟ୍ରକଚର୍ଡ ସୁଟସ୍ ଅରମାନୀଙ୍କୁ ସାରା ବିଶ୍ୱରେ ପରିଚିତ କରିଥିଲା।

ଅରମାନୀ ରେଡି-ଟୁ-ୱେର, ହଟ କଉଚର, ପରଫ୍ୟୁମ, ହୋଟେଲ ଓ ହୋମୱେର ପର୍ଯ୍ୟନ୍ତ ତାଙ୍କର ପହଞ୍ଚ ତିଆରିଥିଲେ। ୨୦୨୩ ମସିହାରେ ତାଙ୍କ କମ୍ପାନୀର ଟର୍ଣ୍ଣଓଭର ୨.୪୪ ବିଲିୟନ ୟୁରୋ ଥିଲା ଓ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ୧୧ ବିଲିୟନ ଡଲାରର ଥିଲା। ଅରମାନୀ ଏପରି ଜଣେ ଫ୍ୟାସନ ଡିଜାଇନର ଥିଲେ ଯିଏ ହଲିଉଡ ତାରକା ଜୁଲିୟା ରବର୍ଟସ, ଲେଡି ଗାଗା ଓ ରିହାନାଙ୍କ ଲାଗି ପୋଷାକ ଡିଜାଇନ କରୁଥିଲେ। ଅରମାନୀଙ୍କ ପରୋଲକରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀ ଗଭୀର ଶୋକ ପ୍ରକଟ କରିଛନ୍ତି। ସେ କହିଛନ୍ତି ଜିୟୋର୍ଜିୟୋ ଅରମାନୀ ଇଟାଲୀୟ ଫ୍ୟାସନକୁ ନୂଆ ଉଚ୍ଚତା ଦେଇଥିଲେ। ଆଜି ବିଶ୍ୱ ଜଣେ ଦିଗ୍ଗଜଙ୍କୁ ହରାଇଥିବା ସେ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ଜିୟୋର୍ଜିୟା ଅରମାନୀଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି। ହେଲେ ସେ ତାଙ୍କ ପୁତୁରା ରୋବୋର୍ଟାଙ୍କୁ ବହୁତ ଭଲ ପାଉଥିଲେ। ତେବେ ତାଙ୍କ ଫିଲ୍ମ କ୍ୟାରିୟର ପାଇଁ ଅତୀତରେ ରୋବର୍ଟା ଅରମାନୀ ଗୃପର ପବ୍ଲିକ ରିଲେସନ ଡାଇରେକ୍ଟର ପଦବୀର ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ଏବେ କଥା ଉଠୁଛି ଜିୟୋର୍ଜିୟା ଅରମାନୀଙ୍କ ବିଜନେସ୍ କିଏ ସମ୍ଭାଳିବ? ତେବେ ରିପୋର୍ଟ ଅନୁସାରେ ଅରମାନୀ ତାଙ୍କ ଉତ୍ତରାଧିକାରୀଙ୍କୁ ପୂର୍ବରୁ ମନୋନୀତ କରିସାରିଛନ୍ତି। ଏଣୁ କମ୍ପାନୀର ନିର୍ଭର ଯୋଗ୍ୟ ସହଯୋଗୀ  ଡେଲ ଅରକୋ ଅଥବା ପାରିବାରିକ ସଦସ୍ୟ ସିଲଭାନା ଅରମାନୀ ବିଜନେସ୍ ଦାୟିତ୍ୱ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।