ନୂଆଦିଲ୍ଲୀ ୧୭।୧୧: ଇସ୍ରାଏଲ ଓ ଭାରତର ବନ୍ଧୁତ୍ୱ ଏବେ ନୂଆ ଉଚ୍ଚତାରେ ପହଞ୍ଚିଛି। ବୈଶ୍ୱିକ ରାଜନୀତିରେ ଏକମାତ୍ର ଇହୁଦୀ ଦେଶ ଇସ୍ରାଏଲର ନିଜର ଏକ ପରିଚୟ ଅଛି। ଭାରତର ସ୍ୱାଧୀନତା ସମୟରେ ଏହି ଦେଶର ନିଅଁ ପଡିଥିଲା। ସେ ସମୟରେ ଇସ୍ରାଏଲ ଗଠନ ଲାଗି ଭାରତରେ ବସବାସ କରୁଥିବା ଇହୁଦୀଙ୍କଙ୍କର ମଧ୍ୟ ବେଶ୍ ଯୋଗଦାନ ଥିଲା। ଭାରତର ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ଦୁଇ ଦେଶଙ୍କ ମିତ୍ରତାକୁ ବେଶ ସୁଦୃଢ କରିଥିଲେ। ସେ ହେଉଛନ୍ତି ଏଲିୟାହୁ ବେଜାଲେଲ। ତାଙ୍କ ପରିଶ୍ରମ ଓ ଉଦ୍ୟମ ବଳରେ କୃଷିକ୍ଷେତ୍ରରେ ଆଣିଥିବା ବୈପ୍ଲବିକ୍ ପରିବର୍ତ୍ତନ ପାଇଁ ସେ ବେଶ୍ ପ୍ରସିଦ୍ଧ ଥିଲେ। ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ବର୍ଦ୍ଧିତ ମୂଳୟ ଭାରତୀୟ ଉଦ୍ୟୋଗୀ ଏଲିୟାହୁ ବେଜାଲେଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି।

କେରଳର ଚେନ୍ଦମଙ୍ଗଲମ ଗାଁରେ ଜନ୍ମିତ ବେଜାଲେଲ ୧୯୫୫ ମସିହାରେ ମାତ୍ର ୨୫ ବର୍ଷ ବୟସରେ ଇସ୍ରାଏଲ ଚାଲିଯାଇଥିଲେ। ଯଦିଓ ସେ ବିଦେଶରେ ରହୁଥିଲେ ତଥାପି ମାତୃଭୂମି ଭାରତ ପ୍ରତି ତାଙ୍କର ବେଶ୍ ଭାବନାତ୍ମକ ସମ୍ପର୍କ ଥିଲା। ୨୦୦୬ ମସିହାରେ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ବର୍ଦ୍ଦିତ କରାଯାଇଥିଲା। ଏଲିୟାହୁ ଦୁଇ ଦେଶଙ୍କ ପାଇଁ ତାଙ୍କ ହୃଦୟରେ ଥିବା ପ୍ରେମକୁ ବ୍ୟକ୍ତ କରି ‘ମାଇଁ ମଦର ଲ୍ୟାଣ୍ଡ ଆଣ୍ଡ ମାଇଁ ଫାଦର ଲ୍ୟାଣ୍ଡ’ ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ ସେ ତାଙ୍କ ଜନ୍ମସ୍ଥାନ ନିକଟରେ ଥିବା ଇହୁଦୀ ସିନେଗଗ୍ ପାଖରେ ଏକ ଘର ମଧ୍ୟ କରିଥିଲେ। ଏହି ଘରକୁ ସେ ବର୍ଷରେ ଅନୁନ୍ୟ ୨ ମାସ ପାଇଁ ଆସୁଥିବାର ଏଥିରେ କୁହାଯାଇଛି।

ନେଗେଭ ମରୁଭୂମିରେ ବଗିଚା କରି ୧୯୬୪ରେ ତତ୍କାଳୀନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଲେଭି ଏସଖୋଲଙ୍କଠାରୁ ସର୍ବଶ୍ରେଷ୍ଠ ରପ୍ତାନୀକାରୀ ପୁରସ୍କାର ଲାଭ କରିଥିଲେ। ବଗିଚାରୁ ପାଇଥିବା ବିଶେଷଜ୍ଞତାକୁ ସେ ଭାରତୀୟ ଚାଷୀଙ୍କ ସହ ମଧ୍ୟ ବାଣ୍ଟିଥିଲେ। ୧୯୯୪ରେ ଇସ୍ରାଏଲ ସଂସଦ ନେସେଟ୍ ତାଙ୍କୁ କପଲାନ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲା। ଦକ୍ଷିଣ ଇସ୍ରାଏଲରେ ଥିବା ତାଙ୍କ କୃଷିକ୍ଷେତ୍ର ଭାରତୀୟ ରାଜନେତା ଓ ଚାଷୀଙ୍କ ଲାଗି ସର୍ବଦା ଆକର୍ଷଣର କେନ୍ଦ୍ର ହୋଇ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡା, କୃଷିମନ୍ତ୍ରୀ ଶରଦ ପାୱାର ଓ କୃଷିବିଦ୍ ଏମ.ଏସ. ସ୍ୱାମୀନାଥନଙ୍କ ଭଳି ଲୋକେ ତାଙ୍କ କୃଷିକ୍ଷେତ୍ର ପରିଦର୍ଶନ କରିଛନ୍ତି।