'ଭୂତ ପରି ଅନୁଭବ କରୁଥିଲେ'... ଡାକ୍ତର କହିଲେ ପୁଅ ବଞ୍ଚିବନି। ୧୩ ବର୍ଷ ପରେ ମୁକୁଳିଲେ। କହିଲେ ସେସମୟର ଭୟଙ୍କର କାହାଣୀ। ଦଶନ୍ଧି ଧରି ଭୂତ ପରି ଅନୁଭବ କରିବା କଣ ସମ୍ଭବ? ନିଜ ଜୀବନର ଘଟିଥିବା କାହାଣୀକୁ ସେୟାର କରିଛନ୍ତି ଜଣେ ୪୭ ବର୍ଷିୟ ବ୍ୟକ୍ତି। ଏମିତି ଏକ ଦିନ ଆସିଲା… ଯେଉଁଠି କଥାବାର୍ତ୍ତା କରିବା, ହଲଚଲ ହେବା ଓ ଏପରିକି ଜାଗ୍ରତ ରହିବାକୁ ଅସମର୍ଥ ହୋଇପଡ଼ିଥିଲେ। କିନ୍ତୁ ୧୩ ବର୍ଷ ପରେ ସେ ପାଇଲେ ନୂଆ ଜୀବନ ଆଉ ନୂଆ ପରିଚୟ। Ghost Boyରୁ ଏବେ ସଫଳତମ ବ୍ୟବସାୟୀ। ଏମିତି କଣ ଘଟିଥିଲା, ଯାହା ତାଙ୍କର ଜୀବନକୁ ଭୂତ ସହ ତୁଳନା କରିଛନ୍ତି।
ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ୪୭ ବର୍ଷିୟ ମାର୍ଟିନ୍ ପିସ୍ତୋରିୟସ। ୧୨ ବର୍ଷ ବୟସରେ ସ୍କୁଲରେ ପଢୁଥିବା ସମୟରେ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଗଲା। ଚିକିତ୍ସା ସମୟରେ ଜଣାପଡିଲା ସେ କ୍ରିପ୍ଟୋକୋକାଲ୍ ମେନିନଜାଇଟିସ୍ ରୋଗରେ ପୀଡିତ। ତାଙ୍କ ଶରୀର ଦୁର୍ବଳ ହେବାରେ ଲାଗିଲା ଏବଂ ସେ କହିବା ଏବଂ ନିଜର ଜୀବନଶୈଳୀକୁ ନିୟନ୍ତ୍ରଣ କରିବାର କ୍ଷମତା ହରାଇଲେ। ସେ ଏକ ହ୍ୱିଲ୍ ଚେୟାରରେ ପଡିରହିଲେ।
ତାଙ୍କର ବାପାମାଆଙ୍କୁ କୁହାଯାଇଥିଲା ଯେ ସେ ଏକ ଅଜଣା ଗୁରୁତର ରୋଗରେ ପୀଡିତ। ଯାହା ଦ୍ୱାରା ସେ ବଡ଼ ପିଲା ହୋଇବି ତାଙ୍କ ମାନସିକ ସ୍ଥିତି ଏକ ଶିଶୁ ପରି ରହିବ। ଅର୍ଥାତ ଛୋଟ ପିଲାଙ୍କ ପରି ଜୀବନ ବିତାଇବେ। ତାଙ୍କର ଆୟୁକାଳ ଦୁଇ ବର୍ଷରୁ କମ୍ ସମୟ ଅଛି। କିନ୍ତୁ ତାଙ୍କ ସ୍ମରଣ ଶକ୍ତି ଚାରି ବର୍ଷ ପରେ ଫେରି ଆସିଲା। ତଥାପି କହିବା କିମ୍ବା ଚାଲିବାରେ ଅସମର୍ଥ ଥିଲେ, ଯାହାଦ୍ୱାରା ତାଙ୍କ ଶରୀର କଏଦୀ ପରି ବନ୍ଦୀ ହୋଇ ରହୁଥିଲା।
ମାର୍ଟିନ କହିଛନ୍ତି ଯେ କେତେକ ଯତ୍ନ ନେଉଥିବା ବ୍ୟକ୍ତି ତାଙ୍କ ପ୍ରତି ଅସଦାଚରଣ କରିଥିଲେ। ଏପରିକି ସେ ଯୌନ ଶୋଷଣର ଶିକାର ହୋଇଥିଲେ। ସେ ସେହି ଦିନକୁ ଅପେକ୍ଷା କରିଥିଲେ, ଯେତେବେଳେ କେହି ଜଣେ ଜାଣିବେ ଯେ ତାଙ୍କର ମସ୍ତିଷ୍କ କାମ କରୁଛି, ଯାହାଫଳରେ ସେ ମୁକ୍ତ ହୋଇପାରିବେ। ୨୦୦୧ରେ ତାଙ୍କ ଜୀବନ ବଦଳିଗଲା, ଯେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା, ତାଙ୍କୁ ଏକ ଥେରାପି କେନ୍ଦ୍ରକୁ ନିଆଯାଇଥିଲା।
ସେଠାରେ ଥିବା ଆରୋମାଥେରାପିଷ୍ଟ ବିରନା ଭାନ୍ ତାଙ୍କୁ ବୁଝିବାକୁ ଚେଷ୍ଟା କରିଥିଲେ। ଏହା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ଗୋଟିଏ ବର୍ଷ ମଧ୍ୟରେ, ସେ ଯୋଗାଯୋଗ କରିବା ପାଇଁ କମ୍ପ୍ୟୁଟର ପ୍ରୋଗ୍ରାମ ବ୍ୟବହାର କରିବା ଆରମ୍ଭ କଲେ ଏବଂ ତାଙ୍କ ଶରୀର ପୁନର୍ବାର ଶକ୍ତି ପାଇବାକୁ ଲାଗିଲା ଆଜି ସେ ସଫଳତମ କମ୍ପୁଟର୍ ବ୍ୟବସାୟୀ ଭାବେ ଜଣାଶୁଣା, ହେଲେ ଭୁଲିପାରୁନାହାନ୍ତି ସେଦିନର ସମୟ। ତାଙ୍କ ଜୀବନ କାହାଣୀ ନେଇ ରଚିତ ପୁସ୍ତକ Ghost Boy ଲୋକପ୍ରିୟ ହୋଇପାରିଛି।