ଭୁବନେଶ୍ବର ୨୬।୮: ସରକାର ଓ ଜନସାଧାରଣଙ୍କ ମଧ୍ୟରେ କମିବ ଦୂରତା । ଲୋକସେବା ଭବନରେ ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କ ଠାରୁ ସିଧାସଳଖ ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଲାଣି । ବିଜେଡି କହିଛି, ବର୍ତ୍ତମାନର ସରକାର କପି ପେଷ୍ଟର ସରକାର । ଆଗକୁ ସରକାର ଝୁଣ୍ଟିବେ । ବିଜେପି ସରକାରର ଉପଲବ୍ଧି କ’ଣ ଆମେ ବୁଝି ପାରୁନୁ । କେବଳ ଗେରୁଆ ରଙ୍ଗ ବୋଳିବା ଓ ନା ପରିବର୍ତ୍ତନ କରିବା, କେବଳ ନିର୍ଯାସ ବୋଲି ଆମେ ଅନୁଭବ କରୁଛୁ । ଆମ ଶାସନ କାର୍ଯ୍ୟକ୍ରମ ଆଜି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି । ୨୪ଟି ଯୋଜନାର ସରକାର ନାଁ ପରିବର୍ତ୍ତନ କରିଛନ୍ତି । ଆଜି ପରେ ୨୫ ରେ ପହଞ୍ଚିଲା । ମୋ ସରକାର ବା 5Tକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଞ୍ଚ କରିଥିଲେ । ପ୍ରଶାସନରେ ସୁଧାର ଆଣିବା ଏହି ଯୋଜନାର ଲକ୍ଷ୍ୟ ଥିଲା । ନୀତି ଆୟୋଗ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହାକୁ ପ୍ରଶଂସା କରିଥିଲେ । ଗୁଡ଼ ଗର୍ଣ୍ଣନାନ୍ସ ଇଣ୍ଡେକ୍ସ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଏହାକୁ ପ୍ରଶଂସା କରିଥିଲା । ବର୍ତ୍ତମାନର ଶାସନ ବ୍ୟବସ୍ଥାରେ କିଛି ନୂଆ କାର୍ଯ୍ୟକ୍ରମ ଆସିନି । ମୋ ସରକାରର ସ୍କିମ୍ର ବ୍ୟବସ୍ଥା ଅନ୍ତ ସାର ଶୂନ୍ୟ ହୋଇଯାଇଛି ବୋଲି ବିଜେଡି ଉପ ସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ସେହିଭଳି ଆମ ଶାସନ ଆରମ୍ଭକୁ ନେଇ ବର୍ଷିଲା କଂଗ୍ରେସ । ଏ ସରକାର କେବଳ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ । ଆରମ୍ଭରୁ ଆମେ ଦେଖି ଆସୁଛୁ । ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ । ତେଣୁ ନୂଆ ଯୋଜନା ଆଣି ଲୋକଙ୍କ କାମ ହେବା ଦରକାର । ଚାଷୀ ଆଜି ଅନେକ ସମସ୍ୟାରେ ରହିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।
ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡ଼ି ସମୟରେ ଥିଲା ମୋ ସରକାର, ମୋ ବସ୍ । କେବଳ ଜଣେ ବ୍ୟକ୍ତିଙ୍କୁ ସରକାର ବୋଲି ବୁଝାଯାଉଥିଲା । ବିଜେପି ଶାସନରେ ଲୋକଙ୍କ ସରକାର ଚାଲିଛି । ବିଜେଡ଼ି ଏବଂ ବିଜେପି ସରକାର ମଧ୍ୟରେ ବହୁତ ଫରକ ରହିଛି । ପୂର୍ବ ସରକାରର କୌଣସି କାମକୁ ବିଜେପି ସରକାର ଅନୁସରଣ କରିବାର ପ୍ରଶ୍ନ ଉଠୁନାହିଁ । ବିଜେପି ଶାସନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ମନ୍ତ୍ରୀ ଏବଂ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଆମ ଶାସନ ବ୍ୟବସ୍ଥା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମର ଲୋକଙ୍କ ସରକାର, ଲୋକଙ୍କ ମତାମତ ନେଇ ସରକାରଙ୍କୁ ଚଳାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜୟନାରାୟଣ କହିଛନ୍ତି ।
You Can Read:
ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା, ସେପ୍ଟେମ୍ବର ୧୩ରେ କାର୍ଯ୍ୟଦିବସ