ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ବମ୍ବେ ହାଇକୋର୍ଟରୁ ମିଳିଲା ସବୁଜ ସଙ୍କେତ, ଶୀଘ୍ର ହେବ ରିଲିଜ୍

Published By : Prameya-News7 Bureau | August 26, 2025 IST

ମୁମ୍ବାଇ :  ସିନେ ପ୍ରେମୀଙ୍କା ପାଇଁ ଖୁସି ଖବର।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ବମ୍ବେ ହାଇକୋର୍ଟର ମିଳିଛି ସବୁଜ ସଙ୍କେତ। ଏହି ଚଳଚ୍ଚିତ୍ର ଏବେ ଶୀଘ୍ର ରିଲିଜ୍ ହୋଇପାରେ। ଏହି ଚଳଚ୍ଚିତ୍ରର ଶୀର୍ଷକ ହେଉଛି ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’। ଏହାର ରିଲିଜ୍ ନେଇ ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ପ୍ରଥମେ ସେ ଚଳଚ୍ଚିତ୍ରଟି ଦେଖିବେ, ତା’ପରେ ଏହା ସମ୍ପର୍କରେ ନିର୍ଦ୍ଦେଶ ଜାରି କରିବେ। ଚଳଚ୍ଚିତ୍ରକୁ ନେଇ ନିର୍ମାତାମାନେ ସେନ୍ସର ବୋର୍ଡ ଉପରେ ଅଭିଯୋଗ ଆଣିଥିଲେ ଏବଂ ବିଳମ୍ବ ହେଉଥିବା କଥା କହିଥିଲେ। ଏହା ଉପରେ ହାଇକୋର୍ଟଙ୍କ ଶୁଣାଣି ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। 

ସେନ୍ସର ବୋର୍ଡ ତରଫରୁ ଏହି ଚଳଚ୍ଚିତ୍ର ନେଇ ଅନେକ ପ୍ରଶ୍ନ ଉଠାଯାଇ  ରିଲିଜ୍ ଉପରେ ରୋକ ଲଗାଯାଇଥିଲା। ସେନ୍ସର ବୋର୍ଡ କହିଥିଲା ଯେ ଚଳଚ୍ଚିତ୍ରଟି ସିନେମାଟୋଗ୍ରାଫ୍ ଆକ୍ଟର ପାଳନ କରୁନାହିଁ। ପରେ ହାଇକୋର୍ଟ ସେହି ସମସ୍ତ ଦୃଶ୍ୟକୁ ଦେଖିଥିଲେ, ଯାହା ଉପରେ CBFC ଆପତ୍ତି ଉଠାଇଥିଲା। କିନ୍ତୁ ହାଇକୋର୍ଟଙ୍କୁ କୌଣସି ଦୃଶ୍ୟରେ କିଛି ଆପତ୍ତିଜନକ ନଜର ଆସିନଥିଲା ଏବଂ ଏବେ ଏହି ଚଳଚ୍ଚିତ୍ରକୁ ରିଲିଜ୍ କରିବା ପାଇଁ ଆଦେଶ ଜାରି ହୋଇଛି।

CBFC ତରଫରୁ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ନିର୍ମିତ ଏହି ଚଳଚ୍ଚିତ୍ର ନେଇ ୨୯ଟି ଆପତ୍ତି ଦାଖଲ କରାଯାଇଥିଲା। ତା’ପରେ ୮ଟି ଆପତ୍ତିକୁ ଖାରଜ କରାଯାଇଥିଲା, ଯଦିଓ ବାକି ଆପତ୍ତିଗୁଡ଼ିକ ବଜାୟ ରହିଥିଲା। ୧୭ ଅଗଷ୍ଟରେ ବୋର୍ଡ ଚଳଚ୍ଚିତ୍ରଟିକୁ ରିଲିଜ୍ କରିବାକୁ ମନା କରିଦେଇଥିଲା। ଏହାପରେ ଚଳଚ୍ଚିତ୍ରର ନିର୍ମାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳଚ୍ଚିତ୍ର ନିର୍ମାତାମାନଙ୍କ ତରଫରୁ ଆବେଦନରେ ସେନ୍ସର ବୋର୍ଡ ଉପରେ ଅନେକ ଅଭିଯୋଗ ଲଗାଯାଇଥିଲା। ସେଥିରେ କୁହାଯାଇଥିଲା ଯେ ଏହା ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ। ନିର୍ମାତାମାନେ ଅଭିଯୋଗ କରି କହିଥିଲେ ଯେ ସେମାନଙ୍କୁ ଯୋଗୀ ଆଦିତ୍ୟନାଥଙ୍କଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍  ନେବାକୁ ବାଧ୍ୟ କରାଯାଇଥିଲା, ଯାହା ନିୟମ ବିରୁଦ୍ଧ। ଅନ୍ୟପକ୍ଷରେ CBFC କହିଥିଲା ଯେ ପ୍ରତ୍ୟେକ ନିୟମର ପାଳନ କରାଯାଇଛି ଏବଂ କେବଳ ସେହି ଜିନିଷଗୁଡ଼ିକ ଉପରେ ଆପତ୍ତି ଜଣାଯାଇଥିଲା, ଯାହା ସିନେମାଟୋଗ୍ରାଫ୍ ଆକ୍ଟର ଉଲ୍ଲଂଘନ କରୁଛି।

ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଏବଂ ରାଜନୈତିକ କ୍ୟାରିୟର ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ତାଙ୍କ ଜୀବନର ବିଭିନ୍ନ ଦିଗକୁ ଦେଖାଯିବ। ତାଙ୍କର ଗୋରଖପୁରରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ କାହାଣୀ ଏଥିରେ ଦେଖାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.