ଭୁବନେଶ୍ବର ୧୧।୩: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ରବୀନ୍ଦ୍ର ବିଜେପିରେ ଯୋଗଦେଲେ । ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ବି ମଞ୍ଚରେ ଉପସ୍ଥିତ ଥିଲେ । ରବୀନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତ, ବ୍ଲକ୍ ସ୍ତରୀୟ ବିଜେଡି ନେତା ଓ ଛାତ୍ର ନେତା ବି ବିଜେପିରେ ମିଶିଛନ୍ତି ।

ବୁଧବାର ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ବିରାଟ ପଟୁଆରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରେ ପହଞ୍ଚିଥିଲେ । ରାଜ୍ୟ ବିଜେପି ପକ୍ଷରୁ ରବୀନ୍ଦ୍ର ଜେନାଙ୍କ ସମେତ ଅନ୍ୟ ନେତା ମାନଙ୍କୁ ବିଜେପିକୁ ସ୍ୱାଗତ କରାଯାଇଥିଲା । ତେବେ ପଦ୍ମ ଶିବିରରେ ରବୀନ୍ଦ୍ର ଜେନା ଯୋଗଦେବା ପରେ ବାଲେଶ୍ୱରରେ ବିଜେପି ଆହୁରି ଶକ୍ତିଶାଳୀ ହେଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଡର : ରିସୋର୍ଟ ପଲିଟିକ୍ସ, ରାଜ୍ୟ ବାହାରକୁ ଯିବେ ବିଜେଡି, କଂଗ୍ରେସ ବିଧାୟକ !

ଏକଦା ରବୀନ୍ଦ୍ର ଜେନା ଜିଲ୍ଲା ବିଜେଡିରେ ଏକ ପ୍ରମୁଖ ଚେହେରା ଥିଲେ । ୨୦୧୪ରେ ସେ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେବେଠାରୁ ସେ ଜିଲ୍ଲା ବିଜେଡି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱକୁ ଗୁରୁତ୍ୱ ଦେଇ ଦଳ କ୍ରମାଗତ ୨ଥର ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିଲା । ଦଳକୁ ମଜଭୁତ କରିବା ପଛରେ ତାଙ୍କର ଅବଦାନ ମଧ୍ୟ ଥିଲା ।

ଏସବୁ ସତ୍ତ୍ୱେ ବିଭିନ୍ନ କାରଣ ପାଇଁ ରବୀନ୍ଦ୍ର ଜେନାଙ୍କୁ ନେଇ ଜିଲ୍ଲାରେ ବିଜେଡି ୨ ଫାଳ ହୋଇଯାଇଥିଲା । ଏହାର ପ୍ରଭାବ ୨୦୧୯ ନିର୍ବାଚନ ଉପରେ ପଡ଼ିଥିଲା । ଫଳସ୍ୱରୂପ ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ରବୀନ୍ଦ୍ର ଜେନା ୨୦୧୯ ନିର୍ବାଚନରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟରୁ ମାତ୍ର ୧୨ ହଜାର ୯୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏହି ନିର୍ବାଚନ ପରଠୁ ବାଲେଶ୍ୱରରେ ବିଜେଡି ସମ୍ପୂର୍ଣ୍ଣ ଦୁଇ ଫାଳ ହୋଇଥିଲା । ବିଭିନ୍ନ ସମୟରେ ଏହାର ସମାଧାନ ପାଇଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯେତେ ଚେଷ୍ଟା କରିଥିଲେ ହେଁ, ତାହାର ସୁଫଳ ମିଳିନଥିଲା ।

ଏ ଖବର ବି ପଢ଼ନ୍ତୁ:- ହଟିବ କି କାଠ ଓ କୋଇଲା ଚୁଲା କଟକଣା, ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ଏମିତିକି ୨୦୨୪ ନିର୍ବାଚନରେ ଦଳ ଏଥିପାଇଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଅବଶ୍ୟ ଏହି ନିର୍ବାଚନରେ ଇଂ. ଜେନାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ବସ୍ତାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋଟ୍ ଉପରେ କହିବାକୁ ଗଲେ ଏହି ନିର୍ବାଚନ ପରଠୁ ଜିଲ୍ଲା ବିଜେଡି ଦୁଇ ଗୋଷ୍ଠୀର ନେତୃତ୍ୱ ଯଥାକ୍ରମେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରବୀନ୍ଦ୍ର ଜେନାଙ୍କ ହାତରେ ଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ଏହାର ପ୍ରଭାବ ଜିଲ୍ଲାର ସଙ୍ଗଠନ ଉପରେ ପଡ଼ିଥିଲା ।

ଏମିତିକି ଗୋଷ୍ଠୀ କନ୍ଦଳ ପାଇଁ ଏବେ ବି ଜିଲ୍ଲା ସଭାପତି ଚୟନ ହୋଇପାରିନି । ଏସବୁ ସତ୍ତ୍ବେ ବିଜେଡିରୁ କିଛି ମାସ ହେବ ରବୀନ୍ଦ୍ର ଜେନା କୋଣଠେସା ହୋଇ ରହିଯାଇଥିଲେ । ପୂର୍ବଭଳି ରାଜ୍ୟ ନେତୃବୃନ୍ଦ ତାଙ୍କୁ ଯେପରି ଗୁରୁତ୍ୱ ଦେଉଥିଲେ ତାହା ମିଳୁନଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ଜଣାପଡ଼ୁଥିଲା । ଏହି ସମୟ ଭିତରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀଙ୍କର ଗୁରୁତ୍ୱ ବୃଦ୍ଧି ପାଇଥିଲା । ନିକଟରେ ରବୀନ୍ଦ୍ର ଜେନାଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା ସିମୁଳିଆ ବିଜେଡି ନେତା ଶଶୀ ସାହୁଙ୍କୁ ନିଲମ୍ବନ କରାଯିବା ଏହା ପ୍ରମାଣିତ କରିଥିଲା ।

​​​​​​​ଏ ଖବର ବି ପଢ଼ନ୍ତୁ:- ଏକାଧିକ ରାଜ୍ୟକୁ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ: ଦେଶରେ ଇଏନ୍ସି ଆଇନ ଲାଗୁ କଲେ କେନ୍ଦ୍ର ସରକାର

ସେବେଠାରୁ ଦଳରେ ରବୀନ୍ଦ୍ର ଜେନାଙ୍କ ସ୍ଥିତିକୁ ନେଇ ବିଭିନ୍ନ ଆଲୋଚନା ଲାଗି ରହିଥିଲା । ରବୀନ୍ଦ୍ର ଜେନା ବିଜେଡି ଛାଡ଼ିବା ସହ ଆଗାମୀ ଦିନରେ ବିଜେପିରେ ମିଶିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ରବୀନ୍ଦ୍ର ଜେନା ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ ଏବେ ପତ୍ନୀ ତଥା ବିଧାୟିକା ସୁବାସିନୀ ଜେନାଙ୍କ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେଉଛି ତାହାକୁ ନେଇ ଆଲୋଚନା ଜୋର । ସେ ଆଗାମୀ ଦିନରେ ବିଜେଡିରେ ରହିବେ ନା ଇସ୍ତଫା ଦେଇ ବିଜେପିରେ ମିଶିବେ ତାହା ଏବେ ପ୍ରଶ୍ନ ପାଲଟିଛି । ମୋଟ ଉପରେ କହିବାକୁ ଗଲେ ଏବେ ସୁବାସିନୀ ଜେନାଙ୍କ ରାଜନୈତିକ କ୍ୟାରିୟର ଦ୍ୱନ୍ଦ୍ୱରେ ଅଛି ।