News7 Logo

ଦିନିକିଆ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କଲା ଇଂଲଣ୍ଡ, ୭୨ ରନରେ ଅଲଆଉଟ୍ ଦ. ଆଫ୍ରିକା

NEWS7
ENG vs SA

ନୂଆଦିଲ୍ଲୀ: ଇଂଲଣ୍ଡ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୪୨ ରନ୍‌ରେ ପରାସ୍ତ କରିଛି। ଏହା ଦିନିକିଆ କ୍ରିକେଟ୍‌ରେ ଯେକୌଣସି ଦଳ ପାଇଁ ସବୁଠାରୁ ବଡ଼ ବିଜୟ। ଏହା ସହିତ ଇଂଲଣ୍ଡ ଦିନିକିଆରେ ରନ ବ୍ୟବଧାନରେ ବିଜୟୀ ହେବା କ୍ଷେତ୍ରରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ପୂର୍ବରୁ ଟିମ୍ ଇଣ୍ଡିଆ ଦିନିକିଆରେ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ବିଜୟର ରେକର୍ଡ ରଖିଥିଲା। ଦଳ ୨୦୨୩ରେ ଶ୍ରୀଲଙ୍କାକୁ ୩୧୭ ରନ୍‌ରେ ପରାସ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ରେକର୍ଡ ଇଂଲଣ୍ଡ ନାମରେ ହୋଇ  ଯାଇଛି। ଏହି ମ୍ୟାଚ୍‌ରେ ହାରିବା ସତ୍ତ୍ୱେ, ଦକ୍ଷିଣ ଆଫ୍ରିକା ୨-୧ରେ ସିରିଜ୍‌ ଜିତିବାରେ ସଫଳ ହୋଇଛି।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ  ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଜେମି ସ୍ମିଥ୍ ଏବଂ ବେନ୍ ଡକେଟଙ୍କ ମଧ୍ୟରେ ୫୯ ରନର ପାର୍ଟନରସିପ୍ ହୋଇଥିଲା। ସ୍ମିଥ୍ ୪୮ ବଲ୍ ରେ ୬୨ ରନ୍ କରିବା ପରେ ଆଉଟ୍ ହୋଇଥିଲେ ଏବଂ ବେନ ଡକେଟ ୩୩ ବଲରେ ୩୧ ରନ୍ କରି ପାଭିଲିୟନ ଫେରିଥିଲେ। ଏହା ପରେ ଜୋ ରୁଟ୍ ଏବଂ ଜାକବ୍ ବେଥେଲ୍ ଦାୟିତ୍ୱ ସମ୍ଭାଳିଥିଲେ। ତୃତୀୟ ୱିକେଟ୍ ପାଇଁ ୧୪୪ ବଲରେ ୧୮୨ ରନ ଯୋଡ଼ିଥିଲେ। ଏହି ମ୍ୟାଚରେ ଉଭୟ ବ୍ୟାଟର ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ରୁଟ୍ ୯୬ ବଲରେ ୧୦୦ ର କରିଥିବା ବେଳେ ବେଥେଲ୍ ୮୨ ବଲରେ ୧୧୦ ରନ୍ କରିଥିଲା। ଶେଷ ଓଭରରେ ଜୋସ୍ ବଟଲର୍ ୩୨ ବଲରେ ୬୨ ରନ କରିଥିଲେ ଏବଂ ୱିଲ୍ ଜ୍ୟାକ୍ସ ୮ ବଲ୍ ରେ ୧୯ ରନ୍ କରିଥିଲେ। ୫୦ ଓଭର ବ୍ୟାଟିଂ କରିବା ପରେ ଇଂଲଣ୍ଡ ୫ ୱିକେଟ୍ ହରାଇ ୪୧୪ ରନ୍ କରିପାରିଥିଲା।

୪୧୫ ରନର ଟାର୍ଗେଟ ହାସଲ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ବହୁତ ଖରାପ ଆରମ୍ଭ କରିଥିଲା। ପ୍ରଥମ ଓଭରର ତୃତୀୟ ବଲ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଆଡନ  ମାରକ୍ରମ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ପରବର୍ତ୍ତୀ ଓଭରରେ ୱିଆନ୍ ମୁଲଡର ମଧ୍ୟ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଥିଲେ। ଆଫ୍ରିକୀୟ ଦଳର ଅଧା ଖେଳାଳି ୧୮ ରନ ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଦଳକୁ ୨୪ ରନ ସ୍କୋରରେ ଷଷ୍ଠ ଝଟକା ଲାଗିଥିଲାଡେୱାଲ୍ଡ ବ୍ରେଭିସ୍ ୧୨ ବଲରୁ ୬ ରନ କରି ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର କେବଳ ତିନି ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋରରେ ପହଞ୍ଚି ପାରିଥିଲେ। ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର ଥିଲେ କର୍ବିନ୍ ବୋଶ୍ସେ ୩୨ ବଲରୁ ୨୦ ରନର ଇନିଂସ ଖେଳିଥିଲେ। ଆଫ୍ରିକୀୟ ଦଳ ୭୨ ରନ କରି ଆଉଟ୍ ହୋଇଥିଲା। ଏହା ଦିନିକିଆରେ ଦଳ ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଇଂଲଣ୍ଡ ପାଇଁ ଜୋଫ୍ରା ଆର୍ଚର ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଆଦିଲ୍ ରସିଦ୍ ୩ ୱିକେଟ୍ ନେଇଥିଲେ।

ଦିନିକିଆରେ ରନ ଦୃଷ୍ଟିରୁ ସବୁଠୁ ବଡ଼ ବିଜୟ

୩୪୨ ରନ୍ - ଇଂଲଣ୍ଡ (ବନାମ ଦକ୍ଷିଣ ଆଫ୍ରିକା)

୩୧୭ ରନ୍ - ଭାରତ (ବନାମ ଶ୍ରୀଲଙ୍କା)

୩୦୯ ରନ୍ - ଅଷ୍ଟ୍ରେଲିଆ (ବନାମ ନେଦରଲ୍ୟାଣ୍ଡସ୍)

୩୦୪ ରନ୍ - ଜିମ୍ବାୱେ (ବନାମ ଆମେରିକା)

୩୦୨ ରନ୍ - ଭାରତ (ବନାମ ଶ୍ରୀଲଙ୍କା)