ଇସ୍ଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତିରେ ଚିହିଁକି ଉଠିଲା ପାକିସ୍ତାନ। ଭାରତ ଆମ ସହ ଜଳ ଯୁଦ୍ଧ କରୁଛି, ନଦୀର ସବୁ ପାଣି ଆମର, ଭାରତ ନେଇଥିବା ନିଷ୍ପତ୍ତି ବେଆଇନ ବୋଲି କହିଛି ପାକିସ୍ତାନ।କେବଳ ସେତିକି ନୁହେଁ ଭାରତ ନିଷ୍ପତ୍ତିକୁ ଆଇନ ବାଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି ଧମକ ଦେଇଛି। ଭାରତ କେବେ ବି ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱ ସଂଗଠନ ସଂଶ୍ଳିଷ୍ଟ ଥିବା ଏକ ଚୁକ୍ତିରୁ ଏକପାଖିଆ ଭାବରେ ବାହାରି ପାରିବ ନାହିଁ ବୋଲି ପାକିସ୍ତାନ କହିଛି।
ପାକିସ୍ତାନର ଶକ୍ତି ମନ୍ତ୍ରୀ ଅବୈସ ଲେଗାରି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି "ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତର ବେପରୁଆ ଭାବରେ ସ୍ଥଗିତ ରଖିବା ଜଳ ଯୁଦ୍ଧ କରୁଛି। ଏହା ଏକ କାପୁରୁଷତାପୂର୍ଣ୍ଣ, ବେଆଇନ ପଦକ୍ଷେପ। ଅଧିକାର ଅନୁସାରେ ପାଣିର ପ୍ରତ୍ୟେକ ବୁନ୍ଦା ଆମର। ତେଣୁ ଏହାକୁ ସୁରକ୍ଷା ଦେବାକୁ ଆମେ ଆଇନଗତ, ରାଜନୈତିକ ଏବଂ ବିଶ୍ୱ ସ୍ତରରେ ସବୁ ପ୍ରକାର ବଳ ଲଗାଇବୁ ।"
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୮ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ସରକାର ପାକିସ୍ତାନକୁ ଉଚିତ ଜବାବ ଦେବାକୁ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ରଖିବା ଭଳି ୫ ପଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହାପରେ ପାକିସ୍ତାନ ସରକାର ତୁରନ୍ତ ସର୍ବୋଚ୍ଚ ସୁରକ୍ଷା ସଂସ୍ଥା, ଜାତୀୟ ସୁରକ୍ଷା କମିଟି ବୈଠକ ଡକାଇଥିଲେ। ବୈଠକ ପରେ ପାକିସ୍ତାନ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି।
ଏହି ଆତଙ୍କବାଦୀ ଆକ୍ରମଣ ଭାରତ ପାକିସ୍ତାନକୁ ସବୁ ପ୍ରକାର ଘେରିବାକୁ ଚାହୁଁଛି। ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରୁ କୂଟନୀତିଜ୍ଞ ଏବଂ ପ୍ରତିରକ୍ଷା ଅଧିକାରୀମାନଙ୍କୁ ବହିଷ୍କାର କରିବା, ୱାଘା-ଅଟାରୀ ସ୍ଥଳ ସୀମା ବନ୍ଦ କରିବା ଏବଂ ସାର୍କ ଭିସା ଛାଡ଼ ଯୋଜନା ଭିସା (SVES) ବାତିଲ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିକରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ସେତେବେଳର ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆୟୁବ ଖାନ୍ଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ଭାରତ ଉପର ନଦୀକୂଳିଆ ଦେଶ ଭାବେ ପାକିସ୍ତାନକୁ ସିନ୍ଧୁ ନଦୀର ୮୦% ଜଳ ପ୍ରବାହ ଛାଡ଼ିଥିଲା। ବର୍ତ୍ତମାନ ଏହି ଚୁକ୍ତି ସ୍ଥଗିତ ରଖିବା ପରେ ପାକିସ୍ତାନ କୃଷି କ୍ଷେତ୍ର ଭୟଙ୍କର ଭାବରେ ପ୍ରଭାବିତ ହେବ।
ପାକିସ୍ତାନ କହିଲା ଭାରତର ପ୍ରତି ଶବ୍ଦର ଜବାବ ଦେବୁ
ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ବୈଦେଶିକ ମନ୍ତ୍ରୀ ଇଶାକ ଦାର ପାକିସ୍ତାନ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖାରଜ କରିଦେଇଛନ୍ତି। ଯଦି ଭାରତ ପାଖରେ (ପହଲଗାମ ଆକ୍ରମଣ ଉପରେ) କୌଣସି ପ୍ରମାଣ ଅଛି, ତେବେ ତାହା ଉପସ୍ଥାପନ କରିବା ଉଚିତ ବୋଲି ଦାର କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ପାକିସ୍ତାନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ନିଷ୍ପତ୍ତିର ପ୍ରତି ଶବ୍ଦର ଜବାବ ଦେବ। ଏହା କେବଳ ଏକ ରାଜନୈତିକ ଚାଲ ନୁହେଁ। ଭାରତ ନିଜର ବିଫଳତା ପାଇଁ ପାକିସ୍ତାନକୁ ଦାୟୀ କରିବାକୁ ଚେଷ୍ଟା କରୁଛି ବୋଲି ଦାର କହିଥିବା ସମା ଟିଭି ରିପୋର୍ଟ ପ୍ରକାଶ କରିଛି।
ବୈଦେଶିକ ମନ୍ତ୍ରୀ ଇଶାକ ଦାର ପାକିସ୍ତାନ
ସେପଟେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ପାକିସ୍ତାନ ଭାରତର କୌଣସି ଚାପ ରଣନୀତି ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଭାରତକୁ ଏକ ଶକ୍ତିଶାଳୀ ଓ କଡ଼ା ଜବାବ ଦେବ ବୋଲି ସେ ଧମକ ଦେଇଛନ୍ତି। ଆସିଫ କହିଛନ୍ତି "ସେମାନେ ଦୀର୍ଘ ସମୟ ଧରି ସିନ୍ଧୁ ଚୁକ୍ତିରୁ ବାହାରି ଯିବାକୁ ଚେଷ୍ଟା କରୁଛନ୍ତି। ବିଶ୍ୱ ବ୍ୟାଙ୍କ ଏହି ଚୁକ୍ତିରେ ସାମିଲ ଅଛି। ଭାରତ ଏକା ଏହି ନିଷ୍ପତ୍ତି ନେଇପାରିବ ନାହିଁ”। ସୂଚନା ଥାଉକି ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପହଲଗାମ ଆତଙ୍କବାଦୀ ଘଟଣାରେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଆକ୍ରମଣରେ ପାକିସ୍ତାନୀ ଏବଂ ସ୍ଥାନୀୟ କାଶ୍ମୀର ଆତଙ୍କବାଦୀ ଉଭୟ ସାମିଲ ଥିଲେ।
ସେପଟେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନ ଭାରତରୁ ଯାତାୟତ କରୁଥିବା କମର୍ସିଆଲ ଫ୍ଲାଇଟଙ୍କ ନିମନ୍ତେ ଏୟାରସ୍ପେସ୍କୁ ବନ୍ଦ କରିଛି। ଫଳରେ ଭାରତୀୟ ଫ୍ଲାଇଟ୍ଗୁଡ଼ିକୁ ପାକିସ୍ତାନକ ଏରୋ ସ୍ପେସରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ।