ନୂଆଦିଲ୍ଲୀ: ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ଅଗଷ୍ଟ ୫ରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି ଇଡି।
ଗତ ସପ୍ତାହରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ମୁମ୍ବାଇରେ ରିଲାଏନ୍ସ ଗ୍ରୁପ ସହିତ ଜଡିତ ପ୍ରାୟ ୩୫ଟି ସ୍ଥାନରେ ଚଢଉ କରିଥିଲା ଇଡି। ପୂର୍ବରୁ SEBI ୧୦ ହଜାର କୋଟି ଟଙ୍କାର ମନି ଟ୍ରାନ୍ସଫର ସମ୍ପର୍କରେ ଇଡି ଏବଂ ଅନ୍ୟ ଦୁଇଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଥିଲା।
ଅଭିଯୋଗ ହୋଇଛି ଯେ ଋଣ ରାଶିକୁ ଅନ୍ୟ କମ୍ପାନୀଗୁଡ଼ିକୁ ପଠାଯାଇଥିଲା ଏବଂ ନିର୍ଦ୍ଧାରିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା, ଯାହା ମନି ଲଣ୍ଡରିଂ ପରିସରଭୁକ୍ତ।