'ପରୀକ୍ଷା ପେ ଚର୍ଚ୍ଚା' ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି, ପରୀକ୍ଷା ଭୟ ଦୂର କରି ଆତ୍ମବିଶ୍ୱାସ ବଢ଼ାଉଛି

NEWS7
garry-sobers-smashes-365-runs-against-pakistan-youngest-player-to-score-triple-century-in-test-cricket

ନୂଆଦିଲ୍ଲୀ/ଭୁବନେଶ୍ୱର ୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ନୂଆ ରାସ୍ତା ଦେଖାଉଛି । ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ଟିପ୍ସ ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଦୂର କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସବୁଠୁ ବଡ ମାର୍ଗଦର୍ଶକ ସାଜିବାରେ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ନୂଆଦିଲ୍ଲୀ ସ୍ଥିତ ଜିଏମସି ବାଲୟୋଗୀ ଅଡ଼ିଟୋରିୟମ ଠାରେ ଆୟୋଜିତ 'ପରୀକ୍ଷା ପେ ଚର୍ଚ୍ଚା-୨୦୨୬' ର ସ୍ପେଶାଲ ସ୍କ୍ରିନିଂ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ, ସହଯୋଗୀ ସାଂସଦ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ବସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରକ୍ଲାସକୁ ଉପଭୋଗ କରିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ‘ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣରେ ଉପାଦେୟ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ  କହିଛନ୍ତି, 'ପରୀକ୍ଷା ପେ ଚର୍ଚ୍ଚା' କେବଳ ପରୀକ୍ଷା ରେଜଲ୍ଟ ପାଇଁ ନୁହେଁ, ବରଂ ଏହା ଶିଶୁର ବୌଦ୍ଧିକ ଓ ସାମଗ୍ରିକ ବିକାଶ  ଉପରେ ଗୁରୁତ୍ୱାରୋପ କରେ । ଏହା ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭୟମୁକ୍ତ ପରିବେଶରେ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଛି । ଏହି କାର୍ଯ୍ୟକ୍ରମ ଆଜି ଦେଶବ୍ୟାପୀ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଟାଇମ ମ୍ୟାନେଜମେଣ୍ଟ ବା ସମୟ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ କେବଳ ଛାତ୍ରଛାତ୍ରୀ ନୁହେଁ, ବରଂ ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ । ଏହି ଅନନ୍ୟ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ 'ବିକଶିତ ଭାରତ' ର ସାରଥି ଭାବେ ଗଢ଼ିତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଶେଷରେ, କେନ୍ଦ୍ରମନ୍ତ୍ରୀ ଆଗାମୀ ପରୀକ୍ଷା ପାଇଁ ସମସ୍ତ 'ଏଗଜାମ ୱାରିୟର୍ସ' ବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।