ନୂଆଦିଲ୍ଲୀ: ବାହୁବଳୀ ଓ RRR ପରି ସୁପରହିଟ୍ ପିଲ୍ମର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲି ବିବାଦ ଘେରକୁ ଆସିଛନ୍ତି । ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ରାଜାମୌଲି ନିଜର ଆଗାମୀ ଫିଲ୍ମ ବାରାଣସୀର ଗ୍ଲୋବଟ୍ରାଟର୍ ଇଭେଣ୍ଟ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଛି ବୈଷୟିକ ତ୍ରୁଟି ହୋଇଥିଲା, ଯେଉଁଥି ପାଇଁ ଇଭେଣ୍ଟ ବିଳମ୍ୱରେ ଆରମ୍ଭ ହୋଇଥିଲା । ଏହାକୁ ନେଇ ରାଜାମୌଲି ବିଚଳିତ ହୋଇଥିଲେ ଓ ସେ ଭାଗବାନ ହନୁମାନଙ୍କୁ ନେଇ ବୟାନବାଜି କରିଥିଲେ । ଏବେ ଏଥିପାଇଁ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି । ତାଙ୍କ ବିରୁଦ୍ଧରେ ରାଷ୍ଟ୍ରୀୟ ବାନର ସେନା ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି ।

ରାଜାମୌଲିଙ୍କ ଆଗାମୀ ଫିଲ୍ମ 'ବାରାଣସୀ'ର ଟ୍ରେଲର ଗ୍ଲୋବେଟ୍ରୋଟର ଇଭେଣ୍ଟରେ ଲଞ୍ଚ ହେବାର ଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଇଭେଣ୍ଟ ଆରମ୍ଭରେ ବିଳମ୍ବ ହୋଇଥିଲା । ସେ ଏଥିରେ ବିରକ୍ତ ହୋଇ ଏହାକୁ ଭଗବାନ ହନୁମାନଙ୍କ ସହିତ ଯୋଡିଥିଲେ । ସେ କହିଥିଲେ, "ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଭଗବାନଙ୍କ ଉପରେ ବିଶ୍ୱାସ କରେ ନାହିଁ । କିନ୍ତୁ ମୋ ବାପା ଆସି କହିଥିଲେ ଯେ ଭଗବାନ ହନୁମାନ ସବୁକିଛି ସମ୍ଭାଳି ନେବେ । ସେ କ'ଣ ଏପରି ସମ୍ଭାଳୁଛନ୍ତି? ଏହା ଭାବି ମୋତେ ରାଗ ଆସୁଛି।" ସେ ଆହୁରି ମଧ୍ୟ କହିଥିଲେ, "ଯେତେବେଳେ ମୋ ବାପା ହନୁମାନଙ୍କ କଥା କହିଲେ ଏବଂ ସଫଳତା ପାଇଁ ତାଙ୍କ ଆଶୀର୍ବାଦ ପାଇଁ କହିଲେ, ମୁଁ ବହୁତ ରାଗିଗଲି ।"

ରାଜାମୌଲିଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଖୁବ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଲୋକମାନେ ତାଙ୍କର ଏହି ମନ୍ତବ୍ୟକୁ ଧାର୍ମିକ ଭାବନାର ଅପମାନ ଏବଂ ଭଗବାନ ହନୁମାନଙ୍କ ପ୍ରତି ଭକ୍ତିର ଅପମାନ ବୋଲି କହିଛନ୍ତି । ବାନର ସେନା ସଂଗଠନ ହାଇଦ୍ରାବାଦ ପୋଲିସରେ ରାଜମୌଲିଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ସଂଗଠନ କହିଛି ଯେ ଏସଏସ୍ ରାଜମୌଲି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି । ଏଏନଆଇ ରିପୋର୍ଟ ଅନୁସାରେ, ପୋଲିସ କହିଛି, ବାନର ସେନା ପକ୍ଷରୁ ଗୋଟିଏ ଅଭିଯୋଗ ମିଳିଛି । ଏଥିରେ କୁହାଯାଇଛି ଯେ ଏସଏସ୍ ରାଜମୌଲି ହନୁମାନଙ୍କ ଉପରେ ବିଶ୍ୱାସ କରୁନାହାନ୍ତି କହି ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଛନ୍ତି । ଏହି ମାମଲାର ତଦନ୍ତ ଚାଲିଥିବା ପୋଲିସ କହିଛନ୍ତି ।

ସେପଟେ ହିନ୍ଦୁ ସେନା ମଧ୍ୟ ରାଜାମୌଲିଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି । ହିନ୍ଦୁ ସେନା ସଦସ୍ୟ ବିଷ୍ଣୁ ଗୁପ୍ତା ଦିଲ୍ଲୀ ପୋଲିସ ନିକଟରେ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ଯେ ରାଜାମୌଲିଙ୍କ ମନ୍ତବ୍ୟ କେବଳ ଧାର୍ମିକ ଭାବନାକୁ ଆଘାତ ଦେଉନାହିଁ ବରଂ ସାମାଜିକ ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ମଧ୍ୟ ବ୍ୟାଘାତ କରିପାରେ ।