ନ୍ୟୁୟର୍କ, ୦୩/୦୪ : ବିଦା ହୋଇଛନ୍ତି ୟୁଏସ ସେନାମୁଖ୍ୟ । ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଦେଶର ସେନା ମୁଖ୍ୟଙ୍କୁ ହଟାଇ ଦେଇଛି । ସେନାମୁଖ୍ୟ ଆର୍ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ । ତାଙ୍କ ବିଦାୟ ପରେ, ଡେପୁଟି ଚିଫ୍ ଜେନେରାଲ୍ କ୍ରିଷ୍ଟୋଫର ଲାନେଭ କାର୍ଯ୍ୟକାରୀ ସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ। ଜର୍ଜ ୨୦୨୩ ଅଗଷ୍ଟ ମାସରେ ସେନା ମୁଖ୍ୟ ହୋଇଥିଲେ । ଏହି ପଦବୀ ଚାରି ବର୍ଷର ହୋଇଥାଏ । ତାଙ୍କ କାର୍ଯ୍ୟକାଳରେ ଗୋଟିଏ ବର୍ଷ ବାକି ଥିବା ବେଳେ ହଟାଇ ଦିଆଯାଇଛି।

ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ସଚିବ

ପ୍ରତିରକ୍ଷା ସଚିବ ହେଗସେଥ୍ ସେନା ମୁଖ୍ୟ ଜେନେରାଲଙ୍କୁ ତୁରନ୍ତ ପଦ ଛାଡି ଅବସର ନେବାକୁ କହିଛନ୍ତି। ହେଗସେଥ୍ ଏହି ଶୀର୍ଷ ସେନା ଅଧିକାରୀଙ୍କୁ ଇସ୍ତଫା ଦେବାକୁ କହିଥିବା ପେଣ୍ଟାଗନ୍ ସ୍ପଷ୍ଟ କରିଛି ।ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଶୀର୍ଷ ଜେନେରାଲ ଏବଂ ଆଡମିରାଲଙ୍କୁ ବରଖାସ୍ତ କରିଛନ୍ତି। ଗତ ବର୍ଷ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ହେଗସେଥ୍ ଡଜନେରୁ ଅଧିକ ଶୀର୍ଷ ଜେନେରାଲ ଏବଂ ଆଡମିରାଲଙ୍କୁ ବରଖାସ୍ତ କରିଛନ୍ତି।

ସେନା ଉପାଧ୍ୟକ୍ଷରୁ ମୁଖ୍ୟ ପଦବୀ

ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପୂର୍ବରୁ, ଜର୍ଜ ସେନାର ଉପାଧ୍ୟକ୍ଷ ଭାବରେ ଏବଂ ତା’ପୂର୍ବରୁ, ତତ୍କାଳୀନ ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନଙ୍କ ବରିଷ୍ଠ ସାମରିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ସେ ବାଇଡେନ ପ୍ରଶାସନ ସମୟରେ ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ଅଷ୍ଟିନଙ୍କ ସର୍ବୋଚ୍ଚ ସାମରିକ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଯାହା ପରେ ସେ ସେନାରେ ବରିଷ୍ଠ ନେତୃତ୍ୱ ଭୂମିକା ଗ୍ରହଣ କରିଥିଲେ।

ବିଦା କରିବାର କାରଣ

ଅନେକ ସମୟରେ ଆମେରିକାରେ କୌଣସି ବଡ ଅଧିକାରୀଙ୍କୁ ବିଦା କରିବା ପଛର କାରଣ କୁହାଯାଇନଥାଏ । ତଥାପି ଆଲୋଚନା ହେଉଛି ଯେ, ଟ୍ରମ୍ପଙ୍କ କାର୍ଯ୍ୟପ୍ରଣାଳୀକୁ ଜର୍ଜ ପସନ୍ଦ କରୁନଥିଲେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଚାରଧାରା ସହ ସେ ଖାପ ଖୁଆଇ ପାରୁନଥିଲେ । ଏପରିକି ଟ୍ରମ୍ପଙ୍କ ପ୍ରତି ତାଙ୍କର ଆନୁଗତ୍ୟ ସେତେ ନଥିଲା ।