କାଠମାଣ୍ଡୁ, ୦୧/୦୧ : ନେତା ବାଛିଲେ GenZ । ଆସନ୍ତା ମାର୍ଚ୍ଚ ମାସରେ ନେପାଳରେ ହେବାକୁ ଥିବା ନିର୍ବାଚନ ପାଇଁ ଏଥର GenZ ଜୋର ଲଗାଇ ଦେଇଛନ୍ତି । ନିଜ ପସନ୍ଦର ନେତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଏହି ଅବସରରେ ସେମାନେ ନେପାଳ ରାଷ୍ଟ୍ରୀୟ ସ୍ୱାତନ୍ତ୍ର ପାର୍ଟିର ନେତା ତଥା କାଠମାଣ୍ଡୁର ମେୟର ବଲେନ୍ଦ୍ର ସିଂଙ୍କୁ ସମର୍ଥନ ପାଇଁ ଘୋଷଣା କରିଛନ୍ତି । ବଲେନ୍ଦ୍ର ଆଗାମୀ ନିର୍ବାଚନରେ ପାର୍ଟିର ପ୍ରଧାନମନ୍ତ୍ରୀ ଚେହେରା ହେବେ ।

କ’ଣ ରହିଛି ଯୋଜନା

ନେପାଳରେ ଗତ ବର୍ଷ GenZ ବିଦ୍ରୋହ ହୋଇଥିଲା । ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ର କରି ସେଠାକାର ଯୁବପୀଢି ରାସ୍ତାକୁ ଓହ୍ଲାଇଥିଲେ । ଏପରିକି ସରକାରଙ୍କୁ ଗାଦିଚ୍ୟୁତ କରି ନୂଆ ଅନ୍ତରୀଣ ସରକାର ଗଠନ କରିଥିଲେ । ତେବେ ଆସନ୍ତା ମାର୍ଚ୍ଚରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବଲେନ୍ଦ୍ର ଏବଂ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ନେତା ରବି ଲାମିଚାନେ ଏକ ଚୁକ୍ତି କରିଛନ୍ତି ।

ଚୁକ୍ତି ଅନୁସାରେ ରବି ଦଳର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ଅନ୍ୟ ଦିଗରେ ବଲେନ୍ଦ୍ର ପ୍ରଧାନମନ୍ତ୍ରୀ ଚେହେରା ହେବେ । ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଦୁଇ ନେତା ଏପରି କିଛି ସିଦ୍ଧାନ୍ତରେ ପହଁଚିଛନ୍ତି । ଏହାସହ ଦେଶରେ କିପରି ସୁଶାସନ ପ୍ରତିଷ୍ଠା କରାଯିବ ସେନେଇ ବଲେନ୍ଦ୍ର ଏବଂ ରବି ପରସ୍ପରକୁ ସହଯୋଗ କରିବେ । ଦୁର୍ନୀତିକୁ ରୋକିବା ପାଇଁ ସେମାନେ ଏକାଠି କାମ କରିବେ ବୋଲି କହିଛନ୍ତି ।

ଆହୁରି ମଧ୍ୟ ଦଳକୁ ସାଙ୍ଗଠନିକ ସ୍ତରରେ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ କରାଯିବ । ସରକାର କିପରି ଯୁବପୀଢିଙ୍କ ଆସ୍ଥାଭାଜନ ହୋଇପାରିବେ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏବେ ଆରଏସପିର ୨୧ ଜଣ ସାଂସଦ ରହିଛନ୍ତି । GenZଠୁ ସମର୍ଥନ ପାଇବା ପରେ ଆଗାମୀ ଦିନରେ ଦଳ ସରକାର ଗଠନ କରିବାର ଆଶଙ୍କା ଅଧିକ ରହିଛି ।

ସୂଚନାଯୋଗ୍ୟ, ନେପାଳରେ ଗତବର୍ଷ ସେପ୍ଟେମ୍ବର ୮ ଏବଂ ୯ ତାରିଖରେ ଜେନଜି ଆନ୍ଦୋଳନ ହୋଇଥିଲା । ଦେଶର ସରକାରରେ ଚାଲିଥିବା ଅନେକ ଦୁର୍ନୀତିକୁ ବିରୋଧ କରି ଆନ୍ଦୋଳନ କରାଯାଇଥିଲା ।