ନୂଆଦିଲ୍ଲୀ: ପିଲାବେଳେ ମାଟିତଳୁ ଗୁପ୍ତଧନ ମିଳିବା ଗପ ନିଶ୍ଚୟ ପଢ଼ିଥିବେ। ଯେଉଁଥିରେ କେହି ଗୁପ୍ତଧନ ପାଇଁ ଧନୀ ହେଉଛି।ହେଲେ ଏଭଳି ଏକ ସତ ଘଟଣା ଘଟିଛି ଫ୍ରାନ୍ସର ଜଣେ ବ୍ୟକ୍ତିଙ୍କ ସହ। ବ୍ୟକ୍ତି ଜଣକ ନିଜ ଜମିରୁ ପାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ବଡ଼ କଥା ହେଲା ପ୍ରଶାସନ ମଧ୍ୟ ସେହି ସମ୍ପତ୍ତିକୁ ତାଙ୍କୁ ରଖିବାକୁ ଅନୁମତି ଦେଇଛି। ଅର୍ଥାତ ବ୍ୟକ୍ତି ଜଣକ ବର୍ତ୍ତମାନ ସେହି ଗୁପ୍ତଧନର ମାଲିକ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫ୍ରାନ୍ସର ଲିଓନ୍ ଅଞ୍ଚଳର ନ୍ୟୁଭିଲ୍-ସୁର୍-ସାଓନ୍ର ଜଣେ ବ୍ୟକ୍ତିଙ୍କ ଘରୁ ମିଳିଛି ଏହି ଗୁପ୍ତଧନ। ବ୍ୟକ୍ତି ଜଣକ ବର୍ଷେ ତଳେ ନ୍ୟୁଭିଲ୍-ସୁର୍-ସାଓନକୁ ରହିବାକୁ ଆସିଥିଲେ। ତେବେ ସେ ରହୁଥିବା ଘର ଅଗଣାରେ ଏକ ସୁଇମିଂ ପୁଲ୍ ନିର୍ମାଣ ପାଇଁ ଖୋଦେଇ କରିବାବେଳେ ତାଙ୍କୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ କିଛି ଗୁଡ଼ାଇ ହୋଇଥିବାର ମିଳିଲା।

ଏହାକୁ ଖୋଲିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେହି ପ୍ଲାଷ୍ଟିକ ବ୍ୟାଗରେ ରହିଥିଲା ୫ଟି ସୁନା ବାର୍ ଓ ବିପୁଳ ପରିମାରଣର ସୁନା ମୁଦ୍ରା। ଜଣା ପଡ଼ିଛି ସେହି ସୁନା ବାର୍ ଓ ମୁଦ୍ରାର ମୂଲ୍ୟ ୭ ଲକ୍ଷ ୟୁରୋ ବା ପ୍ରାୟ ୭ କୋଟି ଟଙ୍କା ହେବ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଜଣେ ସଚେତନ ନାଗରିକ ଭାବରେ ଏହି ଗୁପ୍ତଧନ ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଫ୍ରାନ୍ସର ସାଂସ୍କୃତିକ ବ୍ୟାପାର ମନ୍ତ୍ରଣାଳୟର ଆଞ୍ଚଳିକ ଶାଖା DRAC ଏବଂ ଅନ୍ୟାନ୍ୟ ରାଜ୍ୟ ଅଧିକାରୀମାନଙ୍କୁ ମଧ୍ୟ ଏହି ଗୁପ୍ତଧନ ବିଷୟରେ କୁହାଯାଇଥିଲା।

ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଅନୁସାରେ, ଏହାପରେ ଗୁପ୍ତଧନର ଯାଞ୍ଚ କରାଯାଇଥିଲା। ଏହାର କୌଣସି ଐତିହାସିକ ସମ୍ପର୍କ ରହିଛି ନାହିଁ ? କିମ୍ବା ଏହା କୌଣସି ସ୍ଥାନର ଚୋରି ହୋଇଛି କି ? ଏସବୁର ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚର ଏଭଳି କୌଣସି ପ୍ରମାଣ ମିଳିନଥିଲା। ଜଣାପଡ଼ିଥିଲା ଯେ, ସମସ୍ତ ସୁନା ବାର୍ ଏବଂ ମୁଦ୍ରାରେ ଭିନ୍ନ ସଂଖ୍ୟା ରହିଛି। ଯାହା ପ୍ରମାଣିତ କରୁଛି ଯେ, ଏହାର କୌଣସି ଐତିହାସିକ ଦୃଷ୍ଟାନ୍ତ ନାହିଁ କି’ ଏହାକୁ କେଉଁଠାରୁ ଚୋରି ହୋଇନାହିଁ।

ତେଣୁ ଉକ୍ତ ବ୍ୟକ୍ତିଙ୍କ ଅଗଣାରୁ ମିଳିଥିବାରୁ ଏହାକୁ ଆଇନତଃ ତାଙ୍କର ବୋଲି କୁହାଯିବା ସହ ବ୍ୟକ୍ତିଙ୍କୁ ହିଁ ଏହାକୁ ରଖିବାକୁ ଦିଆଯାଇଥିଲା। ଫ୍ରାନ୍ସର ଉନବିଂଶ ଶତାବ୍ଦୀର ନାଗରିକ ସଂହିତା ଅନୁସାରେ, ଯଦି କାହାକୁ ଏଭଳି କୌଣସି ଗୁପ୍ତଧନ ମିଳୁଛି, ଆଉ ଯଦି ପ୍ରକୃତ ମାଲିକାନା ସାବ୍ୟସ୍ତ ହୋଇପାରୁନାହିଁ। ତେବେ ଉକ୍ତ ଧନ ପାଇଥିବା ବ୍ୟକ୍ତିଙ୍କୁ ଏହାର ମାଲିକ ବୋଲି ଘୋଷଣା କରାଯାଏ।

ଜଣାପଡ଼ିଛି ଏହା ମାତ୍ର ୧୫ରୁ ୨୦ ବର୍ଷ ପୁରୁଣା। ଅଧିକାରୀମାନେ କହିଛନ୍ତି ଏହି ସୁନାକୁ ଲିଓନ୍ ଅଞ୍ଚଳର ଏକ ରିଫାଇନାରୀରେ ପ୍ରସ୍ତୁତ କରାଯାଇଥିଲା ।ତେବେ ଏହା ଏହି ସୁନା କିଏ ପୋତିଥିଲା ? ତାହା ହୁଏତ ସବୁଦିନ ପାଇଁ ଏକ ରହସ୍ୟ ହୋଇ ରହିପାରେ। କାରଣ ଘରର ପୂର୍ବତନ ମାଲିକଙ୍କ ପରଲୋକ ହୋଇସାରିଛି।