ମାଲକାନଗିରି ଜିଲ୍ଲାରେ ମିଳୁନି ସାର, ସେପଟେ କଳାବଜାରୀ କରୁଛନ୍ତି ଶିକ୍ଷକ

Published By : Prameya-News7 Bureau | August 26, 2025 IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ଠିକ୍ ଭାବେ ମିଳୁନାହିଁ ସାର। ସମବାୟ ଲ୍ୟାମ୍ପରେ ଯେଉଁଠି ଦୁଇ ହଜାର ଆଧାର କାର୍ଡ ଜମା ହେଉଛି ସେଇଠି ଆସୁଛି ମାତ୍ର ୨ ଶହ ବସ୍ତା ସାର। ଏମିରି ଏହି ସାର କାହାକୁ ଦେବେ ତାହା ଭାବି କାର୍ଯ୍ୟାଳୟରେ ତାଲା ପକାଇ ଦେଉଛନ୍ତି ଅଧିକାରି । ଏଭଳି ସ୍ଥିତିରେ  ସାରର କଳାବଜାରୀ ହେଉଛି। ଏବଂ ଚଢା ଦରରେ ଇଉରିଆ କିଣୁଛନ୍ତି ଚାଷୀ ।   କଳାବଜାରୀ କରୁଥିବା ଜଣେ ଶିକ୍ଷକଙ୍କୁ ଲୋକେ ଧରିଥିଲେ। ସାର ପାଇଁ ବାରମ୍ବାର ରାସ୍ତା ରୋକ ଓ ଆନ୍ଦୋଳନ ହେଉଥିବା ବେଳେ ଚାଷୀଙ୍କ ଅସୁବିଧା କିନ୍ତୁ ସମାଧାନ ହେଉନାହି । 

ସାର କଳାବଜାରୀ କରୁଥିଲେ ସାର୍। ଲୋକେ ଘେରିଗଲେ। ସାରଙ୍କଠାରୁ ସାର ଡିମାଣ୍ଡ କରିଥିଲେ। ଫଳ ହୋଇଥିଲା ହାତରେ ବିଡ଼ାବିଡ଼ା ଟଙ୍କା ସିନା ଧରିଛନ୍ତି । ସାର୍ କିନ୍ତୁ ସାର ଦେଇପାରିଲେନି। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଅଞ୍ଚର। ମାର୍କେଟରେ ଏବେ ୟୁରିଆ ମିଳୁନଥିବାରୁ ସାର୍ ସାର ବିକ୍ରିରେ ମାତିଛନ୍ତି ମାଥିଲିବ୍ଲକ ସିଆସି ଗୋପବନ୍ଧୁ ବାଙ୍କିଆ। ଚଢ଼ା ଦରରେ ସାର ବିକି ଟଙ୍କା ଆଦାୟ କରୁଥିଲେ। ସରକାର ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ହେଲେ ସିନା ସରକାରୀ ସାର୍ କିନ୍ତୁ ସାର ବିକି ଟଙ୍କା ଆଦାୟରେ ଲାଗିଛନ୍ତି।

ଘଟଣାର ତଦନ୍ତ କରି ଜିଲ୍ଲା କୃଷି ଅଧିକାରି କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।   ଇଉରିଆ ସାରର ଅଭାବକୁ ନେଇ ମାଲକାନଗିରି ଜିଲ୍ଲାରୁ ଆସିଛି ମାଳ ମାଳ ଚିତ୍ର । ଏମ.ଭି.୧୭ ଗାଁର ଜଣେ ବ୍ୟବସାୟୀ ଗୋଟିଏ ଟ୍ରକ ଇଉରିଆ ସାର ଆଣି ସାତ ଶହ ଟଙ୍କାରୁ ଆରମ୍ଭ କରି ହଜାର ଟଙ୍କାରେ ବିକ୍ରି କରୁଥିଲେ ହେଲେ ଲୋକଙ୍କ ଗହଳି ସମ୍ଭାଳି ନପାରି ଦୋକାନର କବାଟ ବନ୍ଦ କରି ଫେରାର ହୋଇଗଲେ ଦୋକାନୀ। ପରେ କୃଷି ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

Also read: ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ, ପ୍ରଥମରୁ ଅଷ୍ଟମ ୫୫ଟି ବହି ବଦଳାଇବାକୁ ନିଷ୍ପତ୍ତି

ସାର ଯେଉଁଠି ମିଳିବା କଥା ସେହି ଲ୍ୟାମ୍ପର ଚିତ୍ର କେମିତି ରହିଛି। ସମବାୟ ଲ୍ୟାମ୍ପ ରେ ରିହାତି ମୂଲ୍ୟରେ ସାର ମିଳିବା କଥା। ଦୁଇ ସପ୍ତାହ ଧରି ଏଠାରେ ଚାଷୀଙ୍କ ଭିଡ ଲାଗୁଛି ।  ୨ ହଜାର ଚାଷି ଇଉରିଆ ସାର ପାଇଁ ନିଜ ନିଜର ଆଧାର କାର୍ଜ ଜମା କରିଛନ୍ତି ଏଠାରେ । ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବସ୍ତା ଇଉରିଆ ସାର ମଧ୍ୟ ପାଇ ନାହାନ୍ତି ଚାଷି ।  ଶହ ଶହ ଚାଷି ମାଲକାନଗିରି ଲ୍ୟାମ୍ପକୁ ଇଉରିଆ ପାଇଁ ଯାଇଥିବା ବେଳେ ସେଠାକାର ଏମ.ଡି. ବାବୁ ନିଜ ଚୌକି ଛାଡି ଫେରାର ହୋଇ ଯାଇଛନ୍ତି । 

ଲ୍ୟାମ୍ପ କାର୍ଯ୍ୟାଳୟ ଭିତରେ ଥିବା ଜଣେ କର୍ମଚାରୀ କେବଳ ଲୋକଙ୍କ ନାମ ପଞ୍ଜିକରଣ କରି ଆସନ୍ତା ସୋମବାର ଦିନ ଆସିବା ଲାଗି କହିଛନ୍ତି ।  ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେବା ପରେ ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ବାଡରସ୍ତ ହୋଇଥିଲେ । ଏହା ପରେ ଆସନ୍ତୁ ଯିବା ଶିଖପାଲି ଲ୍ୟାମ୍ପକୁ ଏଠାରେ ମଧ୍ୟ ଏକା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାୟ ଦୁଇ ହଜାର ଚାଷି ଇଉରିଆ ସାର ପାଇଁ ଆଧାର କାର୍ଡ ଦେଇଥିବା ବେଳେ ସେଠାରି ରହିଛି ମାତ୍ର ୬ ଶହ ବସ୍ତା ସାର । ଯାହାକୁ ନେଇ ଚାଷିଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ରାଜ ରାସ୍ତାକୁ ଉହ୍ଲାଇ ଆନ୍ଦୋଳନ କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନ ।

ମାଲକାନଗିରି ଜିଲ୍ଲାରେ ଚାଷି ମାନେ ଇଉରିଆ ସାର ଠିକ୍ ଭାବେ ପାଉନଥିବା ବେଳେ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ସାରର ଅଭାବି ବିକ୍ରିକୁ ନେଇ ମାଲକାନଗିରି ଜିଲ୍ଲାରେ ଚାଷି ଆନ୍ଦୋଳନ ଆରମ୍ଭ ହୋଇଛି । ହେଲେ ଚାଷି ମାନେ କେବେ ଇଉରିଆ ସାର ପାଇବେ ତାହାର ଉତ୍ତର କାହାରି ପାଖରେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.