ପଲ୍ଲିକ୍କାରା ୨।୧୦: କେରଳର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଜ୍ୟାକବ ଥୋମାସ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ପୂର୍ଣ୍ଣକାଳୀକ ପ୍ରଚାରକ ଭାବେ ଯୋଗ ଦେଇଛନ୍ତି। ପଲ୍ଲିକ୍କାରାରେ ଅନୁଷ୍ଠିତ ସଙ୍ଗଠନର କାର୍ଯ୍ୟକ୍ରମରେ ଥୋମାସ ‘ଗଣବେଶ’ (ଆରଏସଏସ୍ ପୋଷାକ)ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବତନ ଡିଜିପି କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଛନ୍ତି।

ସେ କହିଛନ୍ତି ଆରଏସଏସର ଉଦ୍ଦେଶ୍ୟ ସାଂସ୍କୃତିକ ରୂପେ ସଶକ୍ତ ବ୍ୟକ୍ତିଙ୍କ ନିର୍ମାଣ କରିବା। ଏଣୁ ସଙ୍ଗଠନକୁ ଆମଭଳି ଅଧିକ ଲୋକେ ଆସିଲେ ସମାଜ ମଜଭୁତ ହେବ ଓ ଏହା ଦ୍ୱାରା ରାଷ୍ଟ୍ରକୁ ମଧ୍ୟ ବଳ ମିଳିବ। ଏଣୁ ଆରଏସଏସ ବ୍ୟକ୍ତିଙ୍କ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଥୋମାସ କହିଛନ୍ତି ଯେ ଆରଏସଏସ କୌଣସି ଜାତି, ଧର୍ମ  ଅଥବା ଭାଷାଗତ ଆଞ୍ଚଳିକ ସଙ୍ଗଠନ ନୁହେଁ।

କେରଳ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ବ୍ୟୁରୋ (ଭିଏସିବି)ର  ପୂର୍ବତନ ନିର୍ଦ୍ଦେଶକ ଥୋମାସ ୨୦୨୧ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ନିକଟରେ ସେ ଆରଏସଏସରେ ଯୋଗ ଦେବେ ବୋଲି ଘୋଷଣା କରିଥିଲେ। ଗତବର୍ଷ କେରଳ କ୍ୟାଡର ପ୍ରଥମ ମହିଳା ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ) ତଥା ପୂର୍ବତନ ଡିଜିପି ଆର.ଶ୍ରୀଲେଖା ବିଜେପିରେ ଯୋଗ ଦେଇଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ପୂର୍ବତନ ଡିଜିପି ଟି.ପି. ସେନକୁମାର ମଧ୍ୟ ସଂଘ ପରିବାରରେ ଯୋଡି ହୋଇ ସାରିଛନ୍ତି।