ଢାକା ୨୮।୧୧: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ (୮୦) ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ନିକଟ ସମ୍ପର୍କୀୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତାଙ୍କ ଛାତିରେ ସଂକ୍ରମଣ ହୃଦୟ ଓ ଫୁସଫୁସ୍ କୁ ବ୍ୟାପିବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାରୀ ସମ୍ବାଦ ସରବରାହ ସଂସ୍ଥା ବିଏସଏସ୍ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ସାଧାରଣ ସମ୍ପାଦକ ମିର୍ଜା ଫକଋଲ ଇସ୍ଲାମ ଆଲମଗିରଙ୍କ ସୂତ୍ରରୁ କହିଛି ଯେ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି।

ଶୁକ୍ରବାର ନମାଜ ପରେ ତାଙ୍କ ସୁସ୍ଥତା ପାଇଁ ବିଏନପି ବିଶେଷ ପ୍ରାର୍ଥନା କରିଛି ଓ ଦେଶ ବ୍ୟାପୀ ସମର୍ଥନ ନିବେଦନ କରିଛି। ଫଖଋଲ କହିଛନ୍ତି ଆମେ ପ୍ରାର୍ଥନା କରୁଛୁ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ଓ ଲୋକଙ୍କ ମଧ୍ୟକୁ ଫେରି ପୁଣି ଦେଶ ଲାଗି କାମ କରିବା ପାଇଁ ଅବସର ପ୍ରାପ୍ତ କରନ୍ତୁ। ତେବେ ଜିଆ ଦୀର୍ଘ ସମୟରୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି। ଏଥିରେ ସେ ଲିଭର ଓ କିଡନୀ ସମସ୍ୟା ସାଙ୍ଗକୁ ଉଚ୍ଚ ମଧୂମେହ ଓ ଆଖି ସମ୍ପର୍କିତ ରୋଗ ମଧ୍ୟ ଭୋଗୁଛନ୍ତି। ତାଙ୍କ ବଡ଼ ପୁଅ ତାରିକ ରହମାନ ଯିଏ ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ବି ଅଛନ୍ତି ସେ ଦୀର୍ଘ ସମୟରୁ ଲଣ୍ଡନରେ ରହୁଛନ୍ତି।

ଖାଲିଦା ଜିଆଙ୍କ ସାନ ପୁଅ ଆରାଫତ ରହମାନଙ୍କ ଗତ ଦିନରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ତେବେ ବାଂଲାଦେଶର ପରିବର୍ତ୍ତିତ ରାଜନୈତିକ ପରିଦୃଶ୍ୟରେ ବିଏନପି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଭାବେ ଉଭା ହୋଇଛି। ଦେଶରେ ଛାତ୍ର ବିଦ୍ରୋହ ବିଏନପିକୁ ପୁଣି ଶକ୍ତି ପ୍ରଦାନ କରିଛି। ଚଳିତବର୍ଷ ପ୍ରାରମ୍ଭରେ ଖାଲିଦା ଜିଆ ୪ ମାସ ଧରି ଉନ୍ନତ ଚିକିତ୍ସା ଉପଚାରରେ ରହିବା ପରେ ସୁସ୍ଥ ହୋଇ ମେ ୬ ତାରିଖରେ ଲଣ୍ଡନରୁ ବାଂଲାଦେଶ ଫେରିଥିଲେ।