ଟ୍ରମ୍ପଙ୍କ ଟାରିଫ୍‌ର ଜବାବ ଦେଲେ ପିଏମ୍ ମୋଦୀ, କହିଲେ-ଯେତେ ଚାପ ପଡ଼ିଲେ ବି...

Published By : Prameya-News7 Bureau | August 25, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ୫୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହାସହ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂର, ଟ୍ରମ୍ପଙ୍କ ଟାରିଫ୍ ଏବଂ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଟାରିଫ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ବିଶ୍ୱ ଅର୍ଥନୈତିକ ସ୍ୱାର୍ଥପର ରାଜନୀତି ଦେଖୁଛି । ସମସ୍ତେ ଲାଭ ନେବାକୁ ଚେଷ୍ଟା କରୁଛନ୍ତି । ଆମେ ସବୁକିଛି ଦେଖୁଛୁ । ସରକାର କ୍ଷୁଦ୍ର ଉଦ୍ୟୋଗୀ, ଚାଷୀ, ପଶୁପାଳକଙ୍କ ଉପରେ କୌଣସି କ୍ଷତି ହେବାକୁ ଦେବ ନାହିଁ । ଯେତେ ଚାପ ଥାଉ ନା କାହିଁକି, ଆମେ ଏହାକୁ ସହିବାର କ୍ଷମତା ବୃଦ୍ଧି କରିବୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୁଜରାଟ ଦୁଇ ମୋହନଙ୍କ ଭୂମି । ଜଣେ ସୁଦର୍ଶନ ଚକ୍ରଧାରୀ ଦ୍ୱାରକାଦୀଶ ମୋହନ  ଏବଂ ଅନ୍ୟ ଜଣେ ଚରଖା ଧାରଣ କରିଥିବା ମୋହନ, ଆମର ମହାତ୍ମା ଗାନ୍ଧୀ । ଏହି ଦୁଇଜଣଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଭାରତ ଆହୁରି ଶକ୍ତିଶାଳୀ ହେଉଛି । ଶ୍ରୀକୃଷ୍ଣ ଆମକୁ ଦେଶ ଏବଂ ସମାଜକୁ କିପରି ସୁରକ୍ଷା ଦେବାକୁ ହେବ ତାହା ଶିଖାଇଥିଲେ । ସେ ସୁଦର୍ଶନ ଚକ୍ରକୁ ନ୍ୟାୟ ଏବଂ ସୁରକ୍ଷାର ଏକ ଢାଲ କରିଥିଲେ, ଯିଏ ଶତ୍ରୁକୁ ଖୋଜି ତାକୁ ଦଣ୍ଡ ଦିଏ । ଆଜି ଭାରତର ନିଷ୍ପତ୍ତିରେ ଦେଶ ଏବଂ ବିଶ୍ୱ ଏହି ଭାବନା ଅନୁଭବ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଆମେ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କୁ ଛାଡିବୁ ନାହିଁ । ସେମାନେ ଯେଉଁଠାରେ ଲୁଚି ଥାଆନ୍ତୁ ନା କାହିଁକି। ଆମେ ପହଲଗାମ ଆକ୍ରମଣର ପ୍ରତିଶୋଧ କିପରି ନେଲୁ ସାରା ବିଶ୍ୱ ଦେଖିଲା । ୨୨ ମିନିଟରେ ସବୁକିଛି ନିଶ୍ଚିହ୍ନ ହୋଇଗଲା । ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ, ଚରଖା ଚଲାଇ ସ୍ୱଦେଶୀ ମାଧ୍ୟମରେ ଭାରତର ସମୃଦ୍ଧିର ପଥ ଦେଖାଇଥିଲେ। ସାବରମତୀ ଆଶ୍ରମ ଏହାର ସାକ୍ଷୀ । ତାଙ୍କ ନାମରେ ଦଶନ୍ଧି ଧରି କ୍ଷମତା ଉପଭୋଗ କରୁଥିବା ଦଳ ବାପୁଙ୍କ ଆତ୍ମାକୁ ଦଳି ଦେଇଛି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶ କଂଗ୍ରେସର ଚିନ୍ତାଧାରା କ’ଣ ତାହା ବୁଝିପାରୁନାହିଁ । ୬୦-୬୫ ବର୍ଷ ଧରି ଦେଶକୁ ଶାସନ କରିଥିବା କଂଗ୍ରେସ ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ରଖିଥିଲା । ଯାହା ଦ୍ୱାରା ସେ ସରକାରରେ ବସି ଆମଦାନୀରେ ଦୁର୍ନୀତି କରିପାରିବ । ଆଜି ଭାରତ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆତ୍ମନିର୍ଭରଶୀଳତାକୁ ଆଧାର କରିଛି। ଚାଷୀ, ମତ୍ସ୍ୟଜୀବୀ, ପଶୁପାଳକ, ଉଦ୍ୟୋଗୀଙ୍କ ଶକ୍ତିରେ ଭାରତ ଦ୍ରୁତ ଗତିରେ ବିକାଶ ପଥରେ ଆଗକୁ ବଢ଼ୁଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ଗାନ୍ଧୀଙ୍କ ଭୂମିରୁ କହୁଛି ଜନତା ମୋଦୀଙ୍କ ପାଇଁ ସର୍ବୋପରି । ଆତ୍ମନିର୍ଭର ଭାରତ ଅଭିଯାନ ଗୁଜରାଟରୁ ଶକ୍ତି ପାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.