ନୂଆଦିଲ୍ଲୀ: ଚୀନକୁ ନେଇ ଭାରତର ପଲିସିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି । ଭାରତରେ ଫ୍ୟାକ୍ଟ୍ରି ଚଲାଉଥିବା ଚାରୋଟି ଚୀନ ପାୱାର ଉପକରଣ ପ୍ରସ୍ତୁତକାରୀ କମ୍ପାନିକୁ ଗୁରୁତ୍ୱପୂର୍ଣ୍ଣ ପାୱାର ପ୍ରୋଜେକ୍ଟ ପାଇଁ ସରକାରୀ ଟେଣ୍ଡରରେ ଭାଗ ନେବାକୁ ମଞ୍ଜୁରି ମିଳିଛି । ଏକ ସରକାରୀ ଆଦେଶରୁ ଏହା ଜଣାପଡ଼ିଛି । ଚୀନ କମ୍ପାନିଗୁଡ଼ିକୁ ସରକାରୀ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ମଞ୍ଜୁରି ଦେବା ଭାରତର ପଲିସିରେ ପରିବର୍ତ୍ତନର ସଙ୍କେତ ଅଟେ । ଏହି ନିଷ୍ପତ୍ତିର ଅର୍ଥ ଏହା ଯେ ସରକାର ଜାତୀୟ ସୁରକ୍ଷା ଏବଂ ଦେଶର ଅର୍ଥନୈତିକ ଆବଶ୍ୟକତା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ।

ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟର ଜୁନ୍ ୨୪ର ଆଦେଶ ଅନୁଯାୟୀ, ଟିବିଇଏ ଏନର୍ଜି (TBEA Energy), ନାନଜିଙ୍ଗ ଇଲେକ୍ଟ୍ରିକ ଇଣ୍ଡିଆ (Nanjing Electric India), ନ୍ୟୁ ନର୍ଥଇଷ୍ଟ ଇଲେକ୍ଟ୍ରିକ ଇଣ୍ଡିଆ (New Northeast Electric India) ଏବଂ ତାଇକାଇ ଇଲେକ୍ଟ୍ରିକ (ଇଣ୍ଡିଆ)କୁ ଟେଣ୍ଡରରେ ଭାଗ ନେବାକୁ ଅନୁମତି ମିଳିବ ।

ଦସ୍ତାବିଜ୍ ଅନୁସାରେ, ଭାରତର ଶକ୍ତି ମନ୍ତ୍ରଣାଳୟ ଜାନୁଆରୀରେ କିଛି କମ୍ପାନିଗୁଡ଼ିକ ପାଇଁ ଛାଡ଼ ମାଗିଥିଲା । ଯେଉଁମାନଙ୍କର ଭାରତରେ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ରହିଛି ଏବଂ ଗୁରୁତ୍ୱପୂର୍ଣ୍ଣ ପାୱାର ପ୍ରୋଜେକ୍ଟ ସହିତ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ରିହାତି ଚାହିଁଥିଲା । ରଏଟର୍ସ ଜାନୁଆରୀରେ ରିପୋର୍ଟ କରିଥିଲା ଯେ ସୀମାରେ ଉତ୍ତେଜନା ହ୍ରାସ ପାଇବା ସହିତ ଭାରତ ସରକାରୀ କଣ୍ଟ୍ରାକ୍ଟ ପାଇଁ ଚୀନ ବିଡର୍ସମାନଙ୍କୁ ଆଉ କିଛି ରିହାତି ଦେବାକୁ ବିଚାର କରୁଥିଲା ।

୨୦୨୦ରୁ ଚୀନ କମ୍ପାନିଗୁଡ଼ିକ ପାଇଁ କଡ଼ାକଡ଼ି ହୋଇଥିଲା ନିୟମ

୨୦୨୦ ମସିହାରେ ଏଲଏସିରେ ହୋଇଥିବା ସଂଘର୍ଷ ପରେ ନୂଆଦିଲ୍ଲୀ ଚୀନ ବିଡର୍ସମାନଙ୍କ ପାଇଁ କଠୋର ହୋଇଥିଲା । କୌଣସି ବି ସରକାରୀ କଣ୍ଟ୍ରାକ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସରକାରୀ ପ୍ୟାନେଲ୍ ପାଖରେ ପଞ୍ଜୀକରଣ କରିବା ଏବଂ ରାଜନୈତିକ ଓ ସୁରକ୍ଷା ମଞ୍ଜୁରୀ ନେବା ବାଧ୍ୟତାମୂଳକ କରିଦେଇଥିଲା । ଭାରତ ବଦ୍ଧିତ ବିଦ୍ୟୁତ୍ ଚାହିଦା ଏବଂ ଅକ୍ଷୟ ଶକ୍ତିର ଲକ୍ଷ୍ୟ ପୂରଣ କରିବା ପାଇଁ ପାୱାର ଗ୍ରିଡ୍ ଏବଂ ଟ୍ରାନ୍ସମିସନ ନେଟୱର୍କର ଦ୍ରୁତ ସମ୍ପ୍ରସାରଣ କରିବା ଜରୁରି ଅଟେ । ଏହି ସମ୍ବେଦନଶୀଳ ଏବଂ ହାଇ-ଟେକ୍ ପାୱାର ପ୍ରୋଜେକ୍ଟ ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ସରଞ୍ଜାମର ଅଭାବ ଭାରତୀୟ ବଜାରରେ ରହିଛି, ତେଣୁ ସରକାର କେବଳ ଦୁଇ ବର୍ଷ ପାଇଁ ଭାରତରେ ଫ୍ୟାକ୍ଟ୍ରି ଥିବା ଏହି ୪ଟି ଚୀନ କମ୍ପାନିକୁ ଛାଡ଼ ଦେଇଛନ୍ତି ।

ତେବେ, ଏହା ସମ୍ପୂର୍ଣ୍ଣ ନୀତିଗତ ପରିବର୍ତ୍ତନ କିମ୍ବା ଚୀନକୁ ଖୋଲା ଛାଡ଼ ନୁହେଁ । କିନ୍ତୁ, ଭାରତର ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରୋଜେକ୍ଟର ଖର୍ଚ୍ଚ କମାଇବା ପାଇଁ ନିଆଯାଇଥିବା ଏକ ସୀମିତ ଏବଂ ଚିନ୍ତିତ ପଦକ୍ଷେପ ନିଶ୍ଚିତ ଅଟେ ।