LIVE TV

ନେପାଳରେ Gen Z ଆନ୍ଦୋଳନରୁ ବ୍ୟାପକ କ୍ଷତି, ୨୧ ବିଲିୟନ ନେପାଳୀ ଟଙ୍କାର ରେକର୍ଡ ବୀମା କ୍ଲେମ୍

NEWS7
nepal

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ଆନ୍ଦୋଳନ ଯୋଗୁଁ ବ୍ୟାପକ ସମ୍ପତ୍ତି କ୍ଷତି ଘଟିଛି । ଏହାକୁ ନେଇ ନେପାଳ ଇତିହାସରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ବୀମା ଦାବି ହୋଇଛି । ଏହି ବୀମା ଦାବିର ମୋଟ ପରିମାଣ ପ୍ରାୟ ୨୧ ବିଲିୟନ ନେପାଳୀ ଟଙ୍କାରେ ପହଞ୍ଚିଛି । ନେପାଳ ବୀମା ପ୍ରାଧିକରଣ ଦ୍ୱାରା ସେପ୍ଟେମ୍ବର ୧୮ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଣ-ଜୀବନ ବୀମା କମ୍ପାନିଗୁଡ଼ିକ ସେପ୍ଟେମ୍ବର ୧୬ ସୁଦ୍ଧା ବୀମାକୃତ ବ୍ୟକ୍ତିଙ୍କଠାରୁ ୧,୯୮୪ କ୍ଲେମ ପାଇଛନ୍ତି, ଯାହା ମୋଟ ୨୦.୭ ବିଲିୟନ ନେପାଳୀ ଟଙ୍କା ।

ରିପୋର୍ଟ ଅନୁଯାୟୀ କ୍ଷୟକ୍ଷତି ଆକଳନ ଚାଲିଛି, ତେଣୁ ବୀମା ଦାବି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ବୀମା କମ୍ପାନୀଗୁଡ଼ିକ ମିଳିଥିବା କ୍ଲେମ୍ ୨୦୧୫ ଭୂମିକମ୍ପ ସମୟରେ ମିଳିଥିବା ଦାବିକୁ ଅତିକ୍ରମ କରିସାରିଛି । ସେତେବେଳେ ଏହା ୧୬.୫ ବିଲିୟନ ନେପାଳୀ ଟଙ୍କା ଥିଲା ।

ପ୍ରକାଶିତ ତଥ୍ୟ ଅନୁଯାୟୀ, ଇଣ୍ଡିଆନ୍ ଓରିଏଣ୍ଟାଲ ଇନସ୍ୟୁରାନ୍ସର ଏକ ଶାଖା, ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍, ସେପ୍ଟେମ୍ବର ୧୬ ସୁଦ୍ଧା ସର୍ବାଧିକ ସଂଖ୍ୟକ କ୍ଲେମ୍ ପାଇଛି । କମ୍ପାନୀକୁ କେବଲ ୪୦ଟି ମାମଲାରେ ମୋଟ ୫.୧୪ ବିଲିୟନ ନେପାଳୀ ଟଙ୍କା ଦାବି କରାଯାଇଛି । ଏହି ଦାବିଗୁଡ଼ିକ ମଧ୍ୟରୁ ଅଧିକାଂଶ ହିଲଟନ୍ କାଠମାଣ୍ଡୁ ହୋଟେଲରୁ ଆସିଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ହିଂସ୍ରାତ୍ମକ ପ୍ରଦର୍ଶନ ବେଳେ ଏହି ହୋଟେଲ୍ ସର୍ବାଧିକ କ୍ଷତି ସହିଥିଲା।

ସିଦ୍ଧାର୍ଥ ପ୍ରିମିୟର ଇନସ୍ୟୁରାନ୍ସ, ଶିଖର ଇନସ୍ୟୁରାନ୍ସ, ଆଇଜିଆଇ ପ୍ରୁଡେନ୍ସିଆଲ୍ ଇନସ୍ୟୁରାନ୍ସ ଏବଂ ସାଗରମାଥା ଲୁମ୍ବିନୀ ନିକଟରେ ସର୍ବାଧିକ ଇନ୍ୟୁରାନ୍ସ କ୍ଲେମ କରାଯାଇଛି  । ବାଣିଜ୍ୟ ସଂଗଠନ କନଫେଡେରେସନ ଅଫ୍ ନେପାଳ ଇଣ୍ଡଷ୍ଟ୍ରିଜ୍ (CNI)ର ଜଣେ ଅଧିକାରୀଙ୍କ ଅନୁଯାୟୀ, କେବଳ କିଛି ପ୍ରମୁଖ ବ୍ୟବସାୟିକ କମ୍ପାନୀ ୬୦ ବିଲିୟନ ନେପାଳୀ ଟଙ୍କାରୁ ଅଧିକ କ୍ଷତି ସହିଥିବା ରିପୋର୍ଟ କରିଛନ୍ତି।