News7 Logo

୨୦୧୫ ଭୂମିକମ୍ପ ବିନାଶକୁ ବଳିଗଲା Gen-Z ଧ୍ୱଂସଲିଳା, ଜାଣନ୍ତୁ ବୀମା କମ୍ପାନୀଙ୍କୁ ଏବେ ଦେବାକୁ ପଡିବ କେତେ?

NEWS7
gfx

କାଠମାଂଡୁ ୧୧।୯: ନେପାଳରେ କେ.ପି.ଶର୍ମା ଓଲିଙ୍କ ବିରୋଧରେ ଜେନ-ଜେଡ୍ ଆନ୍ଦୋଳ ୯ ସେପ୍ଟେମ୍ବର ମଙ୍ଗଳବାର ଉଗ୍ର ରୂପ ଧାରଣ କରିଥିଲା। ଉପଦ୍ରବୀ ସାରା ଦେଶରେ ଏପରି ଉପଦ୍ରବ କରିଥିଲେ ଯେ ଏହାର କେହି କେବେ କଳ୍ପନା ମଧ୍ୟ କରିନଥିବେ। ଯୁବପିଢୀଙ୍କ ଆକ୍ରୋଶ ଆଗରେ କେ.ପି.ଶର୍ମା ଓଲିଙ୍କୁ ନଇଁବାକୁ ପଡିଥିଲା ଓ ରାଷ୍ଟ୍ରପତି ମଧ୍ୟ ଇସ୍ତଫା ଦେଇଥିଲେ। ଏହି ହିଂସାକାଣ୍ଡରେ ନେପାଳର ଏତେ କ୍ଷୟକ୍ଷତି ହୋଇଛି ତାହା ୨୦୧୫ ଭୂମିକମ୍ପ ବିନାଶ ଲିଳାକୁ ମଧ୍ୟ ବଳେଇଯାଇଛି। 

କାଠମାଂଡୁ ସମେତ ନେପାଳର ଅନ୍ୟ ସହରାଞ୍ଚଳ ହିଂସାର ନିଆଁରେ ଜଳିବା ପରେ ଏବେ ଶାନ୍ତପଡିଛି। ଜେନ-ଜେଡ୍ ଆନ୍ଦୋଳନ ମଧ୍ୟକୁ ନେପାଳର ସବୁଠୁ ଉଚ୍ଚତମ ହୋଟେଲ ମଧ୍ୟ ଆସିଯାଇଥିଲା। ଉପଦ୍ରବୀମାନେ ହୋଟେଲ ହିଲ୍ଟନରେ ନିଆଁ ଲଗାଇ ଦେଇଥିଲେ। ଏହି ପଞ୍ଚତାରକା ହୋଟେଲ ଜୁଲାଇ ୨୦୨୪ରେ ଉଦଘାଟିତ ହୋଇଥିଲା। ଏହି ହୋଟେଲ ନିର୍ମାଣରେ  ଭାରତୀୟ ମୁଦ୍ରାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଆଧୁନିକ ସୁବିଧା ସମ୍ପନ୍ନ ହୋଟେଲରେ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଅବସ୍ଥାନ କରୁଥିଲେ।

ପ୍ରଦର୍ଶନକାରୀମାନେ କର୍ଫ୍ୟୁ ଓ ସୁରକ୍ଷାବଳଙ୍କୁ ଉଲ୍ଲଂଘନ କରି ଜଳାପୋଡା କରିଥିଲେ ଓ ବିଭିନ୍ନ ପ୍ରମୁଖ ଭବନକୁ ଟାର୍ଗେଟ୍ କରିଥିଲେ। ସେମାନେ ସୁପ୍ରିମକୋର୍ଟ, ସିଂହ ଦରବାର(ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ), ରାଷ୍ଟ୍ରପତି ଭବନ, କେ.ପି.ଓଲିଙ୍କ ଘରୋଇ ବାସଭବନ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଘର ସମେତ ଅନେକ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ନେତାମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ପଳାୟନ କରିବାକୁ ପଡିଥିଲା।

ନେପାଳ ଇନସ୍ୟୁରାନ୍ସ ଆସୋସିଏସନ (ଏନଆଇଏ) ଅନୁସାରେ ଦେଶରେ ଯେଉଁଭଳି ହିଂସା କାଣ୍ଡ ଘଟିଛି ଏହା ଯୋଗୁ ବୀମା କମ୍ପାନୀମାନଙ୍କୁ ପାଖାପାଖି ଭାରତୀୟ ମୁଦ୍ରାରେ ୩,୧୦୦ କୋଟି ଟଙ୍କାରୁ ଅଧିକ କ୍ଲେମର ସାମ୍ନା କରିବାକୁ ପଡିପାରେ। ଏହି କ୍ଷୟକ୍ଷତି ନେପାଳରେ ୨୦୧୫ ମସିହାରେ ହୋଇଥିବା ଭୂମିକମ୍ପ କ୍ଷୟକ୍ଷତି ଠାରୁ ୩ ଗୁଣା ଅଧିକ। ଏଣୁ ବୀମା କମ୍ପାନୀମାନଙ୍କୁ ଭାରି କ୍ଷତି ସହିବାକୁ ପଡିପାରେ। ଓଲିଙ୍କ ଇସ୍ତଫାର କିଛି ଘଣ୍ଟା ପୂର୍ବରୁ ବିକ୍ଷୋଭକାରୀମାନେ ବାଲକୋଟରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ।

ଏହା ଛଡା ଉପଦ୍ରବୀ ମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପୈଡେଲ, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲଦହଲ, ପୂର୍ବତନ ସଞ୍ଚାର ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଂଗ, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଆବାସୀୟ ପରିସର ଉପରେ ଆକ୍ରମଣ କରିଥିଲେ।