ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ହମଲାରେ ପଡୋଶୀ ଦେଶ ପାକିସ୍ତାନର ହାତ ରହିଛି ବୋଲି କୁହାଯାଇଛି । ଏହାରି ଭିତରରେ ଆମେରିକା ପ୍ରମୁଖ ଥିଙ୍କ୍ଟାଙ୍କ ଆମେରିକୀୟ ଇଣ୍ଟରପ୍ରାଇଜ୍ ଇନଷ୍ଟିଚ୍ୟୁଟ ସଦସ୍ୟ ତଥା ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ୍ ରୁବିନ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଯେଉଁଭଳି ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ଠିକ୍ ସେହିପରି ପଲହଗାମ ହମଲା ହୋଇଛି । ତେଣୁ ପାକିସ୍ତାନୀ ଆଇଏସଆଇକୁ ଆତଙ୍କବାଦୀ ସଂଗଠନ ସୂଚୀରେ ସାମିଲ୍ କରିବା ଆବଶ୍ୟକ ।
ଘୁଷୁରୀକୁ ଲିପଷ୍ଟିକ୍ ଲଗାଇଲେ ବି ସେ ଘୁଷୁରୀ ହୋଇ ରହିବ:
ମାଇକେଲ୍ ରୁବିନ ପଡୋଶୀ ଦେଶ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରି ଘୁଷୁରୀ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, ଆପଣ ଘୁଷୁରୀକୁ ଲିପ୍ଷ୍ଟିକ୍ ଲଗାଇକି ସଜାଇଲେ ମଧ୍ୟ ସେ ଘୁଷୁରୀ ହୋଇ ରହିବ, ସେ ସୁଧୁରିବନି । ପାକିସ୍ତାନ ଆତଙ୍କବାଦୀ ପ୍ରାୟୋଜକ ନୁହେଁ ବୋଲି ଯେତେ ଦେଖେଇ ହେଲେ କିମ୍ବା କୁମ୍ଭୀର କାନ୍ଦଣା କାନ୍ଦିଲେ ବି ସେ ଆତଙ୍କୀଙ୍କ ଫ୍ୟାକ୍ଟ୍ରି ଭାବେ ଜଳଜଳ ହୋଇ ସମସ୍ତ ଦେଖାଯିବ । ପାକିସ୍ତାନ ସହିତ ଯେତେ ଥର ବନ୍ଧୁତ୍ବର ହାତ ବଢ଼ାଇବ, ସେ ତମକୁ ଶେଷରେ ଆତଙ୍କବାଦୀ ହିଁ ଦେବ । ଏହାଛଡ଼ା ପେଣ୍ଟାଗନର ପୂର୍ବତନ ଅଧିକାରୀ, ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଓସାମା ବିନ୍ ଲାଡେନ ସହିତ ତୁଳନା କରିଛନ୍ତି । ଦୁହିଁଙ୍କ ଭିତରେ ଫରକ୍ କେବଳ ଏତିକି ଯେ, ମୁନୀର ଏକ ସମାଜରେ ରହୁଛନ୍ତି, ମାତ୍ର ଲାଡେନ ଗୁମ୍ଫାରେ ଲୁଚି ରହୁଥିଲା । ସେ ଆମେରିକା ସରକାରଙ୍କୁ ଦାବି କହିଛନ୍ତି, ପାକିସ୍ତାନକୁ ଆତଙ୍କବାଦୀ ପ୍ରାୟୋଜିତ ଦେଶ ଏବଂ ଏବଂ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଆତଙ୍କବାଦୀ ଘୋଷଣା କରାଯାଉ ।
ଏହାଛଡ଼ା ମାଇକେଲ୍ ରୁବୀନ, ପାକିସ୍ତାନ ଗୁଇନ୍ଦା ଏଜେନ୍ସିଙ୍କୁ ମଧ୍ୟ ଘେରିଛନ୍ତି । ସେ କହିଛନ୍ତି, ଏବେ ସମୟ ଆସିଯାଇଛି ଆଇଏସଆଇ ନେତୃତ୍ବକୁ ଆତଙ୍କୀ ସମୂହ ଘୋଷଣା କରି ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରିବାର । ଭାରତ ନିଜ ସହଯୋଗୀ ଦେଶ ମାନଙ୍କ ନିକଟରେ ଆଇଏସଆଇକୁ ଆତଙ୍କବାଦୀ ସଂଗଠନ ସୂଚୀରେ ସାମିଲ୍ କରିବାକୁ ଦାବି କରିବା ଦରକାର । ବିଶ୍ବର ସବୁଠୁ ବଡ଼ ଲୋକତନ୍ତ୍ର ଦେଶକୁ ସମର୍ଥନ କରିବେ । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ମାଇକେଲ୍ ରୁବୀନ ଏଭଳି କିଛି କହିଛନ୍ତି ।