ବିମାନରେ ଲଞ୍ଚବକ୍ସ ନେବା ପଡିଲା ମହଙ୍ଗା, ଗଣିଲେ ୫ ଲକ୍ଷ ଟଙ୍କାର ଜରିମାନା

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ ୩୦।୦୫: ସାଧାରଣତଃ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ଜିନିଷପତ୍ରର ଯାଞ୍ଚ୍‌ ହୁଏ । ବ୍ୟାଗ୍‌ରେ ଯଦି କିଛି ପ୍ରତିବନ୍ଧିତ ସାମଗ୍ରୀ ମିଳେ, ତେବେ ବିମାନ କର୍ତ୍ତୃପକ୍ଷ ତାକୁ ଜବତ କରନ୍ତି । ଏଥିସହ ଯାତ୍ରୀଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରାଯାଏ । ତେବେ ଅତି ସମ୍ବେଦନଶୀଳ ମାମଲାରେ ଯାତ୍ରୀଙ୍କୁ ବିମାନ ଯାତ୍ରା କରିବାକୁ ମଧ୍ୟ ବାରଣ କରାଯାଏ । 

କିନ୍ତୁ ଜଣେ ବ୍ୟକ୍ତିଙ୍କୁ ବିମାନରେ ଲଞ୍ଚବକ୍ସ ନେବା ପଡିଛି ମହଙ୍ଗା । ଏଥିପାଇଁ ସେ ଗଣିଛନ୍ତି ୫ ଲକ୍ଷ ଟଙ୍କାର ଜରିମାନା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ...ବର୍ତ୍ତମାନ ଚିନ୍ତା କରୁଥିବେ ଲଞ୍ଚବକ୍ସରେ ଏପରି କଣ ରହିଥିଲା ? କାହିଁକି ଲାଗିଲା ଜରିମାନା ?  ଆସନ୍ତୁ ଜାଣିବା... 

ଘଟଣାଟି ଇଣ୍ଡୋନେସିଆର ଜଣେ ଯାତ୍ରୀଙ୍କ ସହ ଘଟିଛି । ନିକଟରେ ଏହି ବ୍ୟକ୍ତି ଜଣକ ହଂକଂରୁ ତାଇୱାନ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କ ସହ ଏଭଳି ହୋଇଛି । ସେ ଜାଣିନଥିଲେ ଯେ ସାଙ୍ଗରେ ନେଇଥିବା ଲଞ୍ଚ୍‌ବକ୍ସ ତାଙ୍କୁ ମହଙ୍ଗା ପଡ଼ିବ । ସେ ଲଞ୍ଚ୍‌ବକ୍ସରେ ଏଭଳି ଖାଦ୍ୟ ନେଇ ଯାଉଥିଲେ, ଯାହା ଉପରେ କଟକଣା ଲାଗୁ ହୋଇଛି । 

ରିପୋର୍ଟ ଅନୁସାରେ, ଲଞ୍ଚ୍‌ବକ୍ସରେ ଯାତ୍ରୀ ପୋଡ଼ା ଘୁଷୁରି ମାଂସ ନେଇ ଯାଉଥିଲେ । ତାଇୱାନରେ ପହଞ୍ଚିବା ମାତ୍ରେ ବିମାନବନ୍ଦରରେ ତାଙ୍କୁ ଅଟକାଇ ଦିଆଗଲା । ନିୟମ ଉଲ୍ଲଂଘନ ଯୋଗୁ ତାଙ୍କ ଉପରେ ୬,୨୦୦ ଡଲାର ଅର୍ଥାତ୍‌ ୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଲାଗୁ ହେଲା । ଜରିମାନା ରାଶିକୁ ତାଙ୍କୁ ତୁରନ୍ତ ଭରିବାକୁ ନିର୍ଦ୍ଦେଶ ହେଲା । 

ସୂଚନାଯୋଗ୍ୟ, ତାଇୱାନରେ ହଂକଂରୁ ଆସୁଥିବା ଘୁଷୁରି ମାଂସ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଇଣ୍ଡୋନେସିଆର ଯାତ୍ରୀ ଜଣକ ତତ୍‌କାଳ ଜରିମାନା ପୈଠ କରି ନ ପାରିବାରୁ ତାଙ୍କୁ ହଂକଂ ପଠାଇ ଦିଆଗଲା । ଆଗକୁ ଏଭଳି ଭୁଲ ନ କରିବାକୁ ତାଙ୍କୁ କଡ଼ା ଚେତାବନୀ ମଧ୍ୟ ଦିଆଗଲା । ଜରିମାନା ଦେବା ପରେ ହିଁ ତାଙ୍କୁ ତାଇୱାନରେ ପ୍ରବେଶ ଅନୁମତି ମିଳିବ ବୋଲି ବିମାନବନ୍ଦରରେ କୁହାଯାଇଛି ।

  ବାସ୍ତବରେ ୨୦୧୮ରେ ହଂକଂରେ ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁର ମାମଲା ଦେଖିବାକୁ ମିଳିଥିଲା । ସେବେଠାରୁ ତାଇଓ୍ବାନ୍‌ରେ ହଂକଂ ଘୁଷୁରି ଆମଦାନୀ ଉପରେ କଡା ନିୟନ୍ତ୍ରଣ ଲଗାଇଛନ୍ତି । ଯଦି ପ୍ରଥମ ଥର ପାଇଁ ଏହି ଅପରାଧ କରୁଥିବା କେହି ଧରାପଡ଼ନ୍ତି, ତେବେ ଜରିମାନା ୫ ଲକ୍ଷ ଟଙ୍କା ଏବଂ ଯଦି କେହି ବାରମ୍ବାର ସମାନ ଭୁଲ କରନ୍ତି ତେବେ ଜରିମାନା ଏକ ମିଲିୟନ୍ ତାଇୱାନ ଡଲାରକୁ ବଢିପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.